ପାଞ୍ଚ ନକ୍ସଲ ଗିରଫ, ଆମେରିକା ନିର୍ମିତ ରାଇଫଲ୍ ଓ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ଜବତ

ବିଶ୍ରା: ସୁନ୍ଦରଗଡ଼ ସୀମାନ୍ତ ଝାଡ଼ଖଣ୍ଡ ହଜାରିବାଗ ଜିଲ୍ଲା ପୁଲିସ ନିଷିଦ୍ଧ ସଂଗଠନ ଟିଏସ୍‌ପିସି(ତୃତୀୟ ସମ୍ମିଳନୀ ଉପସ୍ଥାପନା କମିଟି)ର ମୋଷ୍ଟ ୱାଣ୍ଟେଡ୍ ଏରିଆ କମାଣ୍ଡର ପ୍ରଶାନ୍ତ ଓରଫ ଅବଧେଶ ସିଂହ ସମେତ ପାଞ୍ଚଜଣ ନକ୍ସଲକୁ ଗିରଫ କରିଛି। ସେମାନଙ୍କଠାରୁ ଆମେରିକା ନିର୍ମିତ ଏଆର୍‌ ୧୫ ଏମ୍‌-୪ ରାଇଫଲ୍ ସମେତ ଅନେକ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି।

ସଦର ଏସଡିପିଓ ଜୁନ୍ ୧୨ ତାରିଖ ରାତିରେ ଗୁଇନ୍ଦା ସୂଚନା ପାଇଥିଲେ ଯେ ଟିଏସ୍‌ପିସି ସଙ୍ଗଠନର କିଛି କର୍ମୀ ଏକ ବଡ଼ ଘଟଣା ଘଟାଇବାକୁ ଯୋଜନା କରୁଛନ୍ତି। ସୂଚନା ମିଳିବା ମାତ୍ରେ କାର୍ଯ୍ୟାନୁଷ୍ଠାନ ପାଇଁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିଲା। ଏହି ସଶସ୍ତ୍ର ବାହିନୀ କେରେଡାରିର ତାରହେସା ଜଙ୍ଗଲସ୍ଥ ଘଟଗୋସାଇରେ ଚଢ଼ଉ କରିଥିଲେ। ଏହି ସମୟରେ ଅବଧେଶ କୁମାର ଓରଫ ପ୍ରଶାନ୍ତଙ୍କ ବ୍ୟତୀତ ଆଦିତ୍ୟ ଗଞ୍ଜୁ, ଦେବେନ ଗଞ୍ଜୁ, ଧରମ ଗଞ୍ଜୁ ଓ ରୂପଲାଲ ଗଞ୍ଜୁଙ୍କୁ ଗିରଫ କରାଯାଇଥିଲା। ସେମାନଙ୍କଠାରୁ ଏକ ଆମେରିକା ନିର୍ମିତ ରାଇଫଲ ବ୍ୟତୀତ ଗୋଟିଏ ପିସ୍ତଲ(୭.୬୨ ମିମି), ତିନୋଟି ଦେଶୀକଟ୍ଟା, ୨୮ଟି ଜୀବନ୍ତ ଗୁଳି, ୯ଟି ମୋବାଇଲ୍, ସଙ୍ଗଠନର ପାମ୍ପଲେଟ୍, ଗୋଟିଏ ବ୍ୟାକ୍‌ପ୍ୟାକ୍ ଓ ଗୋଟିଏ ମାଗାଜିନ୍ ପାଉଚ୍ ଜବତ କରାଯାଇଛି। ଏହି ଉଗ୍ରବାଦୀଙ୍କୁ ବିଦେଶୀ ଅସ୍ତ୍ରଶସ୍ତ୍ର କିଏ ଯୋଗାଇଥିଲା ତାହା ପୁଲିସ ତଦନ୍ତ କରୁଛି। ଆବଶ୍ୟକ ହେଲେ, ଗିରଫ ନକ୍ସଲନେତାଙ୍କୁ ରିମାଣ୍ଡରେ ନେଇ ପୁଲିସ ପଚରାଉଚରା କରିବ ବୋଲି ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *