ଭାରତର ଆତ୍ମା ସନାତନ ହିନ୍ଦୁ ସଂସ୍କୃତି”: ନଛିପୁରଠାରେ ବିଶାଳ ହିନ୍ଦୁ ସମ୍ମିଳନୀ ଓ ଭାରତ ମାତା ପୂଜନ ଉତ୍ସବ ଅନୁଷ୍ଠିତ

ଭାରତର ଆତ୍ମା ସନାତନ ହିନ୍ଦୁ ସଂସ୍କୃତି”: ନଛିପୁରଠାରେ ବିଶାଳ ହିନ୍ଦୁ ସମ୍ମିଳନୀ ଓ ଭାରତ ମାତା ପୂଜନ ଉତ୍ସବ ଅନୁଷ୍ଠିତ
କଟକ (ନଛିପୁର):ସ୍ଥାନୀୟ ମା’ ଧାକୁଲେଇ ଉପନଗର ର ନଛିପୁର ନିକଟସ୍ଥ ଗୋଦାବରୀ ପୀଠ ଠାରେ ସମଗ୍ର ହିନ୍ଦୁ ସମାଜର ମିଳିତ ସହଯୋଗରେ ଏକ ବିଶାଳ ହିନ୍ଦୁ ସମ୍ମିଳନୀ ଓ ଭାରତ ମାତା ପୂଜନ ଉତ୍ସବ ଅତ୍ୟନ୍ତ ଭକ୍ତିମୟ ପରିବେଶରେ ସମ୍ପନ୍ନ ହୋଇଯାଇଛି। ଏହି ଅବସରରେ ଉପସ୍ଥିତ ବରେଣ୍ୟ ଅତିଥି ଓ ବକ୍ତାମାନେ “ଭାରତର ଆତ୍ମା ହେଉଛି ସନାତନ ହିନ୍ଦୁ ସଂସ୍କୃତି” ବୋଲି ଅଭିହିତ କରିଛନ୍ତି।
ଏହି ସାରସ୍ୱତ ସମାରୋହରେ ଏକାତ୍ମ ପୀଠର ପୀଠାଧୀଶ ପୂଜ୍ୟ ମହନ୍ତ ଶ୍ରୀ ସ୍ୱାମୀ ତ୍ରିଲୋକେଶ୍ୱର ଭାରତୀ ମହାରାଜ ମୁଖ୍ୟ ପୁରୋଧା ଭାବେ ଯୋଗଦେଇ ଆଧ୍ୟାତ୍ମିକ ଦିଗଦର୍ଶନ ପ୍ରଦାନ କରିଥିଲେ। ମୁଖ୍ୟ ବକ୍ତା ଭାବେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର କଟକ ବିଭାଗ ସଂଘଚାଳକ ଡାକ୍ତର ଗୌତମ ମହାରଣା ଯୋଗଦେଇ ହିନ୍ଦୁ ସମାଜର ଅଖଣ୍ଡତା ଓ ରାଷ୍ଟ୍ର ଗଠନରେ ହିନ୍ଦୁ ପରିବାରର ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ।
ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଶତାବ୍ଦୀ ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନ୍ୟତମ ବକ୍ତା ଭାବେ ଶ୍ରୀମାନ ବିନୟ କୁମାର ଭୂୟାଁ , ସଇଁନ୍ଦା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ଶରତ କୁମାର ରଥ, ପତଞ୍ଜଳିର ଜିଲ୍ଲା ସଭାପତି ଶ୍ରୀ ନିମାଇଁ ଚରଣ ଜେନା ଏବଂ ନଛିପୁର ଗ୍ରାମ୍ୟ କମିଟି ସଭାପତି ଶ୍ରୀ ପୂର୍ଣ୍ଣଚନ୍ଦ୍ର ମୁଦୁଲି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ନିଜ ନିଜର ସାରଗର୍ଭକ ମତ ରଖିଥିଲେ।
ସମ୍ମିଳନୀରେ ବିଶେଷ କରି ଆଦର୍ଶ ହିନ୍ଦୁ ପରିବାର ଗଠନ, ପର୍ଯ୍ୟାବରଣ ସୁରକ୍ଷା ଏବଂ ଜାତିଭେଦ ରହିତ ଜାଗ୍ରତ ହିନ୍ଦୁ ସମାଜ ମାଧ୍ୟମରେ ଭାରତ ମାତାଙ୍କ ଧ୍ୱଜାକୁ ବିଶ୍ୱ ଦରବାରରେ ପ୍ରତିଷ୍ଠିତ କରିବା ପାଇଁ ଆହ୍ୱାନ ଦିଆଯାଇଥିଲା। ସ୍ଥାନୀୟ ଅଞ୍ଚଳର ସବୁ ବର୍ଗର ପରିବାର ପାରମ୍ପରିକ ମାଙ୍ଗଳିକ ବସ୍ତ୍ର ପରିଧାନ କରି ଶ୍ରଦ୍ଧାର ସହ ଭାରତ ମାତାଙ୍କ ଚିତ୍ରପଟ୍ଟ ବନ୍ଦନା କରିବା ସହ ଉତ୍ସବରେ ସାମିଲ ହୋଇଥିଲେ।
ସମଗ୍ର କାର୍ଯ୍ୟକ୍ରମକୁ ଶ୍ରୀ ସୁକାନ୍ତ କୁମାର ଲେଙ୍କା ସୁଚାରୁରୂପେ ପରିଚାଳନା କରିଥିଲେ। ଶେଷରେ ସମସ୍ତ ଶ୍ରଦ୍ଧାଳୁ ଓ ପରିବାର ବୃନ୍ଦ ସାମୂହିକ ଭାବେ ପାରିବାରିକ ସହଭୋଜ ପ୍ରସାଦ ସେବନ କରିବା ପରେ ସମ୍ମିଳନୀ ସଫଳତାର ସହ ସମାପ୍ତ ହୋଇଥିଲା।

Leave a Reply

Your email address will not be published. Required fields are marked *