ଏକାଦଶ ଜାତୀୟ ହସ୍ତତନ୍ତ ଦିବସ ଅବସରରେ ୭ ଅଗଷ୍ଟ ୨୦୨୫ରେ, ବୟନ ମନ୍ତ୍ରଣାଳୟ ଭାରତର ହସ୍ତତନ୍ତ କ୍ଷେତ୍ରର ସଫଳତାକୁ ଉତ୍ସବ ଆକାରରେ ପାଳନ କରିବ। ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗଦେବେ। ଏହି ଅବସରରେ ବୟନ ମନ୍ତ୍ରୀ ଶ୍ରୀ ଗିରିରାଜ ସିଂହ, କେନ୍ଦ୍ର ବୈଦେଶିକ ବ୍ୟାପାର ଏବଂ ବୟନ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ପବିତ୍ର ମାର୍ଗେରିଟା, ଶ୍ରୀମତୀ ନୀଲମ ଶାମି ରାଓ, ସଚିବ (ବୟନ) ଏବଂ ଡକ୍ଟର ଏମ୍. ବୀଣା, ବିକାଶ କମିଶନର (ହସ୍ତତନ୍ତ) ଉପସ୍ଥିତ ରହିବେ।
ସେମାନଙ୍କ ବ୍ୟତୀତ, ବିଦେଶୀ କ୍ରେତା, ବିଶିଷ୍ଟ ବ୍ୟକ୍ତିବିଶେଷ, ରପ୍ତାନିକାରୀ, ବରିଷ୍ଠ ସରକାରୀ ଅଧିକାରୀ ଇତ୍ୟାଦି ଉପରୋକ୍ତ କାର୍ଯ୍ୟକ୍ରମରେ ଯୋଗଦେବେ। ସାରା ଦେଶରୁ ପ୍ରାୟ ୬୫୦ ଜଣ ବୁଣାକାର ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ।
ହସ୍ତତନ୍ତ ପୁରସ୍କାରର ସାରାଂଶ
ହସ୍ତତନ୍ତ ଶିଳ୍ପରେ ଉତ୍କର୍ଷତାକୁ ସମ୍ମାନିତ କରିବା, କାରିଗରୀ, ନବସୃଜନ ଏବଂ ଏହି କ୍ଷେତ୍ରର ବିକାଶର ଅବଦାନରେ ମାନଦଣ୍ଡ ସ୍ଥାପନ କରିଥିବା ବ୍ୟକ୍ତି ବିଶେଷ ଏବଂ ସଂଗଠନକୁ ସମ୍ମାନିତ କରିବା ହେଉଛି ଏହି ପୁରସ୍କାର ଗୁଡ଼ିକର ଲକ୍ଷ୍ୟ।
ସନ୍ଥ କବୀର ହସ୍ତତନ୍ତ ପୁରସ୍କାର
ଏହି ପୁରସ୍କାର ବୟନ କ୍ଷେତ୍ରର ପ୍ରଗତିରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ଦେଇଥିବା ଉଚ୍ଚକୋଟୀର ହସ୍ତତନ୍ତ ବୁଣାକାରମାନଙ୍କୁ ସ୍ୱୀକୃତି ପ୍ରଦାନ କରେ। ଯୋଗ୍ୟ ବୁଣାକାରମାନେ ଜାତୀୟ କିମ୍ବା ରାଜ୍ୟ ସ୍ତରୀୟ ପୁରସ୍କାର, ଜାତୀୟ ଯୋଗ୍ୟତା ପ୍ରମାଣପତ୍ର ପ୍ରାପ୍ତକର୍ତା ହୋଇ ପାରନ୍ତି, କିମ୍ବା ବୟନ ପରମ୍ପରା, ସମାଜ କଲ୍ୟାଣ ଏବଂ କ୍ଷେତ୍ର ବିକାଶକୁ ପ୍ରୋତ୍ସାହିତ ଏବଂ ସଂରକ୍ଷଣ କରିବାରେ ଅସାଧାରଣ ଦକ୍ଷତା ଏବଂ ଅବଦାନ ପାଇଁ ସ୍ୱୀକୃତି ପାଇଥାଇପାରନ୍ତି।
ପୁରସ୍କାର ଆକାରରେ ପ୍ରଦାନ କରାଯାଏ :
- ନଗଦ ପୁରସ୍କାର: ୩.୫ ଲକ୍ଷ ଟଙ୍କା
- ସୁନା ମୁଦ୍ରା (ଆଚ୍ଛାଦିତ)
- ତାମ୍ର ପତ୍ର (ପ୍ରମାଣପତ୍ର)
- ଶାଲ
- ସ୍ୱୀକୃତି ପ୍ରମାଣପତ୍ର
ଜାତୀୟ ହସ୍ତତନ୍ତ ପୁରସ୍କାର :
