ସୃଜନଶୀଳ ସ୍ୱାଧୀନତା ପାଇଁ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ସଂକଳ୍ପବଦ୍ଧ ରହିଥିବା କହିଛନ୍ତି କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ। ଆଜି ଲୋକସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି, ସୃଜନଶୀଳ ସ୍ୱାଧୀନତା ସମେତ ଅଭିବ୍ୟକ୍ତିର ସ୍ୱାଧୀନତା ସମ୍ବିଧାନର ଧାରା ୧୯ ଜରିଆରେ ସୁରକ୍ଷିତ ରଖାଯାଇଛି । ଓଟିଟି ପ୍ଲାଟଫର୍ମରେ କ୍ଷତିକାରକ କଣ୍ଟେଣ୍ଟ୍ ବା କାର୍ଯ୍ୟକ୍ରମ ଓ ବିଷୟବସ୍ତୁଗୁଡ଼ିକର ନକାରାତ୍ମକ ପ୍ରଭାବକୁ ଦୂର କରିବା ପାଇଁ, ସରକାର ଆଇଟି ଆଇନ, ୨୦୦୦ ଅନ୍ତର୍ଗତ ୨୫.୦୨.୨୦୨୧ରେ ସୂଚନା ପ୍ରଯୁକ୍ତିବିଦ୍ୟା (ମଧ୍ୟସ୍ଥି ମାର୍ଗଦର୍ଶିକା ଏବଂ ଡିଜିଟାଲ୍ ମିଡିଆ, ନୀତି କୋଡ୍) ନିୟମ, ୨୦୨୧କୁ ଅଧିସୂଚିତ କରିଛନ୍ତି। ଏହି ନିୟମର ଭାଗ-୩ରେ ଡିଜିଟାଲ୍ ନ୍ୟୁଜ୍ ପ୍ରକାଶକ ଏବଂ ଅନଲାଇନରେ ଉପସ୍ଥାପିତ କଣ୍ଟେଣ୍ଟ (ଓଟିଟି ପ୍ଲାଟଫର୍ମ) ପ୍ରକାଶକଙ୍କ ପାଇଁ ଏକ ଆଚାର ସଂହିତା ପ୍ରଦାନ କରାଯାଇଛି । ଏହି ନିୟମ ଅ୍ରନୁଯାୟୀ, ଓଟିଟି ପ୍ଲାଟଫର୍ମଗୁଡ଼ିକ ବର୍ତ୍ତମାନ ପାଇଁ ଆଇନ ଦ୍ୱାରା ନିଷିଦ୍ଧ କୌଣସି ବିଷୟବସ୍ତୁ ବା କାର୍ଯ୍ୟକ୍ରମ ପ୍ରସାରଣ କରିପାରିବେ ନାହିଁ ।
ଏହି ସବୁ ନିୟମରେ ଏକ ତ୍ରିସ୍ତରୀୟ ଅଭିଯୋଗ ସମାଧାନ ବ୍ୟବସ୍ଥା ମଧ୍ୟ ପ୍ରଦାନ କରାଯାଇଛି। ପ୍ରଥମ ସ୍ତରରେ ପ୍ରକାଶକମାନଙ୍କ ଦ୍ୱାରା ସ୍ୱନିୟନ୍ତ୍ରଣ, ଦ୍ୱିତୀୟ ସ୍ତରରେ ପ୍ରକାଶକମାନଙ୍କର ସଂସ୍ଥାଗୁଡ଼ିକ ଦ୍ୱାରା ସ୍ୱନିୟନ୍ତ୍ରଣ ଏବଂ ତୃତୀୟ ସ୍ତରରେ କେନ୍ଦ୍ର ସରକାରଙ୍କ ଦ୍ୱାରା ନିରୀକ୍ଷଣ ବ୍ୟବସ୍ଥା ପାଇଁ ନିୟମ ରହିଛି । ମନ୍ତ୍ରଣାଳୟକୁ ମିଳିଥିବା ଅଭିଯୋଗଗୁଡ଼ିକୁ ଆଇଟି ନିୟମ, ୨୦୨୧ ଅନୁଯାୟୀ ସମାଧାନ ପାଇଁ ସମ୍ପୃକ୍ତ ଓଟିଟି ପ୍ଲାଟଫର୍ମଗୁଡ଼ିକୁ ପଠାଯାଏ। ସମ୍ପୃକ୍ତ ମନ୍ତ୍ରଣାଳୟଗୁଡ଼ିକ ସହିତ ଉପଯୁକ୍ତ ପରାମର୍ଶ ପରେ, ସରକାର ଅଶ୍ଳୀଳ ବିଷୟବସ୍ତୁ ବା କାର୍ଯ୍ୟକ୍ରମ ପ୍ରଦର୍ଶନ କରିବା ପାଇଁ ୪୩ଟି ଓଟିଟି ପ୍ଲାଟଫର୍ମକୁ ବନ୍ଦ କରିଛନ୍ତି।
ସରକାରୀ ବିଜ୍ଞାପନ ସଂକ୍ରାନ୍ତରେ ମଧ୍ୟ ଭିନ୍ନ ନିୟମ ରହିଛି । କେନ୍ଦ୍ର ସଞ୍ଚାର ବ୍ୟୁରୋ ଖବରକାଗଜ, ଟିଭି/ରେଡିଓ, ବାହ୍ୟ, ଡିଜିଟାଲ୍ ମିଡିଆ ଇତ୍ୟାଦି ସମେତ ବିଭିନ୍ନ ଗଣମାଧ୍ୟମ ପ୍ଲାଟଫର୍ମରେ ଭାରତ ସରକାରଙ୍କ ବିଜ୍ଞାପନ ଜାରି କରେ। ଉଦ୍ଦେଶ୍ୟ ଆଧାରିତ ବାର୍ତ୍ତାର ବ୍ୟାପକ ପ୍ରସାର ସୁନିଶ୍ଚିତ କରିବା ପାଇଁ, ପ୍ରିଣ୍ଟ, ଅଡିଓ-ଭିଜୁଆଲ୍, ଡିଜିଟାଲ୍, ବାହ୍ୟ ପ୍ରଚାର ଇତ୍ୟାଦି ବିଭିନ୍ନ ଗଣମାଧ୍ୟମ ସମ୍ପର୍କରେ ବିସ୍ତୃତ ନୀତି ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ଏହି ନିର୍ଦ୍ଦେଶାବଳୀ ସିବିସି ୱେବସାଇଟ୍ cbcindia.gov.in ରେ ଉପଲବ୍ଧ।
ଅନୁରୂପ ଭାବେ କେନ୍ଦ୍ର ସରକାର ଆନିମେସନ, ଭିଜୁଆଲ୍ ଇଫେକ୍ଟସ୍, ଗେମିଂ, କମିକ୍ସ ଓ ଏକ୍ସଟେଣ୍ଡେଡ୍ ରିୟଲିଟି- ଏଭିଜିସି-ଏକ୍ସଆର କ୍ଷେତ୍ରକୁ ଭାରତର ସୃଜନଶୀଳ ଅର୍ଥବ୍ୟବସ୍ଥାର ଏକ ଗୁରୁତ୍ୱପୂର୍ଣ୍ଣ ଉପଦାନ ଭାବେ ବିବେଚନା କରିଥା’ନ୍ତି। ଏପ୍ରିଲ ୨୦୨୨ରେ ଗଠିତ ଏକ ଜାତୀୟ ଏଭିଜିସି-ଏକ୍ସଆର ଟାସ୍କ ଫୋର୍ସ ଏହି କ୍ଷେତ୍ରର ପ୍ରୋତ୍ସାହନ ପାଇଁ ରଣନୀତିକ ରୂପରେଖ ପ୍ରସ୍ତୁତ କରିଛି। ଏହି କ୍ଷେତ୍ରରେ ସରକାର ଅନେକ ପଦକ୍ଷେପ ନେଇଛନ୍ତି । ଭାରତକୁ ଗଣମାଧ୍ୟମ ଏବଂ ମନୋରଞ୍ଜନ କ୍ଷେତ୍ରରେ ଏକ ବିଶ୍ୱସ୍ତରୀୟ କେନ୍ଦ୍ର ଭାବରେ ପ୍ରତିଷ୍ଠିତ କରିବା ପାଇଁ ବିଶ୍ୱ ଅଡିଓ ଭିଜୁଆଲ ଏବଂ ମନୋରଞ୍ଜନ ଶିଖର ସମ୍ମିଳନୀ ବା ୱେଭ୍ସ ଚଳିତ ବର୍ଷ ମଇ ୧ ରୁ ୪ ତାରିଖ ପର୍ଯ୍ୟନ୍ତ ମୁମ୍ବାଇରେ ଅନୁଷ୍ଠିତ ହୋଇଥିଲା। ଆନିମେସନ୍, ଗେମିଂ, ଏଆର/ଭିଆର ଏବଂ ସଂଗୀତ ଭଳି ୩୪ଟି ସୃଜନଶୀଳ ବର୍ଗରେ ଏକ ଦେଶବ୍ୟାପୀ ପରବର୍ତ୍ତୀ ପିଢ଼ିର ସୃଜନଶୀଳ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଶ୍ୱବ୍ୟାପୀ ୧ ଲକ୍ଷରୁ ଅଧିକ ପଞ୍ଜୀକରଣ ଦେଖିବାକୁ ମିଳିଥିଲା।
ସୃଜନଶୀଳ ପ୍ରଯୁକ୍ତିବିଦ୍ୟା ପାଇଁ ଏକ ପ୍ରମୁଖ ପ୍ରତିଷ୍ଠାନ ଭାବରେ ଭାରତୀୟ ସୃଜନଶୀଳ ପ୍ରଯୁକ୍ତି ପ୍ରତିଷ୍ଠାନ (ଆଇଆଇସିଟି) ପ୍ରତିଷ୍ଠିତ ହୋଇଛି, ଯାହା ଶିଳ୍ପ ଉନ୍ମଖୀ ପାଠ୍ୟକ୍ରମ ଏବଂ ବିଶ୍ୱସ୍ତରୀୟ ସର୍ବୋତ୍ତମ ଅଭ୍ୟାସ ଉପରେ ଧ୍ୟାନ କେନ୍ଦ୍ରିତ କରୁଛି। ଆଇଆଇସିଟିର ବିକାଶ ଏବଂ ପରିଚାଳନା ପାଇଁ ୩୯୨.୮୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ସୃଜନଶୀଳ ପ୍ରଯୁକ୍ତିବିଦ୍ୟା ପାଇଁ ଆଇଆଇଟି ଏବଂ ଆଇଆଇଏମ ଧାରାରେ ଆଇଆଇସିଟିର ପରିକଳ୍ପନା କରାଯାଇଛି। ଏହା ଶୈକ୍ଷିକ ସହଯୋଗ ପାଇଁ ଗୁଗଲ, ମେଟା, ଏନଭିଡିଆ, ମାଇକ୍ରୋସଫ୍ଟ, ଆପଲ, ଆଡବ, ଡବ୍ଲୁପିପି ଇତ୍ୟାଦି ପ୍ରମୁଖ ବିଶ୍ୱସ୍ତରୀୟ ବୈଷୟିକ କମ୍ପାନୀଗୁଡ଼ିକ ସହିତ ଏମଓୟୁ ସ୍ୱାକ୍ଷର କରିଛି। ଏଭିଜିସି-ଏକ୍ସଆର କ୍ଷେତ୍ରର ପେସାଦାର ଏବଂ ପ୍ରଶିକ୍ଷକମାନଙ୍କ ପାଇଁ ଆଇଆଇସିଟି ଉନ୍ନତ ତାଲିମ ପ୍ରଦାନ କରେ। ଏହି ଅନୁଷ୍ଠାନ ପ୍ରାରମ୍ଭିକ ଶିକ୍ଷା ବର୍ଷରେ ଗେମିଂରେ ଚାରୋଟି ସ୍ୱତନ୍ତ୍ର ପାଠ୍ୟକ୍ରମ, ପୋଷ୍ଟ ପ୍ରଡକ୍ସନରେ ଚାରୋଟି ପାଠ୍ୟକ୍ରମ ଏବଂ ଆନିମେସନ୍, କମିକ୍ସ ଏବଂ ଏକ୍ସଆରରେ ନଅଟି ପାଠ୍ୟକ୍ରମକୁ ସାମିଲ କରାଯାଇଛି । ଏ ସମ୍ପର୍କରେ ଅଧିକ ବିବରଣୀ ଆଇଆଇସିଟିର https://theiict.in ୱେବସାଇଟରେ ଉପଲବ୍ଧ।