ବାଲେଶ୍ୱରରେ ଏକ୍‌ ପେଡ୍‌ ମା’ କେ ନାମ୍‌ 

ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ, ବାଲେଶ୍ୱର କ୍ଷେତ୍ର କାର୍ଯ୍ୟାଳୟ ପକ୍ଷରୁ ଏକ୍ ପେଡ୍ ମା’ କେ ନାମ୍ ଏବଂ ଜଳ ସଞ୍ଚୟ – ଜନଭାଗିଦାରୀ ଉପରେ ଏକ ସମନ୍ୱିତ ଯୋଗାଯୋଗ ଏବଂ ଜନସମ୍ପର୍କ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବାଙ୍ଗରାସ୍ଥିତ ନୀଳକଣ୍ଠେଶ୍ୱର ମହାବିଦ୍ୟାଳୟଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କଲେଜର ଏନଏସଏସ ୟୁନିଟ୍‌ ସହଯୋଗ କରିଥିଲା।

ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଅନୁଷ୍ଠାନ ପରିସରରେ ସମନ୍ୱିତ ଯୋଗାଯୋଗ ଏବଂ ଜନସମ୍ପର୍କ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଶ୍ରୀ ଦାସ ‘ଏକ୍‌ ପେଡ୍ ମା କେ ନାମ୍‌ ୨.୦’ ଅନ୍ତର୍ଗତ ଏକ ଚାରା ରୋପଣ କରିଥିଲେ। ସେ ଏହି ବିଷୟବସ୍ତୁ ଉପରେ ଏକ ସଚେତନତା ଶୋଭାଯାତ୍ରାକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।

ଶ୍ରୀ ଦାସ ଛାତ୍ରଛାତ୍ରୀମାନଙ୍କୁ ‘ଏକ ପେଡ୍ ମା କେ ନାମ ୨.୦’ ଅଧୀନରେ ଅଧିକ ଗଛ ଲଗାଇବା ଏବଂ ଜନ ଭାଗିଦାରୀ ମାଧ୍ୟମରେ ଜଳ ସଂରକ୍ଷଣ ସୁନିଶ୍ଚିତ କରିବାକୁ ଉତ୍ସାହିତ କରିଥିଲେ। ବିଶିଷ୍ଟ ପରିବେଶବିତ୍ ପ୍ରଭାତ କୁମାର ପରିଡା ଏବଂ ନୀଳକଣ୍ଠେଶ୍ୱର ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷା ପ୍ରଣତୀ ପ୍ରିୟଦର୍ଶିନୀ ମିଶ୍ର ଅତିଥି ବକ୍ତା ଭାବରେ ବିଷୟବସ୍ତୁ ଉପରେ ସାରଗର୍ଭକ ବକ୍ତବ୍ୟ ରଖିଥିଲେ। କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ କ୍ଷେତ୍ର ପ୍ରଚାର ଅଧିକାରୀ ନିର୍ମାଲ୍ୟ ବେହେରା ଅତିଥିମାନଙ୍କୁ ସ୍ୱାଗତ କରିବା ସହିତ ‘ଏକ ପେଡ୍ ମା କେ ନାମ ୨.୦’ ଏବଂ ଜଳ ସଞ୍ଚୟ-ଜନ ଭାଗୀଦାରୀ ଅଭିଯାନର ଗୁରୁତ୍ୱ ବିଷୟରେ ବର୍ଣ୍ଣନା କରିଥିଲେ। ବାଲେଶ୍ୱର ବାଙ୍ଗରାସ୍ଥିତ ଏନଏସଏସ ୟୁନିଟ୍ ନୀଳକଣ୍ଠେଶ୍ୱର ଡିଗ୍ରୀ କଲେଜର ପ୍ରୋଗ୍ରାମ ଅଫିସର ଡକ୍ଟର ଲେଖାରାଣୀ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ଅନ୍ୟ ମାନ୍ୟଗଣ୍ୟ ଅତିଥିମାନଙ୍କ ମଧ୍ୟରେ ଖାନନଗର ସରପଞ୍ଚ ଅଞ୍ଜନ କୁମାର ନାୟକ, ଅବସରପ୍ରାପ୍ତ ସେନା ଅଧିକାରୀ ବିଜୟ କୁମାର ଦାସ, ସମାଜସେବୀ ଶୋଭନା ମହାନ୍ତି ପ୍ରମୁଖ ସାମିଲ ଥିଲେ। ଏହି ଅବସରରେ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ କ୍ଷେତ୍ର କାର୍ଯ୍ୟାଳୟ ଦ୍ୱାରା କୁଇଜ୍ ପ୍ରତିଯୋଗିତାର ବିଜେତାମାନଙ୍କୁ ପୁରସ୍କୃତ କରାଯାଇଥିଲା। ଭୁବନେଶ୍ୱରର କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋର ଏକ ପିଆରଟି (ବେସରକାରୀ ପଞ୍ଜିକୃତ ଟ୍ରୁପ୍) ମେସର୍ସ ବିନାରୀ କଲ୍ୟାଣ ସଂଗଠନ ମଧ୍ୟ ସଚେତନତା ବାର୍ତ୍ତା ଆଧାରିତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲା।

Leave a Reply