ବାଂଲାଦେଶ ରାଜଧାନୀ ଢାକାର ଖିଲଖେଟରେ ଏକ ଦୁର୍ଗା ମନ୍ଦିରକୁ ଇସ୍‌ଲାମିକ ଚରମପନ୍ଥୀମାନେ ଭାଙ୍ଗି ଦେଲେ

ନୂଆଦିଲ୍ଲୀ: ବାଂଲାଦେଶ ରାଜଧାନୀ ଢାକାର ଖିଲଖେଟରେ ଏକ ଦୁର୍ଗା ମନ୍ଦିରକୁ ଇସ୍‌ଲାମିକ ଚରମପନ୍ଥୀମାନେ ଭାଙ୍ଗି ଦେଇଛନ୍ତି। ସଂଖ୍ୟାଲଘୁ ହିନ୍ଦୁମାନଙ୍କୁ ଟାର୍ଗେଟ୍‌ କରି ଏଭଳି ମନ୍ଦିର ଭଙ୍ଗାଯିବା ଘଟଣାକୁ ଭାରତ କଡ଼ା ନିନ୍ଦା କରିଛି। ଏକ ସାମ୍ବାଦିକ ସମ୍ମିଳନୀରେ ବିଦେଶ ବ୍ୟାପାର ମନ୍ତ୍ରାଳୟ ମୁଖପାତ୍ର ରଣଧୀର ଜୈସ୍ବାଲ କହିଛନ୍ତି,  ଆମେ ଜାଣୁ ଯେ ଖିଲଖେଟରେ ଦୁର୍ଗା ମନ୍ଦିର ଭାଙ୍ଗିବାପାଇଁ ଚରମପନ୍ଥୀମାନେ ଘୋଷଣା କରିଥିଲେ।  କିନ୍ତୁ ମହମ୍ମଦ ୟୁନୁସ୍‌ଙ୍କ ଅନ୍ତରୀଣ ସରକାର ମନ୍ଦିରକୁ ସୁରକ୍ଷା ଦେବା ବଦଳରେ  ଏହି ମାମଲାରେ ଚରମପନ୍ଥୀଙ୍କ ପକ୍ଷ ନେଇଛନ୍ତି।

ବେଆଇନ ଜମିରେ ମନ୍ଦିର ନିର୍ମାଣ ହୋଇଥିବା ଦର୍ଶାଇ ଆଜି ମନ୍ଦିରକୁ ଭାଙ୍ଗି ଦିଆଯାଇଛି।  ଏମ୍‌ଇଏ ପକ୍ଷରୁ କୁହାଯାଇଛି ମନ୍ଦିର ପରିସରକୁ ସୁରକ୍ଷା ଦେବା ସମସ୍ତ କାରଣ ରହିଥିବା ସତ୍ତ୍ବେ ମନ୍ଦିର ଭଙ୍ଗାଯାଇଛି ଏବଂ  ମନ୍ଦିରରେ ଥିବା ମୂର୍ତ୍ତିକୁ ଅନ୍ୟତ୍ର ନେବା ପୂର୍ବରୁ ହିଁ ଭାଙ୍ଗି ଦିଆଯାଇଛି। ବାଂଲାଦେଶରେ ଇସ୍‌ଲାମିକ ଚରମପନ୍ଥୀଙ୍କ ଦ୍ବାରା ଲଗାତାର ଭାବେ ଏଭଳି ଘଟଣା ଘଟିବା‌ ଅତ୍ୟନ୍ତ ନୈରାଶ୍ୟଜନକ ବୋଲି ଜୈସ୍ବାଲ କହିଛନ୍ତି।  ଭାରତ ମଧ୍ୟ ବାଂଲାଦେଶକୁ ସଂଖ୍ୟାଲଘୁ ସମ୍ପ୍ରଦାୟ ପ୍ରତି ଥିବା ଏହାର ଦାୟିତ୍ବ ସଂକ୍ରାନ୍ତରେ ମନେ ପକାଇ ଦେଇଛି।  ଏମ୍‌ଇଏ ମୁଖପାତ୍ର କହିଛନ୍ତି, ହିନ୍ଦୁମାନଙ୍କୁ ସୁରକ୍ଷା ଦେବା ଏବଂ ସେମାନଙ୍କ ସମ୍ପତ୍ତି ଓ ଧାର୍ମିକ ଅନୁଷ୍ଠାନକୁ ସୁରକ୍ଷା ଦେବାର ଦାୟିତ୍ବ ବାଂଲାଦେଶ ଅନ୍ତରୀଣ ସରକାରର ରହିଛି ବୋଲି ମୁଁ ଏହା ମନେପକାଇ ଦେବାକୁ ଚାହୁଛି।  ଉଲ୍ଲେଖଯୋଗ୍ୟ,  ହିନ୍ଦୁ ମନ୍ଦିର ଭଙ୍ଗାରୁଜା ଘଟଣା ହିନ୍ଦୁ ଗୋଷ୍ଠୀ ମଧ୍ୟରେ ତୀବ୍ର ଉତ୍ତେଜନା ଖେଳାଇ ଦେଇଛି।

Leave a Reply

Your email address will not be published. Required fields are marked *