ବ୍ୟବସାୟିକ ସୁଗମତା ଏବଂ ଭାରତର ନୌପରିବହନ କ୍ଷେତ୍ରକୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବା ଲାଗି ରାଜ୍ୟ ସଭାରେ ‘ସାମୁଦ୍ରିକ ମାଲ୍‌ ପରିବହନ ବିଲ୍‌ ୨୦୨୫’ ଗୃହୀତ

ଏକ ଐତିହାସିକ ଘଟଣାକ୍ରମରେ, ବୁଧବାର ସଂସଦରେ ଦୁଇଟି ଐତିହାସିକ ସାମୁଦ୍ରିକ ବିଲ ଗୃହୀତ ହୋଇଛି । ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରଣାଳୟ ପାଇଁ ପ୍ରଥମ ଥର ଲାଗି ଏହି ଦୁଇଟି ଗୁରୁତ୍ୱପୂର୍ଣ୍ଣ ବିଲକୁ ଅନୁମୋଦନ ମିଳିଛି । ଏହା ଭାରତରେ ଏକ ଆଧୁନିକ, ଦକ୍ଷ ଏବଂ ବିଶ୍ୱସ୍ତରୀୟ ସମନ୍ୱିତ ସାମୁଦ୍ରିକ ନୀତିଗତ ଢାଞ୍ଚା ପାଇଁ ପଥ ପ୍ରଶସ୍ତ କରିଛି। ଲୋକସଭା ‘ବାଣିଜ୍ୟିକ ଜାହାଜ ଚଳାଚଳ ବିଲ୍, ୨୦୨୫’କୁ ମଞ୍ଜୁରୀ ଦେଇଛି। ଏହାର ଲକ୍ଷ୍ୟ ହେଉଛି ଏକ ଆଧୁନିକ ଓ ଅନ୍ତର୍ଜାତୀୟ ସ୍ତରରେ ଅନୁପାଳିତ ଆଭିମୁଖ୍ୟ ସହିତ ସାମୁଦ୍ରିକ ପ୍ରଶାସନକୁ ସୁଗମ କରିବା। ଅନୁରୂପ ଭାବେ ରାଜ୍ୟସଭାରେ ‘ସାମୁଦ୍ରିକ ମାଲ ପରିବହନ ବିଲ୍, ୨୦୨୫ ଗୃହୀତ ହୋଇଛି । ନୂଆ ବିଲ୍‌ ଶତାଧିକ ବର୍ଷ ପୁରୁଣା ଉପନିବେଶବାଦୀ ଯୁଗର ଆଇନ ପରିବର୍ତ୍ତେ କାର୍ଯ୍ୟକାରୀ ହେବ ଏବଂ ବ୍ୟବସାୟିକ ସୁଗମତା ପ୍ରୋତ୍ସାହିତ କରିବ। ଭାରତର ଜାହାଜ ପରିବହନ କ୍ଷେତ୍ରକୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବା ଲାଗି ଏହି ଆଇନରେ ବ୍ୟାପକ ସଂଶୋଧନ ଓ ପରିବର୍ତ୍ତନ କରାଯାଇଛି ।

ଏହି ଅବସରରେ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରୀ ଶ୍ରୀ ସର୍ବାନନ୍ଦ ସୋନୱାଲ କହିଛନ୍ତି, ଆଜି ମନ୍ତ୍ରଣାଳୟରେ ଆମ ସମସ୍ତଙ୍କ ପାଇଁ ଏକ ଐତିହାସିକ ଦିନ। ସଂସଦରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ଆଇନ – ବାଣିଜ୍ୟିକ ଜାହାଜ ଚଳାଚଳ ବିଲ୍, ୨୦୨୫ ଏବଂ ସାମୁଦ୍ରିକ ମାଲ୍‌ ପରିବହନ ବିଲ୍, ୨୦୨୫କୁ ଅନୁମୋଦନ ମିଳିଛି । ଏହା ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନୀତିଗତ ଏବଂ କାର୍ଯ୍ୟଗତ ଭାବରେ ଭାରତର ସାମୁଦ୍ରିକ କ୍ଷେତ୍ରକୁ ଆଧୁନିକୀକରଣ କରିବା ଦୃଷ୍ଟିକୋଣକୁ ପ୍ରଭାବଶାଳୀ ଭାବରେ ସମର୍ଥନ କରିଛି। ଆଜି, ଏହି ଦୁଇଟି ବିଲ୍ ପାସ ହେବା ସହିତ ଭାରତର ଆଧୁନିକ ଜାହାଜ ଚଳାଚଳ ପାଇଁ ମୋଦୀ ସରକାରଙ୍କ ପ୍ରୟାସକୁ ସଂସଦରୁ ଦ୍ୱିଗୁଣିତ ସମର୍ଥନ ମିଳିଛି।

