ଆଜିର ଅଶାନ୍ତ ବିଶ୍ୱରେ ଶାନ୍ତିର ପଥ କେବଳ ଯୋଗ ଦ୍ୱାରା ସମ୍ଭବ

ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଅଖିଳ ଭାରତୀୟ କାର୍ଯ୍ୟକାରିଣୀ ସଦସ୍ୟ ଭି. ଭାଗୈୟା ଜୀ କହିଛନ୍ତି ଯେ “ଆଜିର ଅଶାନ୍ତ ବିଶ୍ୱରେ, ଶାନ୍ତିର ପଥ କେବଳ ଯୋଗ ଦ୍ୱାରା ସମ୍ଭବ”। ୧୧ତମ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଇମ୍ଫାଲର କୋଜେଂଗଲେକାଇ ଭାସ୍କର ପ୍ରଭାରେ ଆୟୋଜିତ କାର୍ଯ୍ୟକ୍ରମରେ ଭାଗୈୟା ଜୀ ଉଦବୋଧନ ଦେଇଥିଲେ। ଯୋଗ ଦିବସରେ କ୍ରିଡା ଭାରତୀ ମଣିପୁର ଏବଂ ମଣିପୁର ବିଶ୍ୱବିଦ୍ୟାଳୟର କଲେଜ ବିକାଶ ପରିଷଦ ଦ୍ୱାରା ମିଳିତ ଭାବରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। 

ସେ ଯୋଗକୁ କେବଳ ବ୍ୟାୟାମ ନୁହେଁ, ବରଂ ଶାରୀରିକ, ମାନସିକ ଏବଂ ସାମାଜିକ ଶୁଦ୍ଧିର ଏକ ମାଧ୍ୟମ ବୋଲି ବର୍ଣ୍ଣନା କରିଥିଲେ। ସେ କହିଥିଲେ, “ଯୋଗ ଲୋକଙ୍କୁ ସଂଯୋଗ କରେ, କ୍ରୋଧକୁ ଶାନ୍ତ କରେ, ମନକୁ ସ୍ଥିର କରେ, ଶରୀରକୁ ପବିତ୍ର କରେ ଓ ପ୍ରେମ ଏବଂ ସଦ୍ଭାବ ବିସ୍ତାର କରେ। ଆଜିର ସମୟରେ ଯୋଗ ବିଶ୍ୱ ଶାନ୍ତିର ଏକ ସରଳ ଏବଂ ପ୍ରଭାବଶାଳୀ ମାଧ୍ୟମ ହୋଇପାରେ”।

ସେ ମହର୍ଷି ପତଞ୍ଜଳିଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ତାଙ୍କୁ ଯୋଗ ଦର୍ଶନର ମହାନ ପ୍ରବର୍ତ୍ତକ ବୋଲି କହିଥିଲେ।  ଆଜି ୧୭୦ ରୁ ଅଧିକ ଦେଶରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଉଛି, ଯାହା ଏହାର ବିଶ୍ୱସ୍ତରୀୟ ଗ୍ରହଣୀୟତାର ପ୍ରତୀକ।

ଏହି ଅବସରରେ ପାଞ୍ଚଟି ପ୍ରମୁଖ ଯୋଗ-ଆସନ ଅଭ୍ୟାସ କରାଯାଇଥିଲା, ପ୍ରଶିକ୍ଷକଙ୍କ ମାର୍ଗଦର୍ଶନରେ ଲୋକମାନେ ସକ୍ରିୟ ଭାବରେ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମରେ ପ୍ରାୟ ୫୦୦ ଜଣ ଅଂଶଗ୍ରହଣ କରିଥିଲେ। ଏଥିରେ ଛାତ୍ର, ଶିକ୍ଷକ, ଯୋଗ ପ୍ରେମୀ ଏବଂ ବିଭିନ୍ନ କ୍ଷେତ୍ରର ନାଗରିକ ସାମିଲ ଥିଲେ। 

Leave a Reply

Your email address will not be published. Required fields are marked *