ସେମିକନ୍ ଇଣ୍ଡିଆ ଆତ୍ମନିର୍ଭର ଭାରତ ପାଇଁ ସେମିକଣ୍ଡକ୍ଟର ଇକୋସିଷ୍ଟମରେ ସହଯୋଗକୁ ପ୍ରୋତ୍ସାହିତ କରି ଭବିଷ୍ୟତର ଜଟିଳ ଚ୍ୟାଲେଞ୍ଜଗୁଡ଼ିକୁ ମୁକାବିଲା କରିବ

ସେମିକନ୍ ଇଣ୍ଡିଆ ୨୦୨୫ର ଚତୁର୍ଥ ସଂସ୍କରଣକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୨ ସେପ୍ଟେମ୍ବର ୨୦୨୫ରେ ନୂଆଦିଲ୍ଲୀର ଯଶୋଭୂମି (ଭାରତୀୟ ଅନ୍ତର୍ଜାତୀୟ ସମ୍ମିଳନୀ ଏବଂ ଏକ୍ସପୋ ସେଣ୍ଟର)ଠାରେ ଆନୁଷ୍ଠାନିକ ଭାବରେ ଉଦଘାଟନ କରିବେ। ଭାରତକୁ ଏକ ବିଶ୍ୱସ୍ତରୀୟ ସେମିକଣ୍ଡକ୍ଟର ମହାଶକ୍ତି ଭାବରେ ସ୍ଥାନିତ କରିବା ଲାଗି ସେମିକନ୍ ଇଣ୍ଡିଆ ୨୦୨୫ର ଚଳିତ ସଂସ୍କରଣରେ ପ୍ରମୁଖ ବିଶ୍ୱ ନେତା, ସେମିକଣ୍ଡକ୍ଟର ଶିଳ୍ପ ବିଶେଷଜ୍ଞ, ଶିକ୍ଷାବିତ୍, ସରକାରୀ ଅଧିକାରୀ ଏବଂ ଛାତ୍ରଛାତ୍ରୀଙ୍କ ସମେତ ପ୍ରମୁଖ ଅଂଶୀଦାରମାନେ ସାମିଲ ହେବେ।

ସେମିକନ୍ ଇଣ୍ଡିଆ କାର୍ଯ୍ୟକ୍ରମ ଅଧୀନରେ ଭାରତର ସେମିକଣ୍ଡକ୍ଟର ଯାତ୍ରା ଦୃଢ଼ ଗତି ହାସଲ କରିଛି। ଏପର୍ଯ୍ୟନ୍ତ, ଭାରତ ସରକାର ରଣନୀତିକ ଗୁରୁତ୍ୱ କ୍ଷେତ୍ରରେ ୧୦ଟି ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି, ଯେଉଁଥିରେ ଉଚ୍ଚ-ଭଲ୍ୟୁମ୍ ଫେବ୍ରିକେସନ୍ ୟୁନିଟ୍ (ଫ୍ୟାବ୍ସ), ଥ୍ରୀଡି ହେଟେରୋଜେନିୟସ୍ ପ୍ୟାକେଜିଂ, କମ୍ପାଉଣ୍ଡ ସେମିକଣ୍ଡକ୍ଟର (ସିଲିକନ୍ କାର୍ବାଇଡ୍ – ଏସଆଇସି ସମେତ), ଏବଂ ଆଉଟସୋର୍ସଡ୍ ସେମିକଣ୍ଡକ୍ଟର ଆସେମ୍ବଲି ଏବଂ ପରୀକ୍ଷଣ (ଓଏସଏଟି) ଅନ୍ତର୍ଭୁକ୍ତ। ଏହି ପ୍ରକଳ୍ପଗୁଡ଼ିକ ବିଶ୍ୱସ୍ତରୀୟ ସେମିକଣ୍ଡକ୍ଟର ମୂଲ୍ୟ ଶୃଙ୍ଖଳାରେ ଭାରତର ସ୍ଥିତିକୁ ସୁଦୃଢ଼ ​​କରିବାରେ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ।

