ଗୋହତ୍ୟା ଅଭିଯୋଗରେ ୨ ଗିରଫ

ତିହିଡ଼ି : ଭଦ୍ରକ ଜିଲା ତିହିଡ଼ି ଥାନା ଅଚକ ପଞ୍ଚାୟତ ଅଧୀନ ନନ୍ଦପୁର ଗ୍ରାମର ଏକ ସର୍ବସାଧାରଣ ଜାଗାରେ ସଂଖ୍ୟାଲଘୁ ଶ୍ରେଣୀର କେତେକ ବ୍ୟକ୍ତି ଗୋହତ୍ୟା କରି ମାଂସ କାଟୁଥିବା ଘଟଣାକୁ ନେଇ ପୁଲିସ ମଙ୍ଗଳବାର ନନ୍ଦପୁର ସଂଖ୍ୟାଲଘୁ ବସ୍ତିର ନବୀନ ସାହା ଏବଂ ଏମଡି ହୋସେନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାଯାଇଛି । ନନ୍ଦପୁର ଗ୍ରାମରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଲକ୍ଷ୍ୟ କରି ପୁଲିସ ମୁତୟନ କରାଯାଇଛି । ସୂଚନା ଯୋଗ୍ୟ ଯେ, ମାର୍ଚ୍ଚ ୧୫ ତାରିଖ ରାତି ପ୍ରାୟ ୧୦.୨୫ ମିନିଟ୍ ସମୟରେ ନନ୍ଦପୁର ଗ୍ରାମର କେତେକ ବ୍ୟକ୍ତି ଗୋମାତାକୁ ହତ୍ୟା କରି ମାଂସ କାଟୁଥିଲେ । ଏହି ମାଂସ କଟାକୁ ଗ୍ରାମର ଶରତ ପୁହାଣ, ରାଜେଶ୍ୱର ପୁହାଣ, ଶଙ୍କର୍ଷଣ ନାୟକ, ନିରାକାର ନାଥ, ଦେବାଶିଷ ସାହୁ ପ୍ରମୁଖ ବିରୋଧ କରିବାରୁ ସେମାନଙ୍କୁ ଅପରପକ୍ଷମାନେ ଗାଳିଗୁଲଜ କରି ଜୀବନରୁ ମାରିଦେବାକୁ ଧମକ ଦେଇଥିବା ଅଭିଯୋଗ ହୋଇଥିଲା । ପରେ ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପକ୍ଷରୁ ଜିଲା ଏସପି ଓ ଗୋମାତା ସମିତିଙ୍କ ଦୃଷ୍ଟି ଆକର୍ଷଣ କରି ଅଭିଯୁକ୍ତମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ସହିତ ଆଗାମୀ ଦିନରେ ଏପ୍ରକାର ଘଟଣା ଯେମିତି ନହେବ ସେନେଇ ପଦକ୍ଷେପ ନେବାକୁ ଦାବି କରାଯାଇଥିଲା । ଏ ସମ୍ପର୍କରେ ପୁଲିସ କେଶ ନଂ ୧୩୫/୨୩ରେ ଏକ ମକଦ୍ଦମା ରୁଜୁ କାରି ତଦନ୍ତ ଚଳାଇଥିଲା ।

Leave a Reply

Your email address will not be published. Required fields are marked *