ଭୋଟର ତାଲିକା ଓ ଭୋଟ ଦାନକୁ ଏକାଠି କରି ରାହୁଲ ନିର୍ବାଚନ ଆୟୋଗଙ୍କ ବିରୋଧରେ ଯେଉଁ ଅଭିଯୋଗ କରିଛନ୍ତି ତାହା ଭିତ୍ତିହୀନ। ବିହାରରେ ହୋଇଥିବା ଏସଆଇଆର ସମ୍ପୂର୍ଣ୍ଣ ଭାବେ ସ୍ବଚ୍ଛ ଭାବେ କରାଯାଇଛି। ଚିଠା ଭୋଟର ତାଲିକାକୁ ନେଇ ବିିଭିନ୍ନ ପ୍ରକାର ଗୁଜବ ପ୍ରଚାର କରାଯାଉଛି ବୋଲି ସିଇସି କହିଛନ୍ତି। ନିର୍ବାଚନ ଆୟୋଗ ଶାସକ ଓ ବିରୋଧୀ ଦଳ ମଧ୍ୟରେ କୌଣସି ପ୍ରଭେଦ ଦେଖନ୍ତି ନାହିଁ।ଲୋକସଭା ବିରୋଧୀ ଦଳ ନେତା ତଥା କଂଗ୍ରେସ ନେତା ରାହୁଲ ଗାନ୍ଧୀ ଉଠାଇଥିବା ‘ଭୋଟ ଚୋରି’ ଅଭିଯୋଗକୁ ନେଇ ନିର୍ବାଚନ ଆୟୋଗ କଠୋର ମନୋଭାବ ପୋଷଣ କରିଛନ୍ତି। ରବିବାର ନୂଆଦିଲ୍ଲୀରେ ମୁଖ୍ୟ ନିର୍ବାଚନ ଆୟୁକ୍ତ (ସିଇସି) ଜ୍ଞାନେଶ କୁମାର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ରାହୁଲ ନିର୍ବାଚନ ଆୟୋଗଙ୍କ ବିରୋଧରେ ଯେଉଁ ଭୋଟ ଚୋରି ଅଭିଯୋଗ ଆଣିଛନ୍ତି ତା’ର ପ୍ରମାଣ ସହିତ ସତ୍ୟପାଠ ୭ଦିନ ମଧ୍ୟରେ ଦେବେ। ଅନ୍ୟଥା ତାଙ୍କ ଅଭିଯୋଗକୁ ମିଥ୍ୟା ବୋଲି ବିବେଚନା କରାଯିବ। ଆଉ ଏହି ମିଥ୍ୟା ଅଭିଯୋଗ ପାଇଁ ରାହୁଲ ଦେଶବାସୀଙ୍କୁ କ୍ଷମା ମାଗିବେ। ନିଜର ଅଭିଯୋଗ ପାଇଁ ରାହୁଲଙ୍କ ପାଖରେ ଏବେ ଦୁଇଟି ବିକଳ୍ପ ରହିଛି ଗୋଟିଏ ହେଲା ଅଭିଯୋଗର ପ୍ରମାଣ ସହିତ ସତ୍ୟପାଠ ଦାଖଲ। ଦ୍ବିତୀୟ ବାଟ ହେଉଛି ଦେଶବାସୀଙ୍କୁ କ୍ଷମାପ୍ରାର୍ଥନା। ସିଇସି ଜ୍ଞାନେଶ କୁମାର କହିଛନ୍ତି ଯେ ଲୋକସଭା ଓ ବିଭିନ୍ନ ବିଧାନସଭା ନିର୍ବାଚନରେ ଭୋଟ ଚୋରି ହୋଇଥିବା ନେଇ ରାହୁଲ ଯେଉଁ ଅଭିଯୋଗ କରିଛନ୍ତି ତାହା ଭିତ୍ତିହୀନ। କୌଣସି ସ୍ଥାନରେ ଭୋଟ ଚୋରି ହୋଇ ନାହିଁ। ରାହୁଲଙ୍କ ଅଭିଯୋଗ ଦେଶର ସମ୍ବିଧାନ ପ୍ରତି ଏକ ଅପମାନ। ଏହା ଦେଶର ଗଣତାନ୍ତ୍ରିକ ପ୍ରକ୍ରିୟାକୁ ନୀଚ କରିଛି। ଲୋକେ ସତ କ’ଣ ଜାଣିସାରିଛନ୍ତି। ରାହୁଲ ନିର୍ବାଚନ ଆୟୋଗଙ୍କ ତଥ୍ୟକୁ ହେରଫେର କରି ଭୋଟ ଚୋରି ଅଭିଯୋଗ ଆଣିଛନ୍ତି।