ସେମିକଣ୍ଡକ୍ଟରଗୁଡ଼ିକୁ ଏକ ଆଧାର ଶିଳ୍ପ ଭାବରେ ମାନ୍ୟତା ଦେଇ, ସରକାର ୨୮୦ରୁ ଅଧିକ ଶିକ୍ଷାନୁଷ୍ଠାନ ଏବଂ ୭୨ଟି ଷ୍ଟାର୍ଟ-ଅପ୍‌କୁ ଅତ୍ୟାଧୁନିକ ଡିଜାଇନ୍ ଉପକରଣ ପ୍ରଦାନ କରିଛନ୍ତି। ଏହାସହିତ ଗବେଷଣା, ନବସୃଜନ ଏବଂ ଡିଜାଇନ୍‌କୁ ସମର୍ଥନ କରୁଛନ୍ତି। ସେହିପରି ଡିଜାଇନ୍ ଲିଙ୍କ୍ଡ୍ ଇନସେଣ୍ଟିଭ୍ (ଡିଏଲଆଇ) ଯୋଜନା ଅଧୀନରେ ୨୩ଟି ଷ୍ଟାର୍ଟ-ଅପ୍‌କୁ ଅନୁମୋଦନ କରାଯାଇଛି । ଏହା ଭାରତୀୟ ଉଦ୍ଭାବକମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ପ୍ରୟୋଗ ଉପରେ କାର୍ଯ୍ୟ କରିବାକୁ ସକ୍ଷମ କରିଥାଏ। ଏହି ପଦକ୍ଷେପଗୁଡ଼ିକ ମାଧ୍ୟମରେ, ଭାରତ କ୍ଲୋଜଡ୍‌-ସର୍କିଟ୍ ଟେଲିଭିଜନ (ସିସିଟିଭି), ନାଭିଗେସନ୍ ସିଷ୍ଟମ୍, ମୋଟର କଣ୍ଟ୍ରୋଲର୍‌, କମ୍ୟୁନିକେସନ ଚିପ୍ସ ଏବଂ ମାଇକ୍ରୋପ୍ରୋସେସର ୟୁନିଟ୍ ଭଳି ପ୍ରୟୋଗ ପାଇଁ ସେମିକଣ୍ଡକ୍ଟର ଡିଜାଇନ୍ ଏବଂ ନିର୍ମାଣ କରିବାର କ୍ଷମତା ବିକାଶ କରିବା ଦିଗରେ ଭଲ ଭାବରେ ଅଗ୍ରଗତି କରୁଛି। ଏହି ପ୍ରୟାସଗୁଡ଼ିକ ଆତ୍ମନିର୍ଭର ଭାରତର ଦୃଷ୍ଟିକୋଣ ସହିତ ଦେଶରେ ଏକ ଦୃଢ଼ ଓ ସାମଗ୍ରିକ ସେମିକଣ୍ଡକ୍ଟର ଇକୋସିଷ୍ଟମ୍ ନିର୍ମାଣ କରିବାରେ ଏକ ନିର୍ଣ୍ଣାୟକ ପଦକ୍ଷେପ ।

ସେମିକଣ୍ଡକ୍ଟର ଶିଳ୍ପ ଏବଂ ଇଣ୍ଡିଆ ସେମିକଣ୍ଡକ୍ଟର ମିଶନ (ଆଇଏସଏମ) କୁ ପ୍ରୋତ୍ସାହିତ କରୁଥିବା ବିଶ୍ୱ ଶିଳ୍ପ ସଂଘ- ସେମି ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଆଜି ନୂଆଦିଲ୍ଲୀରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେମିକନ୍ ଇଣ୍ଡିଆ ୨୦୨୫ ପାଇଁ କାର୍ଯ୍ୟକ୍ରମ ଘୋଷଣା କରିଛି।

‘‘ପରବର୍ତ୍ତୀ ସେମିକଣ୍ଡକ୍ଟର ମହାଶକ୍ତି ନିର୍ମାଣ’’ ବିଷୟବସ୍ତୁ ଅଧୀନରେ, ଏହି କାର୍ଯ୍ୟକ୍ରମ ୬ଟି ଦେଶର ରାଉଣ୍ଡ ଟେବୁଲ ବୈଠକ ସହିତ ଫ୍ୟାବ୍ସ, ଆଡଭାନ୍ସଡ୍ ପ୍ୟାକେଜିଂ, ସ୍ମାର୍ଟ ଉତ୍ପାଦନ, ଏଆଇ, ଯୋଗାଣ ଶୃଙ୍ଖଳା ପରିଚାଳନା, ଦୀର୍ଘସ୍ଥାୟୀତ୍ୱ, ଶ୍ରମଶକ୍ତି ବିକାଶ, ଡିଜାଇନ୍ ଏବଂ ଷ୍ଟାର୍ଟ ଅପ୍ ଭଳି ପ୍ରମୁଖ କ୍ଷେତ୍ରଗୁଡ଼ିକରେ ବିଚାରବିମର୍ଶ କରାଯିବ।

ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ସଚିବ ଏସ କ୍ରିଷ୍ଣନ କହିଛନ୍ତି, ସେମିକନ୍ ଇଣ୍ଡିଆ ପ୍ରଦର୍ଶନୀରେ ବିଶ୍ୱସ୍ତରୀୟ ସେମିକଣ୍ଡକ୍ଟର ମୂଲ୍ୟ ଶୃଙ୍ଖଳାରୁ ପ୍ରାୟ ୩୫୦ଜଣ ପ୍ରଦର୍ଶକ ସାମିଲ ହେବେ । ଏଥିରେ ୬ଟି ଦେଶର ଗୋଲଟେବୁଲ, ୪ଟି ଦେଶର ପାଭିଲିୟନ୍, ୯ଟି ରାଜ୍ୟର ଅଂଶଗ୍ରହଣ ଏବଂ ୧୫ ହଜାରରୁ ଅଧିକ ଆଶାୟୀ ପରିଦର୍ଶକ ସାମିଲ ହେବେ। ଏହା ସେମିକଣ୍ଡକ୍ଟର ଏବଂ ଇଲେକ୍ଟ୍ରୋନିକ୍ସ ଶିଳ୍ପରେ ସଦ୍ୟତମ ପ୍ରଗତି ପ୍ରଦର୍ଶନ ପାଇଁ ଦକ୍ଷିଣ ଏସିଆର ଏକମାତ୍ର ବୃହତ୍ତମ ପ୍ଲାଟଫର୍ମ ପ୍ରଦାନ କରିବ।

ସେମିର ସଭାପତି ଏବଂ ସିଇଓ ଅଜିତ ମନୋଚା କହିଛନ୍ତି, ବିଶ୍ୱସ୍ତରୀୟ ଇଲେକ୍ଟ୍ରୋନିକ୍ସ ଡିଜାଇନ୍ ଏବଂ ଉତ୍ପାଦନ ଯୋଗାଣ ଶୃଙ୍ଖଳାରେ ଆମର ସଦସ୍ୟ କମ୍ପାନୀଗୁଡ଼ିକର ମିଳିତ ବିଶେଷଜ୍ଞତା ଏବଂ କ୍ଷମତାକୁ ସେମିକନ ଇଣ୍ଡିଆରେ ପ୍ରଦର୍ଶିତ କରାଯିବ । ଏହା ଭାରତର ସେମିକଣ୍ଡକ୍ଟର ଇକୋସିଷ୍ଟମ ସମ୍ପ୍ରସାରଣ ଏବଂ ଶିଳ୍ପ ଯୋଗାଣ ଶୃଙ୍ଖଳା ସ୍ଥିରତାକୁ ଆଗକୁ ବଢ଼ାଇବାରେ ସାହାଯ୍ୟ କରିବ ।

ସେହିପରି ମନ୍ତ୍ରଣାଳୟର ଅତିରିକ୍ତ ସଚିବ ତଥା ଆଇଏସଏମର ସିଇଓ ଅମିତେଷ କୁମାର କହିଛନ୍ତି, ଏହି କାର୍ଯ୍ୟକ୍ରମ ଚିନ୍ତାଧାରା, ସହଯୋଗ ଏବଂ ନବସୃଜନର ଏକ ଉଲ୍ଲେଖନୀୟ ସମନ୍ୱୟ। ଏହା ସେମିକଣ୍ଡକ୍ଟର ଇକୋସିଷ୍ଟମରେ ସହଯୋଗକୁ ପ୍ରୋତ୍ସାହିତ କରିବା ସହିତ ଭବିଷ୍ୟତ ଜଟିଳ ଚ୍ୟାଲେଞ୍ଜଗୁଡ଼ିକୁ ମୁକାବିଲା କରିବା ପାଇଁ ଅନନ୍ୟ ସୁଯୋଗ ପ୍ରଦାନ କରିବ।