ବାଣିଜ୍ୟିକ ଜାହାଜ ଚଳାଚଳ ବିଲ୍, ୨୦୨୫ ଏକ ପ୍ରଗତିଶୀଳ, ଭବିଷ୍ୟତ ପାଇଁ ପ୍ରସ୍ତୁତ ଆଇନ। ଏହା ୧୯୫୮ର ପୁରୁଣା ବାଣିଜ୍ୟିକ ଜାହାଜ ଆଇନ ପରିବର୍ତ୍ତେ କାର୍ଯ୍ୟକାରୀ ହେବ। ଏହି ବିଲ୍ ଭାରତର ସାମୁଦ୍ରିକ ଆଇନଗତ ଢାଞ୍ଚାକୁ ବିଶ୍ୱ ମାନଦଣ୍ଡ ସହିତ ସମନ୍ୱିତ କରିବା ଏବଂ ଏକ ବିଶ୍ୱସ୍ତ ସାମୁଦ୍ରିକ ବାଣିଜ୍ୟ କେନ୍ଦ୍ର ଭାବରେ ଦେଶର ସ୍ଥିତିକୁ ସୁଦୃଢ଼ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।

ଲୋକସଭାରେ ବାଣିଜ୍ୟିକ ଜାହାଜ ଚଳାଚଳ ବିଲ୍, ୨୦୨୫ ଉପସ୍ଥାପନ କରି କେନ୍ଦ୍ର ମନ୍ତ୍ରୀ ଶ୍ରୀ ସର୍ବାନନ୍ଦ ସୋନୱାଲ କହିଛନ୍ତି, ଏହି ବିଲ୍ ସାମୁଦ୍ରିକ ବାଣିଜ୍ୟ ଏବଂ ପ୍ରଶାସନରେ ଭାରତକୁ ଏକ ବିଶ୍ୱସ୍ତରୀୟ ଅଗ୍ରଣୀ ରାଷ୍ଟ୍ର ଭାବରେ ସ୍ଥାନିତ କରିବା ଦିଗରେ ଏକ ନିର୍ଣ୍ଣାୟକ ପଦକ୍ଷେପ। ଏହା ଏକ ପ୍ରଗତିଶୀଳ ଓ ଉନ୍ନତ ଆଇନ, ଯାହା ଅନ୍ତର୍ଜାତୀୟ ସାମୁଦ୍ରିକ ଚୁକ୍ତିନାମା ଅନୁରୂପ ଏବଂ ପ୍ରମୁଖ ସାମୁଦ୍ରିକ ରାଷ୍ଟ୍ରଗୁଡ଼ିକର ସର୍ବୋତ୍ତମ ଅଭ୍ୟାସକୁ ଏଥିରେ ପ୍ରବର୍ତ୍ତନ କରାଯାଇଛି।

ସେ କହିଛନ୍ତି, ଏହି ବିଲ୍ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଗତ ୧୧ ବର୍ଷ ମଧ୍ୟରେ କରାଯାଇଥିବା ପ୍ରମୁଖ ଆଇନଗତ ସଂସ୍କାରର ଏକ ଅଂଶ, ଯାହା ଜାହାଜ ଚଳାଚଳ ଏବଂ ସାମୁଦ୍ରିକ କ୍ଷେତ୍ରରେ ଦୃଢ଼ ଅଭିବୃଦ୍ଧିକୁ ସକ୍ଷମ କରିବା ଲକ୍ଷ୍ୟରେ କରାଯାଇଛି। ଏହି ସଂସ୍କାରଗୁଡ଼ିକ ଦକ୍ଷତା, ସ୍ୱଚ୍ଛତା ଏବଂ ବିଶ୍ୱସ୍ତରୀୟ ପ୍ରତିଯୋଗିତାକୁ ଉଲ୍ଲେଖନୀୟ ଭାବରେ ବୃଦ୍ଧି କରିଛି। ଏକ ଆଧୁନିକ ତଥା ସଂଶୋଧିତ ଢାଞ୍ଚାର ଆବଶ୍ୟକତା ଉପରେ ଆଲୋକପାତ କରି ମନ୍ତ୍ରୀ କହିଥିଲେ, ୫୬୧ଟି ଧାରା ସହିତ ବାଣିଜ୍ୟିକ ଜାହାଜ ଚଳାଚଳ ଆଇନ ୧୯୫୮ ଏକ ଭାରୀ, ବିଖଣ୍ଡିତ ଏବଂ ପୁରୁଣା ଆଇନରେ ହୋଇଗଲାଣି। ଏହା ସମସାମୟିକ ସାମୁଦ୍ରିକ ଆହ୍ୱାନର ସମାଧାନ କରିବାରେ କିମ୍ବା ଅନେକ ପ୍ରମୁଖ ଅନ୍ତର୍ଜାତୀୟ ସାମୁଦ୍ରିକ ସଂଗଠନ (ଆଇଏମଓ) ସମ୍ମିଳନୀ ଅଧୀନରେ ଭାରତର ଦାୟିତ୍ୱକୁ ପୂର୍ଣ୍ଣ ଭାବରେ କାର୍ଯ୍ୟକାରୀ କରିବାରେ ବିଫଳ ହୋଇଛି।

