ଆରଏସଏସର ଭବ୍ୟ ପଥସଞ୍ଚଳନ ଓ ଶାରୀରିକ ପ୍ରଦର୍ଶନ
ସମାଜର ବିଭେଦତାକୁ ଦୂର କରିବାକୁ ସଂଘ ସର୍ବଦା ଚେଷ୍ଟିତ
ବାଲେଶ୍ୱର: ସଂଘ ବିଚାରରେ ସମସ୍ତେ ଗୋଟିଏ ମାର ସନ୍ତାନ। ସେଥିପାଇଁ ସଂଘର ସ୍ୱୟଂସେବକମାନେ ସମାଜରେ ଥିବା ବିଭେଦତାକୁ ଦୂର କରିବାକୁ ସର୍ବଦା ଚେଷ୍ଟିତ। ଶତାବ୍ଦୀ ବର୍ଷରେ ସଂଘ ସମାଜ ପରିବର୍ତ୍ତନ ଲାଗି ଯେଉଁ ପାଞ୍ଚୋଟି ବିଷୟ ଗ୍ରହଣ କରିଛି। ଏହି ପଞ୍ଚସୂତ୍ରୀ କାର୍ଯ୍ୟକ୍ରମର ବାର୍ତ୍ତା ସଂଘର ସ୍ୱୟଂସେବକମାନେ ପ୍ରତି ଘରେ ପହଞ୍ଚାଇବେ ବୋଲି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଉତ୍କଳ ପୂର୍ବ ପ୍ରାନ୍ତ ପ୍ରଚାରକ ଶ୍ରୀମାନ ବିପିନ ପ୍ରସାଦ ନନ୍ଦ କହିଛନ୍ତି। ସଂଘର ଶତାବ୍ଦୀ ବର୍ଷ ତଥା ଭାରତ ବର୍ଷର ଦୁଇ ମହାନ ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଏବଂ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ସପ୍ତାହ ଅବସରରେ ଆରଏସଏସ ବାଲେଶ୍ୱର ତରଫରୁ ଏକ ଭଵ୍ୟ ପଥ ସଞ୍ଚଳନ ଓ ଶାରୀରିକ ପ୍ରଦର୍ଶନ କାର୍ଯ୍ୟକ୍ରମରେ ଶ୍ରୀ ନନ୍ଦ ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ରାମଚନ୍ଦ୍ର ଜେନା ଯୋଗ ଦେଇ ଶହେ ବର୍ଷ ଧରି ସଂଘ ଦ୍ୱାରା ସମାଜ ପରିବର୍ତନ କାର୍ଯ୍ୟ ପ୍ରଶଂସନୀୟ ବୋଲି କହିଥିଲେ। ଅନ୍ୟତମ ଅତିଥି ଭାବେ ସଂଘର ବାଲେଶ୍ୱର ଜିଲ୍ଲା ସଂଘ ଚାଳକ ଶୁଭ୍ରାଂଶୁ ଶେଖର ଦାସମହାପାତ୍ର ଏବଂ ଜିଲ୍ଲା କାର୍ଯ୍ୟବାହ ବିଜୟ କୁମାର ଦାସ ମଞ୍ଚସିନ ଥିଲେ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ଶତାଧିକ ସ୍ୱୟଂସେବକ ପୂର୍ଣ୍ଣ ଗଣବେଶରେ ଉପସ୍ଥିତ ରହି ଯୋଗାସନ, ବ୍ୟାୟାମଯୋଗ, ନିୟୁଧ, ଦଣ୍ଡ, ସାମୁହିକ ସମତା ଓ ଘୋଷର ଚିତାକର୍ଷକ ପ୍ରଦର୍ଶନ କରିଥିଲେ। ଏହା ପୂର୍ବରୁ ସ୍ୱୟଂସେବକମାନେ ଘୋଷ ବାଦ୍ୟ ସହ ପଥ ସଞ୍ଚଳନରେ ନଗର ପରିକ୍ରମା କରିଥିଲେ। ପଥ ସଞ୍ଚଳନ ଆୟୁଷ୍ମାନ କଲ୍ୟାଣ ମଣ୍ଡପରୁ ବାହାରି ଚିଡ଼ିଆପୋଲ, ଫାଣ୍ଡି ଛକ, ଫକୀରମୋହନ ଗୋଲେଇ, ଷ୍ଟେସନ ଛକ, ଏଡ଼ିଏମ ଛକ ଦେଇ ମିଶନ ପଡିଆରେ ଶେଷ ହୋଇଥିଲା। କାର୍ଯ୍ୟକ୍ରମକୁ ସହଜିଲ୍ଲା ଶାରୀରିକ ପ୍ରମୁଖ ସୁଶାନ୍ତ ମଣ୍ଡଳଙ୍କ ସହ ମୃତ୍ୟଞ୍ଜୟ ମହାର୍ଣ୍ଣା, ଗଣେଶ ଦାସ, ରମେଶ ମହାକୁଡ଼, କୁମାର ସମ୍ଭବ ପରିଡା, ତାପସ କୁମାର ଜେନା, ଅଙ୍କୁଶ ପଣ୍ଡା ପ୍ରମୁଖ ପରିଚାଳନା କରିଥିଲେ।