ମୟୂରଭଞ୍ଜ ପାଲଟିଛି ଗୋ ମାଫିଆଙ୍କ କରିଡ଼ର

ବରଯାତ୍ରୀ ଗାଡ଼ିକୁ ଧକ୍କା ଦେଲା ଗୋରୁ ବୋଝେଇ ପିକଅପ୍
ରାଇରଙ୍ଗପୁର/ବାଦାମପାହାଡ଼- ମୟୂରଭଞ୍ଜ ପାଲଟିଛି ଗୋ ମାଫିଆଙ୍କ କରିଡ଼ର ା ସୋମାଲିଆ ରାକେଟ୍ ଯୋଗୁ ଗୋସମ୍ପଦ ଲୋପ ହେବା ସହ ଅଶାନ୍ତ ହେଉଛି ଅଂଚଳ ା ଜାତୀୟ ରାଜପଥକୁ କବ୍‌ଜା କରି ନେଇଛନ୍ତି ସୋମାଲିଆ। ଆଇନ ଯେତେ କଠୋର ହେଲେ ମଧ୍ୟ ସେମାନଙ୍କ ଭୟନାହିଁ। ଅମାନୁଷିକ ଭାବେ ଗାଈଗୋରୁଙ୍କୁ ଛୋଟବଡ଼ ଗାଡ଼ିରେ ଯନ୍ତ୍ରଣାଦାୟକ ଭାବେ ବାନ୍ଧି ମୁହଁରେ ଜାଲି ଲଗାଇ ଚାଲାଣ କରୁଛନ୍ତି। ଚାଲାଣ ବେଳେ ମାଫିଆମାନେ ଉଗ୍ର ହୋଇପଡୁଛନ୍ତି। ସାମ୍‌ନାରେ ଯିଏ ଅଟକାଇବାକୁ ଚେଷ୍ଟା କରୁଛି ତାଙ୍କୁ ମାରଣାସ୍ତ୍ର ଦେଖାଇ ଜବରଦସ୍ତ ଚାଲାଣ କରୁଛନ୍ତି। ଯାହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ପ୍ରତିକ୍ରିୟା ଦେଖାଦେଇଛି ।ଜୁଲାଇ 1 ତାରିଖ ବିଳମ୍ବିତ ରାତିରେ ମୟୂରଭଞ୍ଜ ଜିଲ୍ଲାର ଯଶିପୁର ଅଂଚଳର ଏକ ବରଯାତ୍ରୀ ଦଳ ବୋଲେରୋ ଯୋଗେ କୁସୁମୀ ବ୍ଲକ୍ ବଡ଼ାମକୁରାଡ଼ି ଗାଁକୁ ଆସି ବାହାଘର ସାରି ଫେରୁଥିବାବେଳେ ୨୨୦ନମ୍ବର ଜାତୀୟ ରାଜପଥ ପଢିଆ ନିକଟରେ ଗାଡ଼ି ରଖି ପରିସ୍ରା ଯାଇଥିଲେ। ସେହି ସମୟରେ ଏକ ବେଆଇନ ଗୋବୋଝେଇ ପିକ୍ ଅପ୍ ଭ୍ୟାନ୍ ଦ୍ରୁତ ଗତିରେ ଆସି ସମ୍ମୁଖରୁ ଧକ୍କା ଦେଇଥିଲା । ଫଳରେ ବରଯାତ୍ରୀଙ୍କ ମଧ୍ୟରୁ ୩ ଜଣ ଗୁରୁତର ହୋଇଥିବାବେଳେ ୩ ଜଣ ଆହତ ହୋଇଛନ୍ତି। ସମସ୍ତଙ୍କୁ ରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ବାରିପଦା ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି। ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ଗୋରୁ ଗୁଡ଼ିକୁ ଉଦ୍ଧାର କରିଥିଲେ | ଦୁର୍ଘଟଣାରେ ୨ଟି ବଳଦର ମୃତ୍ୟୁ ହୋଇଛି। ପିକଅପ୍ ଚାଳକ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଛି ।

Leave a Reply