ଏବିଭିପି ପକ୍ଷରୁ ରାହୁଲ ଓ ଭକ୍ତଙ୍କ କୁଶପୁତ୍ତଳିକା ଦାହ

ଏବିଭିପି ପକ୍ଷରୁ ରାହୁଲ ଓ ଭକ୍ତଙ୍କ କୁଶପୁତ୍ତଳିକା ଦାହ
 ଭୁବନେଶ୍ବର- ଛାତ୍ର କଂଗ୍ରେସ ସଭାପତି ଇତିଶ ପ୍ରଧାନ ଦୁର୍ଷମ ମାମଲାରେ ଜଡ଼ିତ ହୋଇ ଗିରଫ ହେବା ପରେ ଏହାକୁ ନେଇ ପ୍ରଶ୍ନ ଉଠାଇଛି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)। ଏନେଇ ସୋମବାର ଲୋୟର ପିଏମଜିରେ ଏବିଭିପି ପକ୍ଷରୁ ମଧ୍ୟାହ୍ନରେ ଏକ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ସଂଗଠନର ସଦସ୍ୟମାନେ ଏକ ଶୋଭାଯାତ୍ରାରେ ଆସି କଂଗ୍ରେସ ଭବନ ସମ୍ମୁଖରେ ନାରାବାଜି କରିବା ସହ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଓ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା। ଏହି ଅବସରରେ ଏବିଭିପି ପକ୍ଷରୁ କଂଗ୍ରେସ ଦଳ ଜଣେ ଅପରାଧୀକ ମାନସିକତା ରଖୁଥ‌ିବା ଏବଂ ଏକାଧିକ ସମ୍ବେଦନଶୀଳ ମାମଲାରେ ଜଡ଼ିତ ଥିବା ଜଣେ ଯୁବକଙ୍କୁ କିପରି ଛାତ୍ର ସଭାପତି କରାଯାଇଥିଲା ତାହାକୁ ନେଇ ପ୍ରଶ୍ନ କରାଯାଇଥିଲା। ଏପରିକି ଛୋଟଛୋଟ ଘଟଣାରେ ଦିଲ୍ଲୀରେ ଯାଇ ପ୍ରେସମିଟ୍ କରୁଥିବା ବିଧାୟିକା ସୋଫିଆ ଫିର୍ଦେଶ ଏହି ମାମଲାରେ ପ୍ରେସମିଟ୍ କରିବେ କି ନାହିଁ ବୋଲି ସଂଗଠନ ପକ୍ଷରୁ ପ୍ରଶ୍ନ ପଚରାଯିବା ସହ ନୈତିକତା ଦୃଷ୍ଟିରୁ ପିସିସି ସଭାପତି ଉଦିତ ଗିରଫ ହେବା ପରେ ପଦରୁ ଇସ୍ତଫା ଦେବାକୁ ଦାବି କରାଯାଇଥିଲା। ପୂର୍ବରୁ ଲୋୟର ପିଏମଜିରେ ସଂଗଠନ ପକ୍ଷରୁ ବାଲେଶ୍ବର ପୀଡ଼ିତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଶୋକସଭାର ଆୟୋଜନ କରାଯାଇଥିଲା। ଏହି ବିକ୍ଷୋଭରେ ଏବିଭିପି ଓଡ଼ିଶାର ପୂର୍ବର ରାଜ୍ୟ ସମ୍ପାଦିକା ଦୀପ୍ତିମୟୀ ପ୍ରତିହାରୀ, ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ବିଶ୍ବଜିତ ପାତ୍ର, ରାଜ୍ୟ ସହ- ସମ୍ପାଦକ ରାଜକୁମାର ମିଶ୍ର, ରାଜ୍ୟ ସହ-ସମ୍ପାଦକ ମୁସ୍କାନ, ଭୁବନେଶ୍ବର ମହାନଗର ସହ-ସମ୍ପାଦକ ଗଙ୍ଗାଧର ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲା ।

Leave a Reply

Your email address will not be published. Required fields are marked *