ଭାରତ ଯୋଡୋ ଯାତ୍ରା ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭାରତୀୟ ସେନା ବିରୋଧରେ ଦେଇଥିବା ମନ୍ତବ୍ୟ ଉପରେ ସୁପ୍ରିମକୋର୍ଟ ଆପତ୍ତି ଉଠାଇଛନ୍ତି । କୋର୍ଟ କହିଛନ୍ତି ଯେ ଆପଣ କିପରି ଜାଣିଲେ ଯେ ଚୀନ୍ ୨୦୦୦ ବର୍ଗ କିଲୋମିଟର ଭୂମି ଦଖଲ କରିଛି? କେଉଁ ବିଶ୍ୱସନୀୟ ଦଲିଲ୍ ଆଧାରରେ ଆପଣ ଏହା କହିଥିଲେ? ଜଣେ ସଚ୍ଚା ଭାରତୀୟ ଏହା କହିବେ ନାହିଁ । ସୀମାରେ ବିବାଦ ଚାଲିଥିବା ବେଳେ ଆପଣ ଏପରି କିପରି କହିପାରିବେ? ବୋଲି ପ୍ରଶ୍ନ କରିଛନ୍ତି କୋର୍ଟ । ଏହାସହିତ ସୁପ୍ରିମକୋର୍ଟ ରାହୁଲ ଗାନ୍ଧୀଙ୍କ ବିରୋଧରେ ନିମ୍ନ ଅଦାଲତରେ ଚାଲିଥିବା ଶୁଣାଣି ବର୍ତ୍ତମାନ ପାଇଁ ସ୍ଥଗିତ ରଖିଛନ୍ତି । କୋର୍ଟ ଉତ୍ତରପ୍ରଦେଶ ସରକାର ଏବଂ ଅଭିଯୋଗକାରୀ ଉଦୟଶଙ୍କର ଶ୍ରୀବାସ୍ତବଙ୍କୁ ନୋଟିସ୍ ଜାରି କରି ତିନି ସପ୍ତାହ ମଧ୍ୟରେ ଉତ୍ତର ମାଗିଛନ୍ତି । ସୀମା ସଡକ ସଂଗଠନର ପୂର୍ବତନ ନିର୍ଦ୍ଦେଶକ ଉଦୟ ଶଙ୍କର ଶ୍ରୀବାସ୍ତବ ରାହୁଲ ଗାନ୍ଧୀଙ୍କ ବିରୋଧରେ ଅବମାନନା ମାମଲା ଦାୟର କରିଥିଲେ । ରାହୁଲ ଗାନ୍ଧୀ ନିମ୍ନ ଅଦାଲତ ଦ୍ୱାରା ଜାରି ସମନକୁ ବାତିଲ କରିବାକୁ ଦାବି କରିଛନ୍ତି । ୨୦୨୨ମସିହା ଡିସେମ୍ବର ୯ରେ ଭାରତ ଏବଂ ଚୀନ ସେନାମ ମଧ୍ୟରେ ହୋଇଥିବା ସଂଘର୍ଷ ସମ୍ପର୍କରେ ରାହୁଲ ଗାନ୍ଧୀ ସେନା ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଛି ।