ହାଇବ୍ରିଡ୍‌ ଆନ୍ୟୁଇଟି ମୋଡ୍‌ (ଏଚଏଏମ) ରେ ନିର୍ମାଣ ହେବାକୁ ଥିବା ଏହି ଗ୍ରୀନଫିଲ୍ଡ୍‌ ଆକ୍ସେସ୍‌-କଣ୍ଟ୍ରୋଲ୍‌ଡ୍‌ ପ୍ରକଳ୍ପ, ବକ୍ସର-ଭାଗଲପୁର ହାଇସ୍ପିଡ୍‌ କରିଡୋରର ଗୁରୁତ୍ୱପୂର୍ଣ୍ଣ ଅଂଶ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ବସିଥିବା ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି, ବିହାରରେ ବକ୍ସର–ଭାଗଲପୁର ହାଇ-ସ୍ପିଡ୍ କରିଡର ଅନ୍ତର୍ଗତ ୪-ଲେନ୍ ଗ୍ରୀନଫିଲ୍ଡ ଆକ୍ସେସ-ନିୟନ୍ତ୍ରିତ ମୋକାମା–ମୁଙ୍ଗର ସେକ୍ସନ ନିର୍ମାଣକୁ ହାଇବ୍ରିଡ୍ ଆନୁଇଟି ମୋଡ୍ (ଏଚଏଏମ୍) ରେ ମଞ୍ଜୁରୀ ଦେଇଛି। ପ୍ରକଳ୍ପର ମୋଟ ଲମ୍ବ ୮୨.୪ କିଲୋମିଟର ହେବା ସହ, ଅନୁମାନିତ ବ୍ୟୟ ୪,୪୪୭.୩୮ କୋଟି ଟଙ୍କା ହେବ।

ଏହି ଅଂଶଟି ମୋକାମା, ବାରହିୟା, ଲଖିସରାଇ, ଜମାଲପୁର, ମୁଙ୍ଗେର ଭଳି ଗୁରୁତ୍ୱପୂର୍ଣ୍ଣ ଆଞ୍ଚଳିକ ସହର ଦେଇ ଗତି କରିବ କିମ୍ବା ସଂଯୋଗ ପ୍ରଦାନ କରିବ, ଯେପରି ଅନୁବନ୍ଧ-୧ ରେ ପ୍ରଦତ୍ତ ମାନଚିତ୍ରରେ ଦର୍ଶାଯାଇଛି।

ପୂର୍ବ ବିହାରର ମୁଙ୍ଗେର–ଜମାଲପୁର–ଭାଗଲପୁର ଅଞ୍ଚଳ ଏବେ ଦ୍ରୁତଗତିରେ ଏକ ପ୍ରମୁଖ ଶିଳ୍ପ କ୍ଷେତ୍ର ଭାବରେ ଉଦୟମାନ ହେଉଛି। ଏହି ବନ୍ଧୁକ କାରଖାନା ସହ, ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ପ୍ରସ୍ତାବିତ ଅସ୍ତ୍ର କାରଖାନା, ଜମାଲପୁରରେ ଥିବା ଲୋକୋମୋଟିଭ୍ କାରଖାନା, ମୁଙ୍ଗେରରେ ଆଇଟିସି ଭଳି ଖାଦ୍ୟ ପ୍ରକ୍ରିୟାକରଣ ଇଉନିଟ୍ ସହିତ ଲଜିଷ୍ଟିକ୍ସ ଏବଂ ଭଣ୍ଡାରଣ କେନ୍ଦ୍ରଗୁଡ଼ିକ ଏହି କ୍ଷେତ୍ରର ଆର୍ଥିକ ଶକ୍ତିକୁ ବଢ଼ାଇଛି। ଭାଗଲପୁରୀ ରେଶମ ଓ ପ୍ରସ୍ତାବିତ ବୟନଶିଳ୍ପ ଇକୋ-ସିଷ୍ଟମ ଫଳରେ ଭାଗଲପୁର ଏକ ପ୍ରମୁଖ ବୟନଶିଳ୍ପ ଏବଂ ଲଜିଷ୍ଟିକ୍ସ ହବ୍ ଭାବରେ ଆଗକୁ ଆସୁଛି। ବାରହିଆ ମଧ୍ୟ ଖାଦ୍ୟ ପ୍ୟାକେଜିଂ, ପ୍ରକ୍ରିୟାକରଣ ଏବଂ କୃଷି-ଗୋଦାମ କେନ୍ଦ୍ର ଭାବରେ ଉଦୟମାନ। ଏହି ଅଞ୍ଚଳରେ ବଢୁଥିବା ଆର୍ଥିକ କାର୍ଯ୍ୟକଳାପ ଆଗାମୀଦିନରେ ମୋକାମା–ମୁଙ୍ଗେର ସେକ୍ସନରେ ମାଲ ପରିବହନ ଏବଂ ଯାତାୟାତକୁ ଆହୁରି ବିସ୍ତାର କରିବ ବୋଲି ଆଶା କରାଯାଉଛି।

ଟୋଲ୍-ଟିକସ ବ୍ୟବସ୍ଥା ସହିତ ୪-ଲେନ୍ ପ୍ରବେଶ ନିୟନ୍ତ୍ରିତ କରିଡରଟି ୧୦୦ କି.ମି./ଘଣ୍ଟା ଡିଜାଇନ୍ ଗତିରେ ପ୍ରସ୍ତୁତ ହୋଇ, ହାରାହାରି ୮୦ କି.ମି./ଘଣ୍ଟା ଯାନବାହନ ଗତିକୁ ସମର୍ଥନ କରିବ। ଏହା ଫଳରେ ଯାତ୍ରା ସମୟ ପ୍ରାୟ ୧.୫ ଘଣ୍ଟା କମିବା ସହ, ଯାତ୍ରୀ ଏବଂ ମାଲବାହୀ ଯାନ ଉଭୟ ପାଇଁ ନିରାପଦ, ଦ୍ରୁତ ଓ ସୁଗମ ସଂଯୋଗ ଉପଲବ୍ଧ ହେବ।

୮୨.୪୦ କିଲୋମିଟର ଲମ୍ବା ଏହି ପ୍ରସ୍ତାବିତ ପ୍ରକଳ୍ପରୁ ପ୍ରାୟ ୧୪.୮୩ ଲକ୍ଷ ମାନବ-ଦିବସର ପ୍ରତ୍ୟକ୍ଷ ନିଯୁକ୍ତି ଏବଂ ୧୮.୪୬ ଲକ୍ଷ ମାନବ-ଦିବସର ପରୋକ୍ଷ ନିଯୁକ୍ତି ସୃଷ୍ଟି ହେବ। ପ୍ରସ୍ତାବିତ କରିଡର ଚାରିପାଖରେ ଆର୍ଥିକ କାର୍ଯ୍ୟକଳାପ ବୃଦ୍ଧି ପାଇବା ଯୋଗୁଁ ଅଧିକ ସଂଖ୍ୟାରେ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି ହେବ ।

Leave a Reply

Your email address will not be published. Required fields are marked *