ରକ୍ଷା ବନ୍ଧନରେ ଜୟପୁରରେ ସୁଭଦ୍ରା ପାଇଁ ଭବ୍ୟ ଆୟୋଜନା । ଏକ କୋଟିରୁ ଅଧିକ ମହିଳାଙ୍କ ଆକାଉଣ୍ଟକୁ ଗଲା ତୃତୀୟ କିସ୍ତି ଟଙ୍କା । ପୂର୍ବରୁ ବାଦ ପଡ଼ିଥିବା କୋଟିଆର ୨୪୦ ମହିଳାଙ୍କ ଆକାଉଣ୍ଟକୁ ଏକାଥରକେ ଯାଇଛି ୧୫ ହଜାର ଲେଖାଁଏ ଟଙ୍କା । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ଅନେକ ମହିଳାଙ୍କ ଜୀବନରେ ପ୍ରଗତି ଓ ପରିବର୍ତ୍ତନର ନୂଆ ଅଧ୍ୟାୟ ସୃଷ୍ଟି କରିଛି ସୁଭଦ୍ରା । ଲକ୍ଷପତି ଦିଦି ସୃଷ୍ଟି କରିବାରେ ଓଡ଼ିଶା ହାସଲ କରିଛି ଦେଶରେ ପ୍ରଥମ ସ୍ଥାନ ।
ଅବିଭକ୍ତ କୋରାପୁଟ ଜିଲ୍ଲାର ବିକାଶ ପାଇଁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଢାଞ୍ଚାରେ ଦକ୍ଷିଣ ଓଡିଶା ବିକାଶ ପରିଷଦ କାର୍ଯ୍ୟକରିବ ବୋଲି କହିଥିଲେ ମୁଖମନ୍ତ୍ରୀ । ଅବିଭକ୍ତ କୋରାପୁଟର ବିକାଶ ପାଇଁ ୬୪୩୬ କୋଟିର ପ୍ୟାକେଜ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ଜୟପୁରରୁ ଭୁବନେଶ୍ୱର, ବନ୍ଦେ ଭାରତ ଏକ୍ସପ୍ରେସ ଚାଲିବା ସହ ଜୟପୁର ସ୍ଥିତ ପେପର ମିଲର ପୁନଃଉଦ୍ଧାର ପାଇଁ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ।
ଜୟପୁରରେ ଆୟୋଜିତ କାର୍ଯ୍ୟକ୍ରମରେ ୨ ଉପମୁଖ୍ୟମନ୍ତ୍ରୀଙ୍କ ସହ ଅନେକ ମନ୍ତ୍ରୀ, ସାଂସଦ ଓ ବିଧାୟକ ଯୋଗ ଦେଇଥିଲେ । ରାଜ୍ୟର ବିଭିନ୍ନ ସ୍ଥାନରେ ସୁଭଦ୍ରାର ତୃତୀୟ କିସ୍ତି ସହାୟତା ରାଶି ପାଇଁ ଆୟୋଜିତ ହୋଇଥିଲା ସମାବେଶ । ବାରିପଦାରୁ ବୌଦ୍ଧ, ଭଦ୍ରକରୁ ଭବାନୀପାଟଣା, ଗଜପତିରୁ ଝାରସୁଗୁଡା, ମନ୍ତ୍ରୀ ବିଧାୟକ ଓ ଜିଲ୍ଲାପାଳ ମାନେ ସାମିଲ ହୋଇଥିଲେ ସୁଭଦ୍ରା ସମାବେଶରେ ।
ଶନିବାର ସୁଭଦ୍ରାର ତୃତୀୟ କିସ୍ତି ମହିଳାଙ୍କ ଖାତାକୁ ଯିବା ପରେ ସରକାର ପୁଣି ଖୋଲୁଛନ୍ତି ସୁଭଦ୍ରା ପୋର୍ଟାଲ । ୨୧ ବର୍ଷ ହୋଇଥିବା ଯୁବତୀ କରିପାରିବେ ଆବେଦନ । ୨ ଲକ୍ଷ ବାଦ ପଡ଼ିଥିବା ହିତାଧିକାରୀଙ୍କୁ ଯୋଡ଼ିବା ପାଇଁ ଆଉ ଥରେ ବି ହେବ ସର୍ଭେ । ସେହିପରି ୯୩ ହଜାର ହିତାଧିକାରୀଙ୍କୁ ୬୦ ବର୍ଷ ହୋଇଥିବାରୁ ସାମାଜିକ ଓ ସୁରକ୍ଷା ବିଭାଗକୁ ତାଙ୍କ ଲିଷ୍ଟ ପଠେଇ ଦିଆଯାଇଛି । ଭତ୍ତା ପାଇଁ ସେମାନଙ୍କୁ ଆଉ ଆବେଦନ କରିବାକୁ ପଡ଼ିବ ନାହିଁ ।