୧୦୦ କୋଟି ଟଙ୍କାର ମାନହାନି ମାମଲାରେ କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡ୍ଗେଙ୍କୁ ସମନ୍

ନୂଆଦିଲ୍ଲୀ: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଇସ୍ତାହାରରେ କଂଗ୍ରେସ ‘ବଜରଙ୍ଗ ଦଳ’କୁ ‘ପପୁଲାର ଫ୍ରଣ୍ଟ୍ ଅଫ୍ ଇଣ୍ଡିଆ’ ସହିତ ତୁଳନା କରିଥିବା ସଂକ୍ରାନ୍ତ ୧୦୦ କୋଟି ଟଙ୍କାର ମାନହାନି ମାମଲାରେ ଆଜି ପଞ୍ଜାବର ଏକ ଅଦାଲତ କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡ୍ଗେଙ୍କୁ ସମନ ଜାରି କରିଛନ୍ତି । ‘ବଜରଙ୍ଗ ଦଳ ହିନ୍ଦୁସ୍ତାନ’ର ସଭାପତି ହିତେଶ ଭରଦ୍ୱାଜଙ୍କ ଅଭିଯୋଗ ଆଧାରରେ ପଞ୍ଜାବର ସଙ୍ଗ୍ରୁର ଜିଲ୍ଲା ଅଦାଲତ କଂଗ୍ରେସ ଅଧ୍ୟକ୍ଷଙ୍କୁ ଉପରୋକ୍ତ ସମନ ଜାରି କରିଛନ୍ତି । ଅଳ୍ପଦିନ ତଳେ ସମ୍ପନ୍ନ ହୋଇଥିବା କର୍ଣ୍ଣାଟକ ବିଧାନସଭା ନିର୍ବାଚନ ସମୟରେ କଂଗ୍ରେସ ପ୍ରକାଶ କରିଥିବା ଇସ୍ତାହାରରେ ‘ବଜରଙ୍ଗ ଦଳ’କୁ ‘ଏସ୍ଆଇଏମ୍ଆଇ’ ଏବଂ ‘ଅଲ୍-କାଏଦା’ ଭଳି ଦେଶବିରୋଧୀ ସଙ୍ଗଠନ ସହିତ ତୁଳନା କରିଛି ବୋଲି ଅଭିଯୋଗକାରି ଦର୍ଶାଇଥିଲେ । ଦୁଇ ସମ୍ପ୍ରଦାୟ ମଧ୍ୟରେ ଶତ୍ରୁତା ବା ତିକ୍ତତା ବୃଦ୍ଧି କରୁଥିବା ‘ବଜରଙ୍ଗ ଦଳ’କୁ ନିଷିଦ୍ଧ କରାଯିବ ବୋଲି ଉକ୍ତ ଇସ୍ତାହାରରେ କଂଗ୍ରେସ ଉଲ୍ଲେଖ କରିଥିଲା । କିନ୍ତୁ, ପ୍ରଧାନମନ୍ତ୍ରୀ ମୋଦୀ ଓ ଅନ୍ୟାନ୍ୟ ‘ବିଜେପି’ ନେତା ତୀବ୍ର ସମାଲୋଚନା କରିବାରୁ ଏ ସଂକ୍ରାନ୍ତରେ କଂଗ୍ରେସ ସ୍ପଷ୍ଟୀକରଣ ଦେବାକୁ ବାଧ୍ୟ ହୋଇ କହିଥିଲା ଯେ, ‘ବଜରଙ୍ଗ ଦଳ’କୁ ନିଷିଦ୍ଧ କରାଯିବାର ଯୋଜନା ନାହିଁ । କାରଣ, ଏ ପ୍ରକାରର ଦଳକୁ ନିଷିଦ୍ଧ କରିବାର ଅଧିକାର କେବଳ କେନ୍ଦ୍ର ସରକାରଙ୍କର ଅଛି । ସେପଟେ, ମାଲ୍ଲେଶ୍ୱରମ୍ ନିର୍ବାଚନ ମଣ୍ଡଳୀରେ ନିଜ ଆସନ ବଜାୟ ରଖିଥିବା ବିଦାୟୀ କର୍ଣ୍ଣାଟକ ମନ୍ତ୍ରୀ ସି. ଏନ୍. ଅଶ୍ୱତନାରାୟଣ ଫଳାଫଳ ପ୍ରକାଶ ପାଇବା ଦିନ ‘ବଜରଙ୍ଗ ଦଳ’କୁ ନିଷିଦ୍ଧ କରିବା ଲାଗି କଂଗ୍ରେସ୍କୁ ଚାଲେଞ୍ଜ୍ କରିଛନ୍ତି । ସେ କହିଛନ୍ତି, ‘ବଜରଙ୍ଗ ଦଳ’କୁ ନିଷିଦ୍ଧ କରିବା ବିଷୟରେ କହିବାକୁ ସେମାନଙ୍କର ସାହସ ହେଲା କେମିତି? ନିଷିଦ୍ଧ କରନ୍ତୁ । ତା’ପରେ ଆମେ କ’ଣ କରିବୁ ଦେଖିବେ ।

Leave a Reply

Your email address will not be published. Required fields are marked *