ବାଲେଶ୍ୱର ନଗରର ଈଶାନେସ୍ୱର ଉପନଗର ଅନ୍ତର୍ଗତ ସ୍ଥାନୀୟ କୁରୁଡ଼ା ହାଟ ପଡିଆରେ ବିଶାଳ ହିନ୍ଦୁ ସମ୍ମିଳନୀ

ବାଲେଶ୍ୱର, ୧୮।୧: ଯିଏ ନିଜର ସ୍ୱାର୍ଥ ଲାଗି କେବେ କାମ କରେନାହିଁ ସେ ହେଉଛି ହିନ୍ଦୁ। ସେଥିପାଇଁ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ କହିଥିଲେ ‘ନିଜ ସ୍ୱାର୍ଥ ଲାଗି ଯାତନୁହେଁ ହିନ୍ଦୁ, ବିଶ୍ୱେ ହିତେ ତାର ପ୍ରତି ରକ୍ତ ବିନ୍ଦୁ’। ହିନ୍ଦୁ ସଂଗଠିତ ହେଲେ ରାଷ୍ଟ୍ର ସଶକ୍ତ ହେବ। ଆମେ ସମସ୍ତେ ହିନ୍ଦୁ କାରଣ ଭାରତ ବର୍ଷର ନାମ ହେଉଛି ହିନ୍ଦୁସ୍ଥାନ। କିନ୍ତୁ ଅନ୍ୟର ହିତ ସାଧନ କରୁ କରୁ ନିଜର ଅସ୍ତିତ୍ୱ ନଷ୍ଟ କରିବାକୁ କେହି କେବେ ଚାହେଁନାହିଁ। ତେଣୁ ଆଜି ସମୟ ଆସିଛି ହିନ୍ଦୁମାନେ ସଂଗଠିତ ହୁଅନ୍ତୁ ଏବଂ ନିଜର ଗୌରବମୟ ଐତିହ୍ୟ ଓ ହୃତ ଗୌରବକୁ ପୁଣିଥରେ ପୁନଃସ୍ଥାପିତ କରନ୍ତୁ ବୋଲି କହିଛନ୍ତି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଉତ୍କଳ ପୂର୍ବ ପ୍ରାନ୍ତ କାର୍ଯ୍ୟବାହ ଡ. ଅନିଲ କୁମାର ମିଶ୍ର। ବାଲେଶ୍ୱର ନଗରର ଈଶାନେସ୍ୱର ଉପନଗର ଅନ୍ତର୍ଗତ ସ୍ଥାନୀୟ କୁରୁଡ଼ା ହାଟ ପଡିଆରେ ରବିବାର ଅନୁଷ୍ଠିତ ବିଶାଳ ହିନ୍ଦୁ ସମ୍ମିଳନୀରେ ଡ. ମିଶ୍ର ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ। ମୁଖ୍ୟ ଅତିଥି ଭାବେ ନାଗାବାବା ଦିବାକର ମହାରାଜ, ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ସୋମନାଥ ସେଠୀ, କାର୍ଗିଲ ସହିଦ ଗଙ୍ଗାରାମ ଦାସଙ୍କ ପିତା ଶ୍ୟାମସୁନ୍ଦର ଦାସ, କାର୍ଯ୍ୟକ୍ରମର ସଂଯୋଜକ ତଥା କୁରୁଡ଼ା ଗ୍ରାମ କମିଟି ସଭାପତି ପ୍ରଶାନ୍ତ ମହାପାତ୍ର ଏବଂ ଆରଏସଏସର ବାଲେଶ୍ୱର ନଗର କାର୍ଯ୍ୟବାହ ରମେଶ ମହାକୁଡ଼ ମଞ୍ଚାସିନ ଥିଲେ।
ପ୍ରାତଃ ସମୟରୁ ସ୍ଥାନୀୟ ଚନ୍ଦନ ପୋଖରୀରୁ ୧୦୮କଳସ ଶୋଭାଯାତ୍ରା, ହୋମଯଜ୍ଞ ଓ ନଗର କୀର୍ତନ ଆଦି କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ପରେ ସ୍ଥାନୀୟ ଏବଂ ସରସ୍ୱତୀ ଶିଶୁମନ୍ଦିର ଅଙ୍ଗାରଗଡ଼ିଆର ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ପରେ ୫ହଜାରରୁ ଉର୍ଦ୍ଧ ଶ୍ରଦ୍ଧାଳୁ ପ୍ରସାଦ ସେବନ କରିଥିଲେ।

Leave a Reply

Your email address will not be published. Required fields are marked *