ଶ୍ରୀ ସର୍ବାନନ୍ଦ ସୋନୱାଲ ଆହୁରି କହିଛନ୍ତି, ୧୬ଟି ଭାଗ ଏବଂ ୩୨୫ ଧାରା ସହିତ ବାଣିଜ୍ୟିକ ଜାହାଜ ଚଳାଚଳ ବିଲ୍‌, ୨୦୨୫, ଅନ୍ତର୍ଜାତୀୟ ସମ୍ମିଳନୀ ସହିତ ସମନ୍ୱୟ ସ୍ଥାପନ, ସମୁଦ୍ରରେ ସୁରକ୍ଷା ବୃଦ୍ଧି, ଜରୁରୀକାଳୀନ ପ୍ରତିକ୍ରିୟାରେ ଉନ୍ନତି ଏବଂ ପରିବେଶ ସୁରକ୍ଷା ସୁନିଶ୍ଚିତ କରି ଭାରତର ସାମୁଦ୍ରିକ ଆଇନଗତ ଢାଞ୍ଚାକୁ ଆଧୁନିକୀକରଣ କରେ। ଏହା ଅନୁପାଳନ ବୋଝକୁ ହ୍ରାସ କରେ, ଭାରତୀୟ ଟନେଜକୁ ପ୍ରୋତ୍ସାହିତ କରିଥାଏ। ସେହିପରି ନାବିକ କଲ୍ୟାଣ ଏବଂ ଜାହାଜ ସୁରକ୍ଷାକୁ ପ୍ରାଥମିକତା ଦିଏ। ଏହି ବିଲ୍ ଭାରତକୁ ବିଶ୍ୱସ୍ତରୀୟ ସମ୍ମାନଜନକ ସାମୁଦ୍ରିକ କ୍ଷେତ୍ରାଧିକାରରେ ପରିଣତ କରିବା ଏବଂ ଏହି କ୍ଷେତ୍ରରେ ସ୍ଥାୟୀ ଅଭିବୃଦ୍ଧି, ନିବେଶ ଏବଂ ନବସୃଜନକୁ ଆବିଷ୍କାର କରିବାକୁ ଲକ୍ଷ୍ୟ ରଖିଛି।

ଅନ୍ୟପକ୍ଷରେ, ରାଜ୍ୟସଭାରେ ଆଜି ସାମୁଦ୍ରିକ ମାଲ ପରିବହନ ବିଲ୍, ୨୦୨୫ ଗୃହୀତ ହୋଇଛି। ଏହା ଗୋଟିଏ ଶତାବ୍ଦୀ ପୁରୁଣା ଭାରତୀୟ ସମୁଦ୍ର ଦ୍ୱାରା ସାମଗ୍ରୀ ପରିବହନ ଆଇନ, ୧୯୨୫କୁ ସ୍ଥାନରେ କାର୍ଯ୍ୟକାରୀ ହେବ । ନୂତନ ଆଇନ ପୁରୁଣା ଉପନିବେଶବାଦୀ ଯୁଗର ଆଇନଗୁଡ଼ିକୁ ଉଚ୍ଛେଦ କରିବ । ବ୍ୟବସାୟିକ ସୁଗମତାକୁ ଉନ୍ନତ କରିବା ପାଇଁ ବିଶ୍ୱସ୍ତରୀୟ ସର୍ବୋତ୍ତମ ଅଭ୍ୟାସ ଅନୁକୂଳ ହେବା ସହିତ ଏହା ଭାରତର ଆଇନଗତ ଢାଞ୍ଚାକୁ ଆଧୁନିକୀକରଣ କରିବା ପାଇଁ ସରକାରଙ୍କ ବ୍ୟାପକ ପ୍ରୟାସର ଏକ ଅଂଶବିଶେଷ ପାଲଟିବ।

