ଦିଲ୍ଲୀ ସ୍ଥିତ ଭାରତୀୟ ନୌସେନା ମୁଖ୍ୟାଳୟରେ ଅବସ୍ଥାପିତ ଜଣେ କର୍ମଚାରୀ ଗୁପ୍ତଚରଗିରି ଅଭିଯୋଗରେ ଗିରଫ

ନୂଆଦିଲ୍ଲୀ : ଦିଲ୍ଲୀ ସ୍ଥିତ ଭାରତୀୟ ନୌସେନା ମୁଖ୍ୟାଳୟରେ ଅବସ୍ଥାପିତ ଜଣେ କର୍ମଚାରୀ ଗୁପ୍ତଚରଗିରି ଅଭିଯୋଗରେ ଗିରଫ ହୋଇଛନ୍ତି।  ଅପରେସନ୍‌ ସିନ୍ଦୂର ସମେତ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ସୂଚନା ସେ ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇକୁ ଦେଇଥିବା ଅଭିଯୋଗରେ ଗିରଫ ହୋଇଛନ୍ତି। ଉକ୍ତ ନୌସେନା କର୍ମଚାରୀଙ୍କ ନାମ ବିଶାଲ ଯାଦବ। ନୌ‌ସେନା ମୁଖ୍ୟାଳୟରେ ସେ ଜଣେ କ୍ଲର୍କ ଭାବେ କାର୍ଯ୍ୟ କରନ୍ତି। ସେ ହରିୟାଣା ବାସିନ୍ଦା ଏବଂ  ରାଜସ୍ଥାନ ଗୁଇନ୍ଦା ଶାଖା ଦ୍ବାରା ତାଙ୍କୁ ହାଜତକୁ ନିଆଯାଇଛି। ଉଲ୍ଲେଖଯୋଗ୍ୟ, ରାଜସ୍ଥାନର ସିଆଇଡି ଗୁଇନ୍ଦା ଶାଖା ଏବେ ପାକିସ୍ତାନୀ ଆଇଏସ୍‌ଆଇ ଦ୍ବାରା ପରିଚାଳିତ ବିଭିନ୍ନ ଗୁପ୍ତଚର ନେଟ୍‌ୱର୍କ‌ର ଯାଞ୍ଚ କରୁଛି। ଯାଦବ ନୌସେନା ଅପରେସନ ଏବଂ ଅନ୍ୟାନ୍ୟ ପ୍ରତିରକ୍ଷା ପ୍ରତିଷ୍ଠାନ ସଂକ୍ରାନ୍ତରେ ଗୁରୁତ୍ବପୂର୍ଣ୍ଣ ସୂଚନା ଜଣେ ମହିଳାଙ୍କୁ ଦେଉଥିଲେ।  ଉକ୍ତ ମହିଳା ନିଜକୁ ପ୍ରିୟା ଶର୍ମା ବୋଲି ପରିଚୟ ଦେଉଥିବା ବେଳେ ସେ ଜଣେ ଆଇଏସ୍‌ଆଇ ସଞ୍ଚାଳକ ବୋଲି ବିଶ୍ବାସ କରାଯାଉଛି।  ପୁଲିସ ଅନୁଯାୟୀ ପ୍ରିୟା ଶର୍ମା ସମ୍ବେଦନଶୀଳ ସୂଚନା ବଦଳରେ ଯାଦବଙ୍କୁ ଟଙ୍କା ଦେଉଥିଲେ।   ଯାଦବଙ୍କ ସେଲଫୋନ୍‌ର ଫରେନ୍ସିକ୍‌ ପରୀକ୍ଷାରୁ ଜଣାପଡ଼ିଛି ଯେ ସେ ଅପରେସନ୍‌ ସିନ୍ଦୂର ସମେତ ପୂର୍ବରୁ ମଧ୍ୟ ସେନା ସଂକ୍ରାନ୍ତ ବିଭିନ୍ନ ତଥ୍ୟ ପ୍ରଦାନ କରିଥିଲେ। ଏକାଧିକ ଗୁଇନ୍ଦା ସଂସ୍ଥା ଏବେ ଅଭିଯୁକ୍ତ ବିଶାଲ ଯାଦବଙ୍କୁ ଜେରା କରୁଛନ୍ତି। ଏହି ଗୁଇନ୍ଦାଗିରିର ଚେର କେତେ ଲମ୍ବା ତାହା ଜାଣିବାପାଇଁ ଅଧିକ ତଦନ୍ତ ଜାରି ରହିଛି। 
ଉଲ୍ଲେଖଯୋଗ୍ୟ,  ପହଲଗାମ ଆତଙ୍କବାଦୀ ଆକ୍ରମଣ ପରଠାରୁ ସନ୍ଦିଗ୍ଧ ପାକିସ୍ତାନୀ ଗୁଇନ୍ଦା ନେଟୱର୍କ ଉପରେ ଭାରତୀୟ ଏଜେନ୍ସିଗୁଡ଼ିକର ଚଢ଼ଉ ଆରମ୍ଭ ହୋଇଛି। ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ସହ ସମ୍ପୃକ୍ତି ଅଭିଯୋଗରେ ଗତ କିଛିଦିନ ମଧ୍ୟରେ ଅନେକ ଲୋକ ଗିରଫ ହୋଇଛନ୍ତି।  

Leave a Reply