ଖେଲୋ ଇଣ୍ଡିଆ ଜଳକ୍ରୀଡା ମହୋତ୍ସବରେ ମଧ୍ୟପ୍ରଦେଶ, ଓଡ଼ିଶା ଏବଂ କେରଳ ଶ୍ରେଷ୍ଠ ତିନୋଟି ରାଜ୍ୟ ଭାବରେ ଉଭା ହୋଇଛନ୍ତି

ଜାମ୍ମୁକାଶ୍ମୀର ଶ୍ରୀନଗରସ୍ଥିତ ଡାଲ୍‌ ହ୍ରଦରେ ଆୟୋଜିତ ପ୍ରଥମ ଖେଲୋ ଇଣ୍ଡିଆ ଜଳ କ୍ରୀଡ଼ା ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି। ଖେଲୋ ଇଣ୍ଡିଆ ଜଳକ୍ରୀଡା ମହୋତ୍ସବରେ ମଧ୍ୟପ୍ରଦେଶ, ଓଡ଼ିଶା ଏବଂ କେରଳ ଶ୍ରେଷ୍ଠ ତିନୋଟି ରାଜ୍ୟ ଭାବରେ ଉଭା ହୋଇଛନ୍ତି। ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) ଏବଂ ଜାମ୍ମୁ ଓ କାଶ୍ମୀର କ୍ରୀଡ଼ା ପରିଷଦର ମିଳିତ ଆନୁକୂଲ୍ୟରେ ଏହି ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ପ୍ରଥମ ଥର ପାଇଁ ଆୟୋଜିତ ହେଉଥିବା ଏହି ଜାତୀୟ ସ୍ତରର ପ୍ରତିଯୋଗିତା ଦେଶର ଜଳ କ୍ରୀଡ଼ା କ୍ଷେତ୍ରରେ ଏକ ନୂଆ ଇତିହାସ ରଚିଛି ।

ଏଥିରେ ଭାଗ ନେଇଥିବା ଖେଳାଳୀ ଓ ପ୍ରଶିକ୍ଷକମାନେ ଆଗାମୀ ଲସ୍‌ ଏଞ୍ଜେଲ୍ସ ଅଲିମ୍ପିକ୍ସ ୨୦୨୮ ପାଇଁ ଯଥେଷ୍ଟ ଅଭିଜ୍ଞତା ହାସଲ କରିଥିବା କହିଛନ୍ତି। ପ୍ରତିଯୋଗିତାରେ ଖେଳାଳୀମାନେ ମୋଟ୍‌ ୨୪ଟି ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ। ଏଥିମଧ୍ୟରୁ ୧୦ଟି ସ୍ୱର୍ଣ୍ଣ କେବଳ ରୋଇଂ ଖେଳରୁ ମିଳିଛି । ପ୍ରତିଯୋଗିତାରେ କାୟାକିଙ୍ଗ, କୋଚିଂ, ରୋଇଂ ଆଦି ବର୍ଗରେ ମୁକାବିଲା ହୋଇଥିଲା। ଭୋପାଳ ଏବଂ କେରଳର ଆଲାପୁଝା ସ୍ଥିତ ଜଳ କ୍ରୀଡ଼ା କେନ୍ଦ୍ରରେ ତାଲିମ ନେଇଥିବା ଖେଳାଳୀମାନେ ଏଠାରେ ଭଲ ପ୍ରଦର୍ଶନ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

