ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଶତାବ୍ଦୀ ବର୍ଷ କାର୍ଯ୍ୟକ୍ରମ-ଓଡିଶାରେ ସେପ୍ଟେମ୍ବର ୨୫ ରୁ କାର୍ଯ୍ୟକ୍ରମ ଆରମ୍ଭ, ବର୍ଷବ୍ୟାପି ଚାଲିବ

ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଶତାବ୍ଦୀ ବର୍ଷ କାର୍ଯ୍ୟକ୍ରମ
ଓଡିଶାରେ ସେପ୍ଟେମ୍ବର ୨୫ ରୁ କାର୍ଯ୍ୟକ୍ରମ ଆରମ୍ଭ, ବର୍ଷବ୍ୟାପି ଚାଲିବ
ଭୁବନେଶ୍ୱର,୨୫/୦୯: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ୨ ଅକ୍ଟୋବର ୨୦୨୫ ରୁ ୨୦୨୬ ବିଜୟାଦଶମୀ ପର୍ଯ୍ୟନ୍ତ ତାହାର ଶତାବ୍ଦୀ ବର୍ଷ ପାଳନ କରିବ । ଓଡିଶାରେ ଏହି କାର୍ଯ୍ୟକ୍ରମ ସେପ୍ଟେମ୍ବର୨୫ ତାରିଖରୁ ଆରମ୍ଭ ହୋଇ ୨୦୨୬ ବିଜୟା ଦଶମୀ ପର୍ଯ୍ୟନ୍ତ ପାଳନ ହେବ । ଶତାବ୍ଦୀ ବର୍ଷରେ ସଂଘର ସ୍ୱୟଂସେବକମାନେ ପଞ୍ଚ ପରିବର୍ତ୍ତନକୁ ନେଇ ଜନଜାଗରଣ କରିବେ । ଏହି ପାଞ୍ଚଟି ବିଷୟ ହେଉଛି ପର୍ଯ୍ୟାବରଣ ସଂରକ୍ଷଣ, ସାମାଜିକ ସମରସତା, ପରିବାର ପ୍ରବୋଧନ,ସ୍ୱବୋଧ ବା ‘ସ୍ୱ’ ର ଜାଗରଣ ଏବଂ ନାଗରିକ କର୍ତ୍ତବ୍ୟ । ଶତାବ୍ଦୀ ବର୍ଷ ଅବସରରେ ଯୁବା ସମ୍ମିଳନୀ,ବ୍ୟାପକ ଗୃହସଂପର୍କ ଅଭିଯାନ, ହିନ୍ଦୁ ସମ୍ମିଳନୀ, ସାମାଜିକ ସଦ୍‌ଭାବନା ବୈଠକ ଏବଂ ପ୍ରବୁଦ୍ଧ ନାଗରିକ ସଂଗୋଷ୍ଠୀର ଆୟୋଜନ କରାଯିବ ବୋଲି ସଂଘର ଓଡିଶା ପୂର୍ବ ୍‌ପ୍ରାନ୍ତର ସଂଘଚାଳକ ସମୀର କୁମାର ମହାନ୍ତି ଏକ ପ୍ରେସ ବିବୃତ୍ତିରେ ପ୍ରକାଶ କରିଛନ୍ତି ।
ଶ୍ରୀ ମହାନ୍ତି କହିଛନ୍ତି ଯେ, ସେପ୍ଟେମ୍ବର ୨୫ରୁ ଅକ୍ଟୋବର ୨ ମଧ୍ୟରେ ବିଜୟା ଦଶମୀ ଉତ୍ସବ, ଅକ୍ଟୋବର ୧୫ରୁ ନଭେମ୍ବର ୧୫ ମଧ୍ୟରେ ଯୁବ ସମାବେଶ, ଡିସେମ୍ବରରେ ଘରକୁ ଘର ସମ୍ପର୍କ ଅଭିଯାନ, ୨୦୨୬ ଜାନୁଆରୀରେ ହିନ୍ଦୁ ସମ୍ମିଳନୀ, ଫେବ୍ରୁଆରୀରେ ସାମାଜିକ ସଦ୍‌ଭାବନା ବୈଠକ, ଏପ୍ରିଲ୍‌ରେ ପ୍ରମୁଖ ନାଗରିକ ସଂଗୋଷ୍ଠୀ ଏବଂ ୨୦୨୬ ବିଜୟା ଦଶମୀ ପର୍ଯ୍ୟନ୍ତ ଅଧିକତମ ସ୍ଥାନରେ ସବୁ ଆୟୁବର୍ଗର ଶାଖା ବୃଦ୍ଧିର ଆୟୋଜନ କରାଯିବ ।
ବିଜୟାଦଶମୀର ପବିତ୍ର ପର୍ବ ହିନ୍ଦୁ ସମାଜରେ ଶକ୍ତି ଜାଗ୍ରତ କରିବାର ଏକ ପର୍ବ । ଏହି ପବିତ୍ର ଅବସରରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ତାହାର ୧୦୦ତମ ବର୍ଷ ପୁରଣ କରୁଛି । ଏହି ବର୍ଷ ଶ୍ରୀ ବିଜୟାଦଶମୀ ନାଗପୁରରେ ଅକ୍ଟୋବର ୨ ତାରିଖ ସକାଳ ୭:୪୦ ରେ ରେଶିମବାଗ ପଡ଼ିଆରେ ଅନୁଷ୍ଠିତ ହେବ । ଭାରତର ପୂର୍ବତନ ରାଷ୍ଟ୍ରପତି ଶ୍ରୀଯୁକ୍ତ ରାମନାଥ କୋବିନ୍ଦ ମୁଖ୍ୟ ଅତିଥି ଭାବେ ଯୋଗଦେବେ ଏବଂ ସରସଂଘଚାଳକ ଡକ୍ଟର ମୋହନ ଭାଗବତଙ୍କର ମାର୍ଗଦର୍ଶନ ରହିବ । ଶତବ୍ଦୀ ବର୍ଷକୁ ନେଇ ସ୍ୱୟଂସେବକ ତଥା ସାଧାରଣ ଲୋକମାନଙ୍କ ଭିତରେ ଅନେକ ଉତ୍ସାହ ପରିଲକ୍ଷିତ ହେଉଛି । ଆଜି ସବୁ ପ୍ରାନ୍ତରେ ସଂଘ ଶାଖାର ବିସ୍ତାର ହୋଇଛି । ସଂଘ ପ୍ରତି ସାଧାରଣ ଲୋକଙ୍କର ବିଶ୍ୱାସ ମଧ୍ୟ ବଢ଼ୁଛି ଏବଂ ଏହି କାର୍ଯ୍ୟ ସମାଜର ସମସ୍ତ ବର୍ଗମାନଙ୍କରେ ପହଞ୍ଚି ପାରିଛି । ଡକ୍ଟର କେଶବ ବଳିରାମ ହେଡଗେୱାର ଉତ୍ତମ ବ୍ୟକ୍ତି ନିର୍ମାଣ ପାଇଁ ଏହି ସଂଗଠନ ପ୍ରତିଷ୍ଠା କରିଥିଲେ । ଆଜିକିନ୍ତୁ ସମାଜର ସମର୍ଥନ, ଅଂଶଗ୍ରହଣ ଏବଂ କାର୍ଯ୍ୟକର୍ତ୍ତାମାନଙ୍କ କଠିନ ପରିଶ୍ରମ ଯୋଗୁଁ ଏହି କାର୍ଯ୍ୟ ଏକ ବ୍ୟାପକ ରୂପ ଧାରଣ କରିଛି ।

Leave a Reply

Your email address will not be published. Required fields are marked *