ପରବର୍ତ୍ତୀ ପିଢ଼ିର ସଂସ୍କାର, ନୀତି ପୂର୍ବାନୁମାନ, ସ୍ଥିର ରାଜନୀତି ଏବଂ ବ୍ୟବସାୟ କରିବାର ସୁଗମତା ଦ୍ୱାରା ପରିଚାଳିତ ଭାରତ, ବିଶ୍ୱର ସବୁଠାରୁ ଦ୍ରୁତ ଅଭିବୃଦ୍ଧିଶୀଳ ପ୍ରମୁଖ ଅର୍ଥନୀତିରେ ପରିଣତ ହୋଇଛି

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସାଇପ୍ରସର ରାଷ୍ଟ୍ରପତି ମହାମହୀମ ନିକୋସ୍ କ୍ରିଷ୍ଟୋଡୋଲିଡେସଙ୍କ ସହ ଆଜି ଲିମାସୋଲଠାରେ ଆୟୋଜିତ ଏକ ଗୋଲ ଟେବଲ ବୈଠକରେ ଉଭୟ ଦେଶର ବ୍ୟବସାୟିକ ନେତାମାନଙ୍କ ସହିତ ଆଲୋଚନା କରିଛନ୍ତି। ମୁଖ୍ୟତଃ ବ୍ୟାଙ୍କିଙ୍ଗ, ଆର୍ଥିକ ପ୍ରତିଷ୍ଠାନ, ଉତ୍ପାଦନ, ପ୍ରତିରକ୍ଷା, ଲଜିଷ୍ଟିକ୍ସ, ସାମୁଦ୍ରିକ, ଜାହାଜ ଚଳାଚଳ, ପ୍ରଯୁକ୍ତିବିଦ୍ୟା, ନବସୃଜନ, ଡିଜିଟାଲ୍ ପ୍ରଯୁକ୍ତିବିଦ୍ୟା, ଏଆଇ, ଆଇଟି ସେବା, ପର୍ଯ୍ୟଟନ ଏବଂ ଯାନବହାନ ଚଳାଚଳ ପ୍ରଭୃତି କ୍ଷେତ୍ରର ପ୍ରତିନିଧିମାନେ ଏହି ଅଂଶଗ୍ରହଣକାରୀଙ୍କ ଭିତରେ ସାମିଲ ଥିଲେ।

ଗତ ୧୧ ବର୍ଷ ମଧ୍ୟରେ ଭାରତର ଦ୍ରୁତ ଅର୍ଥନୈତିକ ପରିବର୍ତ୍ତନ ବିଷୟକୁ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ ଯେ ପରବର୍ତ୍ତୀ ପିଢ଼ିର ସଂସ୍କାର, ନୀତି ପୂର୍ବାନୁମାନ, ସ୍ଥିର ରାଜନୀତି ଏବଂ ବ୍ୟବସାୟ କରିବାର ସୁଗମତା ଦ୍ୱାରା ପରିଚାଳିତ ଭାରତ, ବିଶ୍ୱର ସବୁଠାରୁ ଦ୍ରୁତ ଅଭିବୃଦ୍ଧିଶୀଳ ପ୍ରମୁଖ ଅର୍ଥନୀତିରେ ପରିଣତ ହୋଇଛି। ନବସୃଜନ, ଡିଜିଟାଲ ବିପ୍ଳବ, ଷ୍ଟାର୍ଟ-ଅପ୍ ଏବଂ ଭବିଷ୍ୟତ ଭିତ୍ତିଭୂମି ବିକାଶକୁ ପ୍ରାଧାନ୍ୟ ଦିଆଯିବା ଉପରେ ଗୁରୁତ୍ୱାରୋପ କରି ସେ କହିଛନ୍ତି, ବିଶ୍ୱର ପଞ୍ଚମ ବୃହତ ଅର୍ଥନୀତି ଭାରତ କିଛି ବର୍ଷ ମଧ୍ୟରେ ତୃତୀୟ ବୃହତ ଅର୍ଥନୀତି ହେବା ଦିଗରେ ଅଗ୍ରସର ହେଉଛି। ଏଥିଲାଗି ଦେଶ ଭଲ ସ୍ଥିତିରେ ରହିଛି। ସେ ଉଲ୍ଲେଖ କରିଥିଲେ ଯେ ଭାରତର ବେସାମରିକ ବିମାନ ଚଳାଚଳ, ବନ୍ଦର, ଜାହାଜ ନିର୍ମାଣ, ଡିଜିଟାଲ ପେମେଣ୍ଟ ଏବଂ ସବୁଜ ବିକାଶ କ୍ଷେତ୍ରରେ ସ୍ଥିର ଅଭିବୃଦ୍ଧି ସାଇପ୍ରସର କମ୍ପାନୀଗୁଡ଼ିକ ପାଇଁ ଭାରତର ସହଭାଗୀ ହେବା ଲାଗି ଅପାର ସୁଯୋଗ ଉନ୍ମୋଚନ କରିଛି। ସେ ଭାରତର କୁଶଳୀ ପ୍ରତିଭା ଏବଂ ଷ୍ଟାର୍ଟ-ଅପ୍ ଇକୋସିଷ୍ଟମର ଶକ୍ତି ଉପରେ ଗୁରୁତ୍ୱାରୋପ କରିବା ସହ ଭାରତର ଅଭିବୃଦ୍ଧି କାହାଣୀରେ ଅବଦାନ ରଖୁଥିବା ନୂତନ ଏବଂ ଉଦୀୟମାନ ଉତ୍ପାଦନ, ଏଆଇ, କ୍ୱାଣ୍ଟମ୍, ସେମିକଣ୍ଡକ୍ଟର ଏବଂ କ୍ରିଟିକାଲ୍ ମିନେରାଲ୍ସ ପରି କ୍ଷେତ୍ର ବିଷୟରେ ଆଲୋକପାତ କରିଥିଲେ।

Leave a Reply

Your email address will not be published. Required fields are marked *