ସେହିପରି ଓଡ଼ିଶାର ଜଗତପୁରସ୍ଥିତ ସାଇ କେନ୍ଦ୍ରରେ ତାଲିମ ନେଉଥିବା ରସ୍ମିତା ସାହୁ, ବିଦ୍ୟା ଦେବୀ ଓଇନମ୍ ଏବଂ ଶ୍ରୁତି ତାନାଜୀ ଚୌଗୁଲେଙ୍କ ପରି ପ୍ରତିଭାବାନ ଖେଳାଳୀ ମଧ୍ୟ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି । ସାରା ଭାରତରେ ପାଞ୍ଚଟି ସାଇ କେନ୍ଦ୍ରରେ ତାଲିମ ନେଉଥିବା କାୟାକର ଏବଂ କାନୋଇଷ୍ଟଙ୍କ ପ୍ରଦର୍ଶନ ଉଲ୍ଲେଖନୀୟ ଥିଲା। ୪୭ ଜଣ ସାଇ ଆଥଲେଟ୍ ପାଞ୍ଚଟି ସ୍ୱର୍ଣ୍ଣ, ସାତଟି ରୌପ୍ୟ ଏବଂ ତିନୋଟି କାଂସ୍ୟ ପଦକ ଜିତିଥିଲେ। ଏହି ପ୍ରତିଯୋଗିତାରେ ଜଗତପୁର ସାଇ କେନ୍ଦ୍ରର ୧୫ଜଣ ଖେଳାଳୀ ଭାଗ ନେଇ ତିନୋଟି ସ୍ୱର୍ଣ୍ଣ ଏବଂ ପାଞ୍ଚଟି ରୌପ୍ୟ ସହିତ ସର୍ବୋତ୍ତମ ପ୍ରଦର୍ଶନ କରିଥିଲେ।

ନୂଆ କ୍ରୀଡ଼ା ନୀତି ଅଧୀନରେ ଖେଳାଳୀମାନଙ୍କୁ ସୁଧାର ପାଇଁ ସୁଯୋଗ ଦେବା ଲାଗି ଖେଲୋ ଇଣ୍ଡିଆ ଜଳ କ୍ରୀଡ଼ା ମହୋତ୍ସବ ଯୁଗାନ୍ତକାରୀ ହେବ। ଏହା ଟାର୍ଗେଟ୍‌ ଅଲିମ୍ପିକ୍ସ ପୋଡିୟମ(ଟପ୍ସ) ଏବଂ ଟାର୍ଗେଟ ଏସୀୟ ଗେମ୍ସ ଗ୍ରୁପ (ଟିଏଜିଜି) ଯୋଜନା ମାଧ୍ୟମରେ ସରକାରଙ୍କ ସମର୍ଥନକୁ ଆଉ ପାଦେ ଆଗେଇ ନେଇଛି। ଏହି ପ୍ରତିଯୋଗିତାରୁ ମିଳିଥିବା ଅନୁଭୂତି ଆସନ୍ତା ବର୍ଷ ଜାପାନରେ ହେବାକୁ ଥିବା ଏସୀୟ ଗେମ୍ସରେ ବିଶେଷ ସହାୟକ ହୋଇପାରିବ ।

କେବଳ କାୟାକିଂ ଏବଂ କାନୋଇଂରେ ଅଲିମ୍ପିକ୍ସ ଏବଂ ଏସୀୟ କ୍ରୀଡାରେ ୩୦ରୁ ଅଧିକ ସ୍ୱର୍ଣ୍ଣ ପଦକ ଜିତିବାର ସୁଯୋଗ ରହିଛି । ଭାରତ ନିଶ୍ଚିତ ଭାବରେ ଏହି ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ପଦକ ଜିତିବା ବିଷୟରେ ଚିନ୍ତା କରିପାରିବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ଓଡ଼ିଶା ଏବଂ କେରଳରେ ସାଇ ଜାତୀୟ ଉତ୍କର୍ଷ କେନ୍ଦ୍ର ସହିତ ଜଡିତ ପ୍ରଶିକ୍ଷକମାନେ ଏହି ପ୍ରତିଯୋଗିତାକୁ ନେଇ ଉତ୍ସାହ ପ୍ରକାଶ କରିଛନ୍ତି ।

ଜଗତପୁରର ପ୍ରଶିକ୍ଷକ ଲାଇଶରମ ଜନସନ ସିଂହ କହିଛନ୍ତି ଯେ ଓଡ଼ିଶାର ପ୍ରଦର୍ଶନ ଭାରତର ଜଳକ୍ରୀଡା ପରିଦୃଶ୍ୟରେ ପରିବର୍ତ୍ତନର ସଙ୍କେତ ଦେଉଛି। ଏହା ଓଡ଼ିଶାର ପାଇଁ କେବଳ ଆରମ୍ଭ। ପ୍ରତିଭା ପୁଲ ଗଭୀର ଏବଂ ଅଧିକ ନିବେଶ ଓ ସମର୍ଥନ ସହିତ ଆମେ ଶୀଘ୍ର ନେତୃତ୍ୱ ନେବୁ। 

Leave a Reply

Your email address will not be published. Required fields are marked *