ସରକାରଙ୍କ ପାଖରେ ଦାବି ରଖିଲା ଏବିଭିପି-ଶିକ୍ଷାନୁଷ୍ଠାନରେ ଯୌନ ନିର୍ଯାତନା ରୋକାଯାଉ
ଭୁବନେଶ୍ୱର: ଏଫଏମ୍ କଲେଜ ଛାତ୍ରୀ ତଥା ଏବିଭିପି କାର୍ଯ୍ୟକର୍ତ୍ତା ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁ ସମସ୍ତଙ୍କୁ ହତବାକ୍ କରିଛି। ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷଙ୍କ ବେପରୁଆ ମନୋଭାବ ଯୋଗୁ ସେ ନ୍ୟାୟ ପାଇଲେନି। ଏଭଳି ଅମାନବୀୟ କାର୍ଯ୍ୟ ବିରୋଧରେ ଦେଶବ୍ୟାପୀ ମହମବତି ଶୋଭାଯାତ୍ରା, ବିକ୍ଷୋଭ ଓ ଦସ୍ତଖତ ଅଭିଯାନ କରିବାକୁ ନିଷ୍ପତ୍ତି ନେଇଛି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) । ତାଙ୍କୁ ନ୍ୟାୟ ଦେବାକୁ ସବୁ ବିଶ୍ବବିଦ୍ୟାଳୟ ଓ କଲେଜର ଏବିଭିପି କାର୍ଯ୍ୟକର୍ତ୍ତା ଲଢ଼େଇ କରିବେ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି। ଏବିଭିପି ଜାତୀୟ ସାଧାରଣ ସମ୍ପାଦକ ଡ. ବୀରେନ୍ଦ୍ର ସିଂ ସୋଲାଙ୍କି କହିଛନ୍ତି, ସୌମ୍ୟାଶ୍ରୀଙ୍କ ମୃତ୍ୟୁ କେବଳ ଏକ ଅଘଟଣ ନୁହେଁ। ଏହା ବ୍ୟବସ୍ଥା ଓ ନୈତିକତାର ବିଫଳତା। ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷଙ୍କ ମିଳିତ ନୀରବତା ଯୋଗୁ ଏଭଳି
ଅଘଟଣ ଘଟିଲା। ଗୋଟିଏ ପାଖରେ ଜଣେ ପ୍ରଫେସର ତାଙ୍କୁ ନିର୍ଯାତନା ଦେଲେ ଓ ଅନ୍ୟ ପଟରେ ଛାତ୍ର କଂଗ୍ରେସ ନେତାମାନେ ତାଙ୍କୁ ଅପମାନିତ କଲେ। ଛାତ୍ରୀଙ୍କ ମୃତ୍ୟୁରେ ଉଭୟ ସମାନ ଭାବରେ ଦୋଷୀ। ଯୌନ ନିର୍ଯାତନା ଘଟଣାରେ କାର୍ଯ୍ୟାନୁଷ୍ଠାନ ବଦଳରେ ଯଦି କୌଣସି ଶିକ୍ଷାନୁଷ୍ଠାନ ଚୁପ୍ ରହୁଛନ୍ତି ଏବିଭିପି ଏହାର ଜବାବ ଦେବ । ସମସ୍ତ ପୀଡ଼ିତାଙ୍କୁ ନ୍ୟାୟ ଦେବାକୁ ଏବିଭିପି ସମସ୍ତ ସାମ୍ବିଧାନିକ ଓ ସାଂଗଠନିକ ଲଢ଼େଇ ଜାରି ରଖିବ ବୋଲି ସେ କହିଛନ୍ତି। ଏହି ଘଟଣା କେବଳ ବ୍ୟକ୍ତିଗତ ନିର୍ଯାତନା ମାମଲା ନୁହେଁ, ବରଂ ଶିକ୍ଷାନୁଷ୍ଠାନର ଚରମ ଅବହେଳାକୁ ଦର୍ଶାଉଛି । ତେଣୁ ଶିକ୍ଷାନୁଷ୍ଠାନରେ ଯୌନ ନିର୍ଯାତନା ରୋକଯାଉ । ଯେଉଁ ଛାତ୍ରୀମାନେ ନ୍ୟାୟ ପାଇଁ ମୁହଁ ଖୋଲନ୍ତି ସେମାନଙ୍କୁ ଓଲଟା କିଭଳି କାଠଗଡ଼ାରେ ଛିଡ଼ା କରାଯାଏ, ଏହି ଘଟଣା ତାହା ବଖାଣୁଛି ବୋଲି ସଂଗଠନ ପକ୍ଷରୁ କୁହାଯାଇଛି।