ବାଂଲାଦେଶ ମୁକ୍ତି ସଂଗ୍ରାମର  ଏକ ଘଟଣାବଳିକୁ ମନେପକାଇ ପାକିସ୍ତାନକୁ ବାସ୍ତବତା ସଂପର୍କରେ ଚେତାଇ ଦେଇଛି ଭାରତୀୟ ସେନା 

ଆଜିର ଦିନ’ ଶୀର୍ଷକ ଏକ ପୋଷ୍ଟରେ ବୁଧବାର ଭାରତୀୟ ସେନାବାହିନୀର ଇଷ୍ଟର୍ଣ୍ଣ କମାଣ୍ଡ ପକ୍ଷରୁ ୬ ଅଗଷ୍ଟ ୧୯୭୧ ମସିହାର ଏକ ଖବରକାଗଜର କ୍ଲିପିଂକୁ ସେୟାର କରାଯାଇଛି। ଏଥିରେ ଯୁଦ୍ଧ ପାଇଁ ପାକିସ୍ତାନର ପ୍ରସ୍ତୁତି ଏବଂ ବର୍ମା ସହିତ ବାୟୁସେନା ସହଯୋଗ ନେଇ ଚୁକ୍ତି ସମ୍ପର୍କିତ ଶୀର୍ଷକ ରହିଛି। ଆଉ ଏକ ପୋଷ୍ଟରେ ବାଂଲାଦେଶ (ସେତେବେଳର ପୂର୍ବ ପାକିସ୍ତାନ)ରୁ ‘ଆଉ ଜଣେ କୂଟନୀତିଜ୍ଞଙ୍କ ପ୍ରସ୍ଥାନ’ ସମ୍ପର୍କିତ ଶୀର୍ଷକ ରହିଛି। 
ମୁକ୍ତି ସଂଗ୍ରାମ ଯୋଗୁଁ ବାଂଲାଦେଶରେ ବ୍ୟାପକ ଆନ୍ଦୋଳନ ଏବଂ ଅଶାନ୍ତି ଦେଖାଦେଇଥିଲା। ଏହି ସମୟରେ ପାକିସ୍ତାନ ପୂର୍ବ ପାକିସ୍ତାନ ଉପରୁ ଏହାର ନିୟନ୍ତ୍ରଣ ହରାଉଥିବାବେଳେ ସେଠାରେ ଅସ୍ଥିରତା ସୃଷ୍ଟି ହୋଇଥିଲା। ପାକିସ୍ତାନକୁ ପ୍ରବଳ ବିରୋଧ କରୁଥିଲେ ସ୍ଥାନୀୟ ଲୋକ। କିନ୍ତୁ ପାକିସ୍ତାନ ଏଥିରୁ କିଛି ଶିଖିବା ପରିବର୍ତ୍ତେ ଭାରତ ସହ ଯୁଦ୍ଧ ପାଇଁ କିପରି ଜୋରଦାର ପ୍ରସ୍ତୁତି କରୁଥିଲା ତାହା ଭାରତୀୟ ସେନା ପକ୍ଷରୁ ଦର୍ଶାଯାଇଛି। ସୂଚନାଯୋଗ୍ୟ, ଭାରତ-ପାକିସ୍ତାନ ମଧ୍ୟରେ ୩ ଡିସେମ୍ବରରେ ଯୁଦ୍ଧ ଆରମ୍ଭ ହୋଇଥିଲାବେଳେ ଏହା ଦୁଇ ସପ୍ତାହରୁ କମ୍ ଚାଲିଥିଲା। ଡିସେମ୍ବର ୧୬ରେ ଯୁଦ୍ଧର ପରିସମାପ୍ତି ଘଟିଥିଲା। ୯୩ ହଜାର ପାକ୍ ସେନା ଭାରତ ଆଗରେ ଆତ୍ମସମର୍ପଣ କରିଥିଲେ। ଦ୍ବିତୀୟ ବିଶ୍ବଯୁଦ୍ଧ ପରେ ଏହା ସର୍ବବୃହତ ଆତ୍ମସମର୍ପଣ ଥିଲା। 
ଏହାପୂର୍ବରୁ ମଙ୍ଗଳବାର ସେନା ପକ୍ଷରୁ ୧୯୭୧ ଯୁଦ୍ଧର ଏକ କ୍ଲିପ୍ ସେୟାର କରି ଆମେରିକା କିପରି ପାକିସ୍ତାନକୁ ସମର୍ଥନ କରିଥିଲା ତାହା ଦର୍ଶାଯାଇଥିଲା। ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣା ଓ ଭାରତର କାର୍ଯ୍ୟାନୁଷ୍ଠାନ ସୂରୂପ ‘ଅପରେସନ ସିନ୍ଦୁର’ କାର୍ଯ୍ୟକାରୀ କରାଯିବା  ପରେ ପାକିସ୍ତାନ ପ୍ରତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅହେତୁକ ଦରଦ ନେଇ ଭାରତ ଚେତାଇ ଦେଇଛି।

Leave a Reply

Your email address will not be published. Required fields are marked *