ସେମି ଇଣ୍ଡିଆ ଏବଂ ଆଇଇଏସଏର ଅଧ୍ୟକ୍ଷ ଅଶୋକ ଚଣ୍ଡକ କହିଛନ୍ତି, ଭାରତର ସେମିକଣ୍ଡକ୍ଟର ଶିଳ୍ପ ଦ୍ରୁତ ଗତିରେ ବିକଶିତ ହେଉଥିବା ବେଳେ ସେମିକନ୍‌ ଇଣ୍ଡିଆ ୨୦୨୫ ବିଭିନ୍ନ ଅଂଶୀଦାରଙ୍କ ମଧ୍ୟରେ ସହଯୋଗ ଏବଂ ସମନ୍ୱୟ ପାଇଁ ବୋ ଗୁରୁତ୍ୱପୂର୍ଣ୍ଣ ହେବ । ଏହି କାର୍ଯ୍ୟକ୍ରମରେ ବିଶ୍ୱର ବହୁ ଅଗ୍ରଣୀ କମ୍ପାନୀ ଅଂଶଗ୍ରହଣ କରିବେ ।

ଏଥିରେ ଭାଗ ନେବା ପାଇଁ ପଞ୍ଜୀକରଣ ଖୋଲା ରହିଛି ଏବଂ semiconindia.org ୱେବସାଇଟରେ ପଞ୍ଜୀକରଣ କରାଯାଇପାରିବ। ସେମିକନ୍‌ ଇଣ୍ଡିଆ ହେଉଛି ସେମି ଦ୍ୱାରା ବିଶ୍ୱବ୍ୟାପୀ ଆୟୋଜିତ ଆଠଟି ବାର୍ଷିକ ସେମିକନ୍‌ ପ୍ରଦର୍ଶନୀ ମଧ୍ୟରୁ ଅନ୍ୟତମ ଯାହା ବିଶ୍ୱ ସେମିକଣ୍ଡକ୍ଟର ଡିଜାଇନ୍ ଏବଂ ଉତ୍ପାଦନ ଇକୋସିଷ୍ଟମରେ କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ଅଗ୍ରଣୀ ବିଶେଷଜ୍ଞମାନଙ୍କୁ ଏକତ୍ରିତ କରିଥାଏ। ସେମି ହେଉଛି ଏକ ବିଶ୍ୱସ୍ତରୀୟ ଶିଳ୍ପ ସଂଘ ଯାହା ସେମିକଣ୍ଡକ୍ଟର ଏବଂ ଇଲେକ୍ଟ୍ରୋନିକ୍ସ ଡିଜାଇନ୍ ଓ ଉତ୍ପାଦନ ଯୋଗାଣ ଶୃଙ୍ଖଳାରେ ୩ ହଜାରରୁ ଅଧିକ ସଦସ୍ୟ କମ୍ପାନୀ ଏବଂ ୧.୫ ନିୟୁତ ପେସାଦାରଙ୍କୁ ସଂଯୋଗ କରୁଛି। ସେହିପରି ଇଣ୍ଡିଆ ସେମିକଣ୍ଡକ୍ଟର ମିଶନ (ଆଇଏସଏମ) ହେଉଛି ଭାରତ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଅଧୀନରେ ଏକ ସ୍ୱାଧୀନ ପ୍ରତିଷ୍ଠାନ। ଏହା ଭାରତରେ ଏକ ସ୍ଥାୟୀ ଏବଂ ବିଶ୍ୱସ୍ତରୀୟ ପ୍ରତିଯୋଗିତାମୂଳକ ସେମିକଣ୍ଡକ୍ଟର ଏବଂ ଡିସପ୍ଲେ ଉତ୍ପାଦନ ଇକୋସିଷ୍ଟମ ବିକଶିତ କରିବା ପାଇଁ ସେମିକନ୍ ଇଣ୍ଡିଆ କାର୍ଯ୍ୟକ୍ରମର ନୋଡାଲ୍ ଏଜେନ୍ସି।

Leave a Reply

Your email address will not be published. Required fields are marked *