ଭଦ୍ରକ: ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଭଦ୍ରକ ଜିଲ୍ଲାର ୧୯ଟି ଥାନା ଅଞ୍ଚଳରେ ଚଢ଼ଉ କରାଯାଇ ୩୪୬ ଜଣ ସନ୍ଦିଗ୍ଧ ବାଂଲାଦେଶୀଙ୍କୁ ଅଟକ ରଖି ଯାଞ୍ଚ ଚାଲିଛି। ସୂଚନା ମୁତାବକ, କେନ୍ଦ୍ର ସରକାର ବାଂଲାଦେଶୀଙ୍କ ଅନୁପ୍ରବେଶ ଉପରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିବା ସହ ସେମାନଙ୍କୁ ଚିହ୍ନଟ କରି ନିଜ ଦେଶକୁ ପଠାଇବାକୁ ନିର୍ଦ୍ଦେଶ ରହିଛି। ଭଦ୍ରକ ଜିଲ୍ଲାର ଚାନ୍ଦବାଲି ଓ ବାସୁଦେବପୁର ବ୍ଲକ୍ ବାଂଲାଦେଶୀମାନଙ୍କ ପ୍ରବେଶ ପଥ ପାଲଟିଛି। ସମୁଦ୍ର ପଥରେ ମାଛ ଧରିବାକୁ ଆସି କାଳକ୍ରମେ ଉପକୂଳ ଅଞ୍ଚଳରେ ସ୍ଥାୟୀ ଭାବେ ବସବାସ କରୁଛନ୍ତି। ବିଶେଷକରି, ଚାନ୍ଦବାଲି ବ୍ଲକ୍ ଧାମରା ଅଞ୍ଚଳରେ ବାସ କରୁଥିବା ସନ୍ଦିଗ୍ଧ ବାଂଲାଦେଶୀମାନେ ସେମାନଙ୍କ ଘର ପଶ୍ଚିମବଙ୍ଗର ମୁର୍ଶିଦାବାଦ ବୋଲି କହୁଛନ୍ତି। ସେମାନେ ଜମିବାଡ଼ି କିଣି ଏଠାରେ ସ୍ଥାୟୀ ଭାବରେ ଘରଦ୍ଵାର ମଧ୍ୟ କରିଛନ୍ତି। ଭୋଟର କାର୍ଡ, ରାସନ କାର୍ଡ, ଆଧାର କାର୍ଡ ବି ହାତେଇଛନ୍ତି| ହେଲେ, ସେମାନଙ୍କ ଲିଙ୍କ୍ କୁଆଡ଼େ ଲମ୍ବିଛି, ପୁଲିସ ପତ୍ତା ପାଇବା କଷ୍ଟକର ହେଉଛି।
ଏପରି ସ୍ଥିତିରେ ଭଦ୍ରକ ଏସ୍ପି ମନୋଜ ରାଉତଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାରେ ଯାଞ୍ଚ କଡାକଡ଼ି କରାଯାଉଛି। ଚାନ୍ଦବାଲି, ବାସୁଦେବପୁର, ତିହିଡ଼ି, ଧାମନଗର, ଭଦ୍ରକ, ବନ୍ତ, ଭଣ୍ଡାରିପୋଖରୀ ଆଦି ୭ଟି ତହସିଲ ଅଞ୍ଚଳରେ ୧୯ଟି ଥାନା ଓ ୭ଟି ଫାଣ୍ଡି ଅଞ୍ଚଳରୁ ଏଯାଏଁ ମୋଟ ୩୪୬ ଜଣ ସନ୍ଦିଗ୍ଧଙ୍କୁ ପୁଲିସ ଉଠାଇ ଆଣି ଭଦ୍ରକର ରାତ୍ରିକାଳୀନ ଯାତ୍ରୀ ବିଶ୍ରାମଗାରରେ ଅଟକ ରଖିଛି। ସେମାନଙ୍କ ମୂଳ ଘର, ପୈତୃକ ଜନ୍ମସ୍ଥାନ, ଆଧାର କାର୍ଡକୁ କଡ଼ାକଡ଼ି ଭାବରେ ଯାଞ୍ଚ କରାଯାଉଛି।