ନଭି ମୁମ୍ବାଇ: ନଭି ମୁମ୍ବାଇର ଖାରଘରଠାରେ ଅବସ୍ଥିତ ଏକମାତ୍ର ଜଗନ୍ନାଥ ମନ୍ଦିରରେ ମହାସମାରୋହରେ ରଥଯାତ୍ରା ପର୍ବ ପାଳନ କରାଯାଇଛି। ମହାରାଷ୍ଟ୍ର ଓଡ଼ିଆ କଲ୍ୟାଣ ସଂଘ (ମୋୱା) ଦ୍ୱାରା ଆୟୋଜିତ ଏହି ଭବ୍ଯ ଓ ଦିବ୍ୟ ମହୋତ୍ସବକୁ କେନ୍ଦ୍ର କରି ସମଗ୍ର ଖାରଘର ଇଲାକାର ଗଗନ ପବନ ଜଗନ୍ନାଥମୟ ହୋଇ ଉଠିଥିବା ଦେଖାଯାଇଥିଲା। ଜୟ ଜଗନ୍ନାଥ ଧ୍ୱନିରେ ପୁରା ପରିବେଶ ମୁଖରିତ ହେବା ସାଙ୍ଗକୁ ମନ୍ତ୍ରର ମଧୁର ଉଚ୍ଚାରଣର ଗହଗହ ନାଦରେ ଗଗନ ପବନ ଗୁଞ୍ଜରିତ ହୋଇ ଉଠିଥିବା ଲକ୍ଷ୍ୟ କରାଯାଇଥିଲା। ବଢି ଭୋରରୁ ମନ୍ଦିର ମଧ୍ୟରେ ଚତୁର୍ଦ୍ଧାମୂର୍ତ୍ତିଙ୍କର ସାମ୍ନାରେ ମଙ୍ଗଳ ଆଳତି ଓ ସ୍ବତନ୍ତ୍ର ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଥିଲା।
ଦ୍ୱିପହରରେ ଚାରି ଠାକୁରଙ୍କୁ ଧାଡି ପହଣ୍ଡି କରାଯାଇ ସୁନ୍ଦର, ସୁସଜ୍ଜିତ ଓ ପିପିଲି ଚାନ୍ଦୁଆରେ ସୁଶୋଭିତ ରଥ ଉପରକୁ ଅଣାଯାଇଥିଲା। ସେଦିନ ମହାପ୍ରଭୁ ଶ୍ରୀଜଗନ୍ନାଥ ସଂସାରର ଆବାଳ ବୃଦ୍ଧ ବନିତାଙ୍କ ସହ ତାଙ୍କର ଦିବ୍ୟ ଲୀଳା ପରିପ୍ରକାଶ କରିବା ପାଇଁ ଶ୍ରୀମନ୍ଦିର ଛାଡ଼ି ରାଜ ରାସ୍ତାକୁ ବିଜେ କରିଥିଲେ । ରାଜକୀୟ ଠାଣିର କୋଟି ବ୍ରହ୍ମାଣ୍ଡର ମହାନାୟକ ଶ୍ରୀ ଜଗନ୍ନାଥ ,ତାଙ୍କର ଜ୍ୟେଷ୍ଠ ଭ୍ରାତା ବଳଭଦ୍ର, କନିଷ୍ଠ ଭଗ୍ନୀ ମା’ ସୁଭଦ୍ରା ଏବଂ ପ୍ରଭୁ ସୁଦର୍ଶନଙ୍କର ରଥାରୁଢ଼ ହେବାର ବେଶ ହୃଦୟସ୍ପର୍ଶୀ ଥିଲା। ଏହା ଭକ୍ତ ଓ ଭଗବାନଙ୍କର ମିଳନର ଅନନ୍ୟ ଓ ଅପୂର୍ବ ଅବସର ଥିଲା।