ନିମାପଡ଼ାସ୍ଥିତ ବିଷ୍ଣୁପୁର ଗ୍ରାମରୁ ଗଜପତି କପିଳେନ୍ଦ୍ର ଦେବଙ୍କ ଶିଳାଲିପିର ସନ୍ଧାନ

ନିମାପଡ଼ାସ୍ଥିତ ବିଷ୍ଣୁପୁର ଗ୍ରାମରୁ ଗଜପତି କପିଳେନ୍ଦ୍ର ଦେବଙ୍କ ଶିଳାଲିପିର ସନ୍ଧାନ
ପୁରୀ: ନିମାପଡ଼ାସ୍ଥିତ ବିଷ୍ଣୁପୁର ଗ୍ରାମରୁ ଗଜପତି କପିଳେନ୍ଦ୍ର ଦେବଙ୍କ ଶିଳାଲିପିର ସନ୍ଧାନ ମିଳିଛି। ଉକ୍ତ ଗ୍ରାମର ସୋମନାଥ ମନ୍ଦିର ନିକଟସ୍ଥ ସଂଗ୍ରହାଳୟରୁ ଅଭିଲେଖ ସମ୍ବଳିତ ଗଜପତି କପିଳେନ୍ଦ୍ର ଦେବଙ୍କ ପ୍ରତିମୂର୍ତ୍ତିର ସନ୍ଧାନ କରାଯାଇଛି। ୨୨ ଜଣ ଚରିତ୍ରଙ୍କୁ ନେଇ ରହିଥିବା ଶିଳା ମୂର୍ତ୍ତିରେ ‘ଏକ ଧାଡ଼ିଆ’ ଶିଳାଲେଖ ଚିହ୍ନଟ ପରେ ଏହାର ପାଠୋଦ୍ଧାର କରାଯାଇଛି। ଓଡ଼ିଶୀ ସଂଗୀତ ଓ ସଂସ୍କୃତି ଗବେଷକ ପ୍ରତୀକ ପଟ୍ଟନାୟକ ଏହି ମୂର୍ତ୍ତି ସମୂହ ମଧ୍ୟରେ ଶିଳାଲେଖ ଚିହ୍ନଟ କରିଥିଲେ। ଏହା ପାଠୋଦ୍ଧାର ଉଦ୍ଦେଶ୍ୟରେ ସେ ପାରଳାଖେମୁଣ୍ଡିର ଲିପିତତ୍ତ୍ବ ଗବେଷକ ବିଷ୍ଣୁମୋହନ ଅଧିକାରୀଙ୍କ ସହଯୋଗ ଲୋଡ଼ିଥିଲେ। ସୂଚନା ମୁତାବକ ଉକ୍ତ ଶିଳାଲେଖର ଧାଡ଼ିକିଆ ବାକ୍ୟଟି ହେଉଛି ‘ଏଠାର ଠାକୁରେ ଅବକାଶ ବିଜେ କରି ଅଛତି’। ଶ୍ରୀ ଅଧିକାରୀଙ୍କ କହିବା ମୁତାବକ, ‘ଏଠାର ଠାକୁର’ର ଅର୍ଥ ସ୍ବୟଂ ଗଜପତି କପିଳେନ୍ଦ୍ର ଦେବଙ୍କ ଉଦ୍ଦେଶ୍ୟରେ ଲେଖାଯାଇଛି। ଗଜପତି ଭ୍ରମଣକାଳୀନ ବିଶ୍ରାମ ନେବା ସ୍ଥିତିରେ ବସିଛନ୍ତି। ଗଜପତିଙ୍କ ନିକଟରେ କିଛି ମୂର୍ତ୍ତି ସେବା ଦେବା ମୁଦ୍ରାରେ ଡମ୍ବରୁ ଆସନରେ ବସିଥିବା ଚିତ୍ରରୁ ସ୍ପଷ୍ଟ ହେଉଛି। ଗଜପତିଙ୍କ ନିକଟରେ ଥିବା ବ୍ୟକ୍ତିବିଶେଷମାନେ ସେବା ଦେଉଥିବା ପାର୍ଷଦ ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *