Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଜନଜାତି ସୁରକ୍ଷା ମଂଚ, ଓଡିଶା ତରଫରୁ ଭୁବନେଶ୍ୱରସ୍ଥ ଜନତା ମଇଦାନ ପଡିଆରେ ବିଶାଳ ଜନଜାତି ସମାବେଶ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଜନଜାତି ସୁରକ୍ଷା ମଂଚ, ଓଡିଶା ତରଫରୁ ଭୁବନେଶ୍ୱରସ୍ଥ ଜନତା ମଇଦାନ ପଡିଆରେ ବିଶାଳ ଜନଜାତି ସମାବେଶ

ଭୁବନେଶ୍ୱର,୨୫/୩:  ଜନଜାତି ସୁରକ୍ଷା ମଂଚ, ଓଡିଶା ତରଫରୁ ଭୁବନେଶ୍ୱରସ୍ଥ ଜନତା ମଇଦାନ ପଡିଆରେ ଆଜି ବିଶାଳ ଜନଜାତି ସମାବେଶ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ସାରା ଓଡିଶାର ଜନଜାତି ଭାଇ ଭଉଣୀମାନେ ପାରମ୍ପରିକ ବେଶଭୂଷାରେ  ସଜ୍ଜିତ ହୋଇ ଭୁବନେଶ୍ୱର ପରିକ୍ରମା କରି ଜନତା ମଇଦାନରେ ପହଁଚିଥିଲେ । ନିଜର ଧର୍ମସଂସ୍କୃତିକୁ ରକ୍ଷା କରିବା ପାଇଁ ତଥା ଯେଉଁମାନେ ଧର୍ମାନ୍ତରିତ ହୋଇ ଯାଇଛନ୍ତି ସେମାନଙ୍କୁ ଜନଜାତି ସୂଚୀରୁ ଅଲଗା କରିବା ଦାବି କରିଥିଲେ ।

ଜନଜାତି ସୁରକ୍ଷା ମଂଚ, ଓଡିଶା ତରଫରୁ ଆଜି ଭୁବନେଶ୍ୱରର ତିନୋଟି ସ୍ଥାନରୁ ବିଶାଳ ଶୋଭାଯାତ୍ରା ବାହାରିଥିଲା । ପ୍ରଥମ ଶୋଭାଯାତ୍ରାଟି ରାମ ମନ୍ଦିର ଛକରୁ ବାହାରି ପ୍ରଦର୍ଶନି ପଡିଆ, ଚାରି ନମ୍ବର ଛକ, ରେଡକ୍ରସ ଛକ, କଳିଙ୍ଗ ଷ୍ଟାଡିୟମ ମାର୍ଗ, ଜୟଦେବ ବିହାର ହୋଇ ଜନତା ମଇଦାନରେ ପହଁଚି ଥିଲା ।

 ଦ୍ୱିତୀୟ ଶୋଭାଯାତ୍ରାଟି ଦୁର୍ଗା ମଣ୍ଡପ ସହିଦ ନଗରରୁ ବାହାରି ବାଣିବିହାର ଛକ, ଆଚାର୍ଯ୍ୟ ବିହାର, ଜୟଦେବ ବିହାର ହୋଇ ଜନତା ମଇଦାନରେ ପହଁଚିଥିଲା ଏବଂ ତୃତୀୟ ଶୋଭାଯାତ୍ରାଟି ଦୁର୍ଗା ମଣ୍ଡପ ନୟାପଲ୍ଲୀ ଠାରୁ ବାହାରି ଜୟଦେବ ବିହାର ହୋଇ ଜନତା ମଇଦାନରେ ସଭାସ୍ଥଳରେ ପହଁଚିବା  ପରେ ଏକ ବିରାଟ ଶକ୍ତି ପ୍ରଦର୍ଶନ ର୍ୟାଲିରେ ପରିବର୍ତିତ  ହୋଇଥିଲା ।

 ଓଡିଶାର ୨୬ଟି ଜନଜାତି ଜିଲ୍ଲାରୁ ୬୨ ପ୍ରକାର ଜନଜାତି ପୁରୁଷ ଓ ମହିଳାମାନେ ଏହି ଶୋଭାଯାତ୍ରାରେ ପାରମ୍ପରିକ ବେଶପୋଷାକ, ବାଦ୍ୟଯନ୍ତ୍ର ଓ ପ୍ଲାକାର୍ଡ ଧରି ଭାଗ ନେଇଥିଲେ । ଭୁବନେଶ୍ୱରର ବିଭିନ୍ନ ସ୍ଥାନମାନଙ୍କରେ ଏହି ଜନଜାତି ପ୍ରତିନିଧିମାନଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା । 

ଜନତା ମଇଦାନରେ ଅନୁଷ୍ଠିତ ବିଶାଳ ପ୍ରତିବାଦ  ସମାବେଶ ସକାଳ ୧୨ଟା ୩୦ମି.ରେ ଆରମ୍ଭ ହୋଇଥିଲା । ମୁଖ୍ୟବକ୍ତା ଭାବରେ ସୁରକ୍ଷା ମଂଚର ରାଷ୍ଟ୍ରୀୟ ସହ ସଂଯୋଜକ ଡଃ ରାଜକିଶୋର ହାଁସଦା ୨୦୦୬ ମସିହାରୁ ଆରମ୍ଭ ହୋଇ ଜନଜାତି ସୁରକ୍ଷା ମଂଚ କିପରି ପ୍ରକୃତ ଜନଜାତିମାନଙ୍କର ସ୍ୱାର୍ଥରକ୍ଷା  ପାଇଁ ସାରା ଦେଶରେ ଲଢେଇ ଜାରି ରଖିଛନ୍ତି, ସେ ସମ୍ବନ୍ଧରେ ଅଭିଭାଷଣ ପ୍ରଦାନ କରିଥିଲେ । ସମ୍ବିଧାନର ୩୪୨ ଧାରାରେ ସଂଶୋଧନ କରାଇ  ଧର୍ମାନ୍ତରିତ ଜନଜାତିଙ୍କୁ ସରକାରୀ ସଂରକ୍ଷଣ ସୁବିଧାରୁ ବାଦ ନକରିବା ଯାଏ ଜନଜାତି ସମାଜ ଶାନ୍ତି ନରହି ସଂଘର୍ଷ ଜାରି ରଖିବ ବୋଲି ଚେତାବନୀ ଦେଇଥିଲେ ।

 ମଂଚର ରାଷ୍ଟ୍ରୀୟ ସଂଯୋଜକ ଶ୍ରୀ ଗଣେଷ ରାମ ଭଗତ ଭାରତର ସ୍ୱାଧୀନତା ସଂଗ୍ରାମରେ ଜନଜାତିମାନଙ୍କ ଭୂମିକା ସମ୍ବନ୍ଧରେ ଆଲୋକପାତ କରିଥିଲେ ।

 ଅନ୍ୟତମ ବକ୍ତା ଭାବରେ କେନ୍ଦ୍ରୀୟ ସମିତି ତଥା କନ୍ଧମାଳ କୁଇ କ୍ଲାମ୍ବୁ ସଂଗଠନର ଉଦ୍ୟକ୍ତା ଶ୍ରୀ ପବିତ୍ର କହଁର ଓଡିଶାର ୬୨ ପ୍ରକାର ଜନଜାତିମାନଙ୍କର ସଂଗଠନ କିପରି ମଜଭୁତ ହେବ ଓ ସମାବେଶର ଉଦେ୍ଦଶ୍ୟ ବିଷୟରେ ଆଲୋକପାତ କରିଥିଲେ । ବିଧର୍ମି ଜନଜାତିମାନଙ୍କ ଠାରୁ ଅଧିକାର ଛଡାଇ ଆଣି ପ୍ରକୃତ ଜନଜାତିଙ୍କୁ ନ୍ୟାୟ ପ୍ରଦାନ କରିବା ହିଁ ଆମର ମୁଖ୍ୟ ଉଦେ୍ଦଶ୍ୟ ବୋଲି କହିଥିଲେ । 

ଗଣ୍ଡ ସମାଜର ରାଜ୍ୟ ମହିଳା ସଂଯୋଜିକା  ଶ୍ରୀମତୀ ବିଣାପାଣୀ ନାଏକ ଜନଜାତି ମହିଳାମାନଙ୍କୁ ସୁଶିକ୍ଷିତ ହୋଇ ନିଜର ଅଧିକାର ପ୍ରତି ସଚେତନ ହେବା ପାଇଁ କହିଥିଲେ । କନ୍ଧସମାଜର ବୁଦ୍ଧିଜୀବୀ ଶ୍ରୀମତୀ ଗୀତାଞ୍ଜଳି  ଭୋଇ ସାରା ରାଜ୍ୟ ଓ ଦେଶର ବୁଦ୍ଧିଜୀବୀମାନଙ୍କୁ ଜନଜାତିମାନଙ୍କ ଅଧିକାର ପାଇଁ ତାଙ୍କ ପଛରେ ଛିଡା ହେବାକୁ ଆହ୍ୱାନ ଦେଇଥିଲେ ।

 ମଂଚରେ ଓଡିଶାର ବିଭିନ୍ନ ଜନଜାତି ସମାଜର ମୁଖିଆ ଏବଂ ଉକ୍ତ ସମାବେଶର ୩୦ ଜଣ ଜନଜାତି ପ୍ରତିନିଧି ଉପସ୍ଥିତ ଥିଲେ । ପ୍ରାନ୍ତ ସଂଯୋଜକ ଶକ୍ତିଦୟାଲ କିସ୍କୁ ଧନ୍ୟବାଦ ଅର୍ପଣ କରି ସମାପ୍ତ କରିଥିଲେ । କୋରା ରାଉତ ଓ ସୁଶ୍ରୀ କବିତା କହଁର ମଂଚ ପରିଚାଳନା କରିଥିଲେ । 

Leave a Reply