ଏହି ବିଲ୍ ହେଗ୍-ଭିସବି ନିୟମକୁ ଗ୍ରହଣ କରିଥାଏ। ଏହା ଏକ ଏକ ବିଶ୍ୱସ୍ତରୀୟ ଗୃହୀତ ସାମୁଦ୍ରିକ ମାନକ ଯାହାକୁ ବ୍ରିଟେନ ଭଳି ଦେଶମାନେ ମଧ୍ୟ ଅନୁସରଣ କରନ୍ତି। ଜଟିଳତାକୁ ସ୍ପଷ୍ଟତାରେ ବଦଳାଇ, ଏହି ଆଇନ ସାମୁଦ୍ରିକ ବାଣିଜ୍ୟ ଆଇନକୁ ସରଳ କରିବ। ମାମଲା ଦାୟର ବିପଦ ହ୍ରାସ କରିବ ଏବଂ ସମୁଦ୍ର ପଥରେ ମାଲ ପରିବହନରେ ସ୍ୱଚ୍ଛତା ଓ ବାଣିଜ୍ୟିକ ଦକ୍ଷତା ବୃଦ୍ଧି କରିବ ବୋଲି ଆଶା କରାଯାଉଛି। ଏହି ବିଲ୍ ରାଜ୍ୟସଭାରେ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଶାନ୍ତନୁ ଠାକୁରଙ୍କ ଦ୍ୱାରା ଆଗତ କରାଯାଇଥିଲା।

ଏହି ଅବସରରେ କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଶାନ୍ତନୁ ଠାକୁର କହିଛନ୍ତି, ସମ୍ବିଧାନ-ପୂର୍ବ ସମୟର ଆଇନକୁ ଉଚ୍ଛେଦ କରି ସେହି ସ୍ଥାନରେ ନୂତନ ଆଇନ କାର୍ଯ୍ୟକାରୀ କରାଯିବ। ସମସ୍ତ ପ୍ରକାରର ଉପନିବେଶବାଦୀ ମାନସିକତାରୁ ମୁକ୍ତି ପାଇବା ଏବଂ ସରଳ ଓ ଯୁକ୍ତିଯୁକ୍ତ ଆଇନ ମାଧ୍ୟମରେ ସହଜ ବୁଝାମଣା ତଥା ବ୍ୟବସାୟିକ ସୁଗମତା ସୁନିଶ୍ଚିତ କରିବା ପାଇଁ ସରକାରଙ୍କର ଏକ ବୃହତ ପଦକ୍ଷେପର ଏହା ଏକ ଅଂଶବିଶେଷ। ଏହି ବିଲ୍ କେବଳ ଏକ ବୈଧାନିକ ସଂସ୍କାର ନୁହେଁ – ଏହା  ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ପ୍ରଶାସନର ଏକ ବ୍ୟାପକ ଦର୍ଶନକୁ ପ୍ରତିଫଳିତ କରିଥାଏ। ନୂଆ ବିଲ୍‌ ଜଟିଳତାକୁ ସ୍ପଷ୍ଟତା ସହିତ, ପୁରୁଣା ମାନଦଣ୍ଡକୁ ଆଧୁନିକ ମାନଦଣ୍ଡ ସହିତ ଏବଂ ଉପନିବେଶବାଦୀ ଅବଶିଷ୍ଟାଂଶକୁ ଭବିଷ୍ୟତ-ପ୍ରସ୍ତୁତ ଆଇନ ସହିତ ବଦଳାଇବ।

ଏହି ବିଲ୍ ଭାରତର ସାମୁଦ୍ରିକ ବାଣିଜ୍ୟ ଆଇନକୁ ଭବିଷ୍ୟତ ପାଇଁ ପ୍ରସ୍ତୁତ ଏବଂ ଅନ୍ତର୍ଜାତୀୟ ବାଣିଜ୍ୟ ଚୁକ୍ତି ସହିତ ସୁସଙ୍ଗତ କରିବା ଲାଗି ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏଥିରେ ବ୍ରିଟେନ ସହିତ ବ୍ୟାପକ ଆର୍ଥିକ ଏବଂ ବାଣିଜ୍ୟ ଚୁକ୍ତି (ସିଇଟିଏ) ଅନ୍ତର୍ଭୁକ୍ତ। ଏହି ଆଇନ ଚଳିତ ବର୍ଷ ମାର୍ଚ୍ଚ ୨୮ ତାରିଖରେ ଲୋକସଭାରେ ଗୃହୀତ କରାଯାଇଥିଲା। ରାଜ୍ୟସଭା ଆଲୋଚନା ସମୟରେ, ସଦସ୍ୟମାନେ ସାମୁଦ୍ରିକ ସୁରକ୍ଷା ଓ ଚୋରାଚାଲାଣ ବିପଦ ସମେତ ବିଭିନ୍ନ ପ୍ରସଙ୍ଗ ଉଠାଇଥିଲେ। ବୈଧାନିକ ଏବଂ ପରିଚାଳନାଗତ ସୁରକ୍ଷା ଜରିଆରେ ଏହାର ସମାଧାନ କରାଯାଉଥିବା ସରକାର ଆଶ୍ୱାସନା ଦେଇଥିଲେ। ଏହି ବିଲ୍ ସଂସଦର ଉଭୟ ଗୃହରେ ବ୍ୟାପକ ଦ୍ୱିପାକ୍ଷିକ ସମର୍ଥନ ପାଇଥିଲା।

Leave a Reply