ଜାତୀୟ ହସ୍ତତନ୍ତ ପୁରସ୍କାର ଅସାଧାରଣ କାରିଗରୀ, ନିଷ୍ଠା ଏବଂ ନବସୃଜନ ସହିତ ବୁଣାକାରମାନଙ୍କ ଉତ୍କର୍ଷତାକୁ ସ୍ଵୀକୃତି ପ୍ରଦାନ କରିଥାଏ। ଏହା ବୁଣାକାରମାନଙ୍କୁ ସେମାନଙ୍କର ଉତ୍କୃଷ୍ଟ କାର୍ଯ୍ୟ ଜାରି ରଖିବା ଏବଂ ଏହି କ୍ଷେତ୍ରରେ ଅନ୍ୟମାନଙ୍କୁ ପ୍ରେରଣା ଦେବା ପାଇଁ ପ୍ରୋସଆାହିତ କରିବାର ଲକ୍ଷ୍ୟ ରଖେ।
ପୁରସ୍କାର ଆକାରରେ ପ୍ରଦାନ କରାଯାଏ :
- ନଗଦ ପୁରସ୍କାର: ୨.୦୦ ଲକ୍ଷ ଟଙ୍କା
- ତାମ୍ର ପତ୍ର
- ଶାଲ
- ସ୍ୱୀକୃତି ପ୍ରମାଣପତ୍ର
- ପୁରସ୍କାରପ୍ରାପ୍ତ ବୁଣାକାରଙ୍କ ମଧ୍ୟରେ ୬ ଜଣ ମହିଳା (୦୧ ସନ୍ଥ କବୀର, ୦୫ ଜାତୀୟ ହସ୍ତତନ୍ତ ପୁରସ୍କାର), ୦୧ ଦିବ୍ୟାଙ୍ଗ (ଜାତୀୟ ହସ୍ତତନ୍ତ ପୁରସ୍କାର) ରହିଛନ୍ତି
- ପୁରସ୍କାରପ୍ରାପ୍ତ ହସ୍ତତନ୍ତ ବୁଣାକାରଙ୍କ ସଂଗ୍ରହର ସ୍ୱତନ୍ତ୍ର ପ୍ରଦର୍ଶନୀ
- ଏନଆଇଏଫଟି ମୁମ୍ବାଇ ଦ୍ୱାରା କଫି ଟେବୁଲ୍ ପୁସ୍ତକର ଉନ୍ମୋଚନ
- ହସ୍ତତନ୍ତ କ୍ଷେତ୍ର ପାଇଁ ଯୋଜନା ଗୁଡ଼ିକ ସମ୍ପର୍କରେ ସୂଚନା ଦେବା ଲାଗି ସୁବିଧା ଡେସ୍କ
ହସ୍ତତନ୍ତ କ୍ଷେତ୍ର ଭାରତର ଗ୍ରାମୀଣ ଅର୍ଥନୀତି ଏବଂ ସାଂସ୍କୃତିକ ପରିଚୟର ଏକ ସ୍ତମ୍ଭ ହୋଇ ରହିଛି। ଏହି କ୍ଷେତ୍ର ୭୦% ରୁ ଅଧିକ ମହିଳାଙ୍କ ସମେତ ୩୫ ଲକ୍ଷରୁ ଅଧିକ ଲୋକଙ୍କୁ ନିଯୁକ୍ତି ପ୍ରଦାନ କରିବା ସହିତ ସ୍ଥାୟୀ ବିକାଶ, ମହିଳା ସଶକ୍ତିକରଣ ଏବଂ ପରିବେଶ ଅନୁକୂଳ ଉତ୍ପାଦନର ଏକ ଆଲୋକବର୍ତ୍ତିକା ପାଲଟିଛି।
ଅଗଷ୍ଟ ୭ ତାରିଖରେ ଆରମ୍ଭ ହୋଇଥିବା ସ୍ୱଦେଶୀ ଆନ୍ଦୋଳନ ସ୍ୱଦେଶୀ ଶିଳ୍ପଗୁଡ଼ିକୁ ଏବଂ ବିଶେଷ ଭାବରେ ହସ୍ତତନ୍ତ ବୁଣାକାରମାନଙ୍କୁ ଉତ୍ସାହିତ କରିଥିଲା। ୨୦୧୫ ମସିହାରେ, ଭାରତ ସରକାର ଏହି ଗୁରୁତ୍ୱପୂର୍ଣ୍ଣ ଅବସରକୁ ସ୍ମରଣ କରି ଅଗଷ୍ଟ ୭ ତାରିଖକୁ ଜାତୀୟ ହସ୍ତତନ୍ତ ଦିବସ ଭାବରେ ଘୋଷଣା କରିଥିଲେ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ୭ ଅଗଷ୍ଟ ୨୦୧୫ ରେ ଚେନ୍ନାଇରେ ପ୍ରଥମ ଜାତୀୟ ହସ୍ତତନ୍ତ ଦିବସ ପାଳନ କରାଯାଇଥିଲା। ଏହି ଦିନ, ଭାରତର ସାମାଜିକ – ଆର୍ଥିକ ବିକାଶରେ ଏହି କ୍ଷେତ୍ରର ଅବଦାନକୁ ଗୁରୁତ୍ଵ ପ୍ରଦାନ କରି ହସ୍ତତନ୍ତ ବୁଣାକାର ସମ୍ପ୍ରଦାୟ ପ୍ରତି ସମ୍ମାନ ପ୍ରଦର୍ଶନ କରାଯାଇଥିଲା।
ଜାତୀୟ ହସ୍ତତନ୍ତ ଦିବସ ହେଉଛି କୁଶଳୀ ହାତ ଏବଂ ସୃଜନଶୀଳ ଭାବନାର ଏକ ଉତ୍ସବ ଯାହା ଭାରତୀୟ ହସ୍ତତନ୍ତକୁ ଏକ କାଳଜୟୀ ଐତିହ୍ୟ କରିଥାଏ।