ପାପୋଛରେ ମହାପ୍ରଭୁଙ୍କ ଛବି

ପାପୋଛରେ ମହାପ୍ରଭୁଙ୍କ ଛବି

ପୁରୀ: ମହାପ୍ରଭୁଙ୍କୁ ଅପମାନର ସମସ୍ତ ସୀମା ଅତିକ୍ରମ କରିଛି ଅନ୍ତର୍ଜାତୀୟ ଅନ୍‌ଲାଇନ୍ ସପିଂ ସଂସ୍ଥା। ପାପୋଛ ଭଳି ଗୋଡ଼ ପୋଛିବା ମ୍ୟାଟ୍‌ରେ ମହାପ୍ରଭୁଙ୍କ ଶ୍ରୀମୁଖକୁ ଚିତ୍ରିତ କରାଯାଇଛି। ବିଜ୍ଞାପନରେ ଥିବା ଚିତ୍ର ମୁତାବକ, ସେଇ ପାପୋଛରେ ଜଣେ ବ୍ୟକ୍ତି ଛିଡ଼ା ହୋଇଥିବା ବିଜ୍ଞପିତ କରାଯାଇଛି। ଲର୍ଡ ଜଗନ୍ନାଥ ମଣ୍ଡଳ ଆର୍ଟ ‘ ମ୍ୟାଟ ଡୋରୱେ ଏବଂ ‘କ୍ରିଷ୍ଣା ହିନ୍ଦୁ ଗଡ଼’ ନାମରେ

ଏହି ପାପୋଛ ବିକ୍ରି କରାଯାଉଛି। ମହାପ୍ରଭୁଙ୍କ ନାମ ଆଗରେ ଲର୍ଡ ତଥା ଭଗବାନ ଶବ୍ଦ ପ୍ରୟୋଗ ସତ୍ତ୍ବେ ଏହାକୁ ଚଟାଣରେ ପାପୋଛ ଭଳି ବ୍ୟବହାର କରିବା ପାଇଁ ପାଦ ରଖି ବିଜ୍ଞପିତ କରିବା ଜଗନ୍ନାଥପ୍ରେମୀଙ୍କୁ ଭାବାବେଗକୁ ଆଘାତ ପହଞ୍ଚାଇଛି।

ଚାଇନିଜ ଆପ ଅଲି ଏକ୍ସପ୍ରେସ ନାମକ ଏକ ଆପ୍ ତଥା ୱେବ୍‌ସାଇଟ୍ ଜରିଆରେ ଏହାର ବିକ୍ରିବଟା କରାଯାଉଛି । ଯଦିଓ ଏହି ଆପ୍‌କୁ ଭାରତରେ ବ୍ୟାନ କରାଯାଇଛି, କିନ୍ତୁ ଭାରତ ବାହାରେ ଏହି ଆପ୍ ଜରିଆରେ ଏହାର ବିକ୍ରିବଟା କରାଯାଉଛି। ଏହି ପାପୋଛ ବିଜ୍ଞାପନରେ ପୁଣି ଦର୍ଶାଯାଇଛି ଏହି ମ୍ୟାଟ ସ୍କ୍ରିପ ପ୍ରତିରୋଧକ, ଜଳୀୟ ଅଂଶ ଶୋଷଣ କ୍ଷମତା ରଖୁଥିବା ମ୍ୟାଟ। ଅର୍ଥାତ୍ ଏହାକୁ ବ୍ୟବହାର କଲେ ଏହି ସମସ୍ତ ସୁବିଧା ଉପଲବ୍ଧ ହେବ ବୋଲି ଅତ୍ୟନ୍ତ ନିନ୍ଦନୀୟ ଶବ୍ଦମାନ ପ୍ରୟୋଗ କରାଯାଇଛି।

ଏନେଇ ଶ୍ରୀମନ୍ଦିର ପରିଚାଳନା କମିଟିର ପୂର୍ବତନ ସଦସ୍ୟ ମାଧବ ପୂଜାପଣ୍ଡା କହିଛନ୍ତି, ମହାପ୍ରଭୁଙ୍କୁ ଅପମାନ କରାଯାଇଥିବାରୁ ଏ ମାମଲାରେ ଶ୍ରୀମନ୍ଦିର ପ୍ରଶାସନ ତୁରନ୍ତ ହସ୍ତକ୍ଷେପ କରି ରାଜ୍ୟ ଓ ଭାରତ ସରକାରଙ୍କୁ ଅବଗତ କରାଇବା ଆବଶ୍ୟକ। ଭାରତ ସରକାର ମଧ୍ୟ ତ୍ବରିତ ଏ ଦିଗରେ ଉକ୍ତ ଦେଶର ସରକାରଙ୍କ ସହ ଆଲୋଚନା କରି ଏ ପ୍ରକାର ଅପମାନସୂଚକ ଚିତ୍ରର ବିଜ୍ଞାପନ ଓ ବିକ୍ରିବଟାରେ ରୋକ୍ ଲଗାଇବାକୁ ସେ ଦାବି କରିଛନ୍ତି। ସେ କହିଛନ୍ତି, କେବଳ ଏଇ ଗୋଟିଏ କଥା ନୁହେଁ, ମହାପ୍ରସାଦ, ଶ୍ରୀମନ୍ଦିର ପତିତପାବନ ବାନା ନାମରେ ବିକ୍ରିବଟା କରାଯାଉଥିବା ବାରମ୍ବାର ନଜରକୁ ଆସିଛି। ଯଦିଓ ଶ୍ରୀମନ୍ଦିର ସମ୍ପୃକ୍ତ ସମସ୍ତ ସ୍ଵତନ୍ତ୍ର ଶବ୍ଦର ପେଟେଣ୍ଟ୍‌ କରିବାକୁ ନିଷ୍ପତ୍ତି ନିଆଯାଇଛି, ଏହାକୁ ତୁରନ୍ତ କରାଯିବା ଆବଶ୍ୟକ ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *