‘ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ସମସ୍ତ ବିଦ୍ୟାଳୟର ଆଦର୍ଶ, ମାର୍ଗଦର୍ଶକ ତଥା ପ୍ରେରକ ହେଉ’

ଶିକ୍ଷା ବିକାଶ ସମିତି, ଓଡ଼ିଶାଙ୍କ ଆନୁକୂଲ୍ୟରେ ପ୍ରାଦେଶିକ ପ୍ରଧାନ ଆଚାର୍ଯ୍ୟ ସମ୍ମିଳନୀ ଉଦ୍‌ଯାପିତ
‘ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ସମସ୍ତ ବିଦ୍ୟାଳୟର ଆଦର୍ଶ, ମାର୍ଗଦର୍ଶକ ତଥା ପ୍ରେରକ ହେଉ’
ବିଦ୍ୟାଭାରତୀ, ଶିକ୍ଷାବିକାଶ ସମିତି, ଓଡ଼ିଶାଙ୍କ ତରଫରୁ ଅନୁଷ୍ଠିତ ହୋଇଥିବା ପ୍ରାଦେଶିକ ପ୍ରଧାନ ଆଚାର୍ଯ୍ୟ ସମ୍ମିଳନୀ ସରସ୍ୱତୀ ବିଦ୍ୟା ମନ୍ଦିର, କେଶବଧାମ, ଗତିରାଉତପାଟଣା, କଟକ ପରିସରରେ ଜୁନ୍ ୧୨ ତାରିଖ ପୂର୍ବାହ୍ଣ ୧୧ ଘଟିକା ସମୟରେ ଉଦ୍‌ଯାପିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ମାନ୍ୟବର କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ, ସମ୍ମାନିତ ଅତିଥି ଭାବେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଓଡ଼ିଶା ପୂର୍ବର ପ୍ରାନ୍ତ କାର୍ଯ୍ୟବାହ ଡ. ଅନିଲ କୁମାର ମିଶ୍ର, ବିଦ୍ୟା ଭାରତୀ, ଅଖିଳ ଭାରତୀୟ ଶିକ୍ଷା ସଂସ୍ଥାନର ସଂଗଠନ ମନ୍ତ୍ରୀ ମନନୀୟ ଶ୍ରୀମାନ ଗୋବିନ୍ଦ ଚନ୍ଦ୍ର ମହାନ୍ତ, ମୁଖ୍ୟ ବକ୍ତା ଭାବେ ବିଦ୍ୟା ଭାରତୀ, ଅଖିଳ ଭାