ଶେଷରେ ହିନ୍ଦୁତ୍ବର ବିଜୟ ହୋଇଛି – ସାଧ୍ବୀ ପ୍ରଜ୍ଞା

ମୁମ୍ବାଇ: ୨୦୦୮ ସେପ୍ଟେମ୍ବର ୨୯ ତାରିଖରେ ହୋଇଥିବା ମାଲେଗାଓଁ ବିସ୍ଫୋରଣରେ ୬ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ଶତାଧିକ ଲୋକ ଆହତ ହୋଇଥିଲେ। ପବିତ୍ର ରମଜାନ ମାସରେ ଏହି ବିସ୍ଫୋରଣ ହୋଇଥିଲା। ପ୍ରଥମେ ମହାରାଷ୍ଟ୍ର ଏଟିଏସ୍‌ (ଆତଙ୍କୀ ନିରୋଧ ସ୍କ୍ବାଡ୍‌) ଏହି ମାମଲାର ତଦନ୍ତ କରିଥିଲା ଏବଂ ପରେ ୨୦୧୧ରେ ଏହି ମାମଲା ଏନ୍‌ଆଇଏକୁ ହସ୍ତାନ୍ତର କରାଯାଇଥିଲା। ଏଟିଏସ୍‌ ଅଭିଯୋଗ ଅନୁଯାୟୀ ମୁସଲମାନଙ୍କ ଦ୍ବାରା  ହିନ୍ଦୁଙ୍କ ଉପରେ କରାଯାଇଥିବା ପୂର୍ବ ଅତ୍ୟାଚାରର ପ୍ରତିଶୋଧ ନେବାପାଇଁ ଏହି ବିସ୍ଫୋରଣ ଷଡ୍‌ଯନ୍ତ୍ର କରାଯାଇଥିଲା ଏବଂ ଏଥିରେ ଅଭିନବ ଭାରତ ଗୋଷ୍ଠୀ ସମ୍ପୃକ୍ତ ଥିଲା। ଏଟିଏସ୍‌ ଦାବି ଅନୁଯାୟୀ ବିସ୍ଫୋରଣ‌ରେ ବ୍ୟବହାର ହୋଇଥିବା  ମୋଟର ସାଇକେଲ୍‌ର ମାଲିକ ହେଉଛନ୍ତି ପ୍ରଜ୍ଞା‌ ଠାକୁର ଯିଏ କି ଏହି ମାମଲା‌ରେ ୨୦୦୮ରେ ଗିରଫ ହୋଇଥିଲେ। 
ଗୁରୁବାର କୋର୍ଟ କହିଛନ୍ତି, ରେକର୍ଡରେ କୌଣସି ପ୍ରମାଣ ନାହିଁ ଯେ ପୁରୋହିତ  ବୋମା ଖଞ୍ଜିଥିଲେ। ବିଚାରପତି ଲାହୋଟି ମଧ୍ୟ କହିଛନ୍ତି, ପ୍ରଜ୍ଞା ଠାକୁର ଗାଡ଼ିର ମାଲିକ ବୋଲି କୌଣସି ଠୋସ୍‌ ପ୍ରମାଣ ନାହିଁ। ବିଚାରଣ ପ୍ରକ୍ରିୟାରେ ବାଇକ୍‌ଟି ପ୍ରଜ୍ଞା ଠାକୁରଙ୍କର ବୋଲି ପ୍ରମାଣ ହୋଇପାରିଲାନି। କୋର୍ଟ ପୁଣିଥରେ କହିଛନ୍ତି, ପ୍ରଜ୍ଞା ଠାକୁର ବିସ୍ଫୋରଣର ୨ ବର୍ଷ ପୂର୍ବେ ସମସ୍ତ ବସ୍ତୁବାଦୀ ଜିନିଷ ଛାଡ଼ି ସନ୍ନ୍ୟାସିନୀ ହୋଇଥିଲେ। କୋର୍ଟ ମଧ୍ୟ ଅଭିନବ ଭାରତକୁ  ଦୋଷମୁକ୍ତ କରିଛନ୍ତି। ଉକ୍ତ ଗୋଷ୍ଠୀ ଆତଙ୍କବାଦୀ କାର୍ଯ୍ୟକଳାପରେ ସମ୍ପୃକ୍ତ ବୋଲି କୌଣସି ପ୍ରମାଣ ନାହିଁ। କୋର୍ଟ ମଧ୍ୟ ମୃତକଙ୍କ ପରିବାର ସଦସ୍ୟଙ୍କ ପାଇଁ ୨ ଲକ୍ଷ  ଏବଂ ଆହତଙ୍କୁ ୫୦ ହଜାର ଟଙ୍କାର କ୍ଷତିପୂରଣ ଦେବାକୁ କହିଛନ୍ତି। ଆଜି କୋର୍ଟଙ୍କ ରାୟ ଆସିବାପରେ ପ୍ରଜ୍ଞା ଠାକୁର କହିଛନ୍ତି, ଏହା ହିନ୍ଦୁତ୍ବର ବିଜୟ। ପ୍ରଜ୍ଞା ଠାକୁର କହିଛନ୍ତି, ମିଥ୍ୟା‌ ଅଭିଯୋଗ ପାଇଁ ମୋ ଜୀବନ ଗତ ୧୭ ବର୍ଷ ମଧ୍ୟରେ  ନଷ୍ଟ ହୋଇଯାଇଛି।   ହିନ୍ଦୁ ଧର୍ମକୁ ଯେଉଁମ‌ାନେ ‌ଷଡ୍‌ଯନ୍ତ୍ର କରି  ଅପମାନିତ କରିଛନ୍ତି ସେମାନଙ୍କୁ ଭଗବାନ ଦଣ୍ଡ ଦେବେ।  ଶେଷରେ ହିନ୍ଦୁତ୍ବର ବିଜୟ ହୋଇଛି ବୋଲି ସାଧ୍ବୀ ପ୍ରଜ୍ଞା କହିଛନ୍ତି।

Leave a Reply

Your email address will not be published. Required fields are marked *