ଏସବିଆଇରେ ବେତନ ଖାତା ଥିବା ରେଳ କର୍ମଚାରୀଙ୍କୁ ଦୁର୍ଘଟଣା ଜନିତ ମୃତ୍ୟୁ ପାଇଁ ମିଳିବ ୧ କୋଟି ଟଙ୍କାର ବର୍ଦ୍ଧିତ ବୀମା ସୁରକ୍ଷା

ଭାରତର ଦୁଇଟି ପ୍ରତିଷ୍ଠାନ, ବିଶ୍ୱର ସବୁଠୁ ବଡ଼ ରେଳ ନେଟୱର୍କ ମଧ୍ୟରୁ ଅନ୍ୟତମ ଭାରତୀୟ ରେଳବାଇ ଏବଂ ଦେଶର ସବୁଠୁ ବଡ଼ ସରକାରୀ ବ୍ୟାଙ୍କ ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ) ମଧ୍ୟରେ ଆଜି ଏକ ଐତିହାସିକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଏହି ସମାରୋହରେ ରେଳ, ସୂଚନା ଓ ପ୍ରସାରଣ, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ଅଶ୍ୱିନୀ ବୈଷ୍ଣବ, ରେଳ ବୋର୍ଡର ଅଧ୍ୟକ୍ଷ ସତୀଶ କୁମାର ଏବଂ ଏସବିଆଇର ଅଧ୍ୟକ୍ଷ ସି.ଏସ ସେଟ୍ଟୀ ପ୍ରମୁଖ ଉପସ୍ଥିତ ଥିଲେ।

ଏହି ବୁଝାମଣାପତ୍ର ଅଧୀନରେ ଏସବିଆଇରେ ବେତନ ଖାତା ଥିବା ରେଳ କର୍ମଚାରୀଙ୍କ ପାଇଁ ବୀମା ସୁରକ୍ଷାରେ ଉଲ୍ଲେଖନୀୟ ବୃଦ୍ଧି କରାଯାଇଛି। ଦୁର୍ଘଟଣାଜନିତ ଆକସ୍ମିକ ମୃତ୍ୟୁ ସ୍ଥିତିରେ ବୀମା ରାଶିକୁ ବଢ଼ାଇ ୧ କୋଟି ଟଙ୍କା କରି ଦିଆଯାଇଛି। ଅନ୍ୟପକ୍ଷରେ ସିଜିଇଜିଆଇଏସ ଅଧୀନରେ ଆସୁଥିବା ଗ୍ରୁପ୍‌ ଏ, ବି ଏବଂ ସି କର୍ମଚାରୀଙ୍କ ପାଇଁ ବର୍ତ୍ତମାନର ସୁରକ୍ଷା ଯଥାକ୍ରମେ ୧.୨୦ ଲକ୍ଷ ଟଙ୍କା, ୬୦ ହଜାର ଟଙ୍କା ଏବଂ ୩୦ ହଜାର ଟଙ୍କା ରହିଛି ।

ଏହାବ୍ୟତୀତ କେବଳ ଏସବିଆଇରେ ବେତନ ଖାତା ଥିବା ସବୁ ରେଳ କର୍ମଚାରୀଙ୍କୁ ଏବେ ବିନା କୌଣସି ପ୍ରିମିୟମରେ କିମ୍ବା ଡାକ୍ତରୀ ପରୀକ୍ଷା ନକରାଇ ମଧ୍ୟ ୧୦ ଲକ୍ଷ ଟଙ୍କାର ପ୍ରାକୃତିକ ମୃତ୍ୟୁ ଜନିତ ବୀମା ସୁରକ୍ଷା ମିଳିପାରିବ।

ପ୍ରାୟ ୭ ଲକ୍ଷ ରେଳ କର୍ମଚାରୀଙ୍କର ଏସବିଆଇରେ ବେତନ ଖାତା ରହିଥିବା କାରଣରୁ ଏହି ବୁଝାମଣାପତ୍ର କର୍ମଚାରୀ କଲ୍ୟାଣ ଦିଗରେ ଏକ ପ୍ରମୁଖ ପଦକ୍ଷେପ। ଏହା ଭାରତୀୟ ରେଳ ଏବଂ ଏସବିଆଇ ମଧ୍ୟରେ ଏକ ସମ୍ବେଦନଶୀଳ ଏବଂ ମାନବୀୟ ସହଭାଗୀତାକୁ ପ୍ରତିଫଳିତ କରେ।

ଏହି ବୁଝାମଣାପତ୍ର ଅଧୀନରେ କେତେକ ପ୍ରମୁଖ ଅନୁକୂଳ ବୀମା ସୁରକ୍ଷା ମଧ୍ୟ ରହିଛି । ରେଳ କର୍ମଚାରୀଙ୍କୁ ୧.୬ କୋଟି ଟଙ୍କାର ବିମାନ ଦୁର୍ଘଟଣା (ମୃତ୍ୟୁ) ବୀମା ସୁରକ୍ଷା ଏବଂ ରୂପେ ଡେବିଟ୍ କାର୍ଡ ଉପରେ ୧ କୋଟି ଟଙ୍କା ପର୍ଯ୍ୟନ୍ତ ଅତିରିକ୍ତ ବୀମା ସୁରକ୍ଷା ମିଳିବ । ସେହିପରି ୧.୦୦ କୋଟି ଟଙ୍କାର ବ୍ୟକ୍ତିଗତ ଦୁର୍ଘଟଣା (ସ୍ଥାୟୀ ସମ୍ପୂର୍ଣ୍ଣ ଅକ୍ଷମତା) ବୀମା ସୁରକ୍ଷା ଏବଂ ୮୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟକ୍ତିଗତ ଦୁର୍ଘଟଣା (ସ୍ଥାୟୀ ଆଂଶିକ ଅକ୍ଷମତା)ର ବୀମା ସୁରକ୍ଷା ମିଳିବ।

ଦୁଇଟି ଅଗ୍ରଣୀ ସଂସ୍ଥା ମଧ୍ୟରେ ଏହି କର୍ମଚାରୀ କେନ୍ଦ୍ରିତ ବୁଝାମଣା ଦ୍ୱାରା ବିଶେଷ କରି ଗ୍ରୁପ୍ ସି’ ଏବଂ ଅନ୍ୟ ଛାମୁଆଁ ରେଳ କର୍ମଚାରୀମାନେ ବିଶେଷ ଲାଭ ପାଇପାରିବେ।

Leave a Reply

Your email address will not be published. Required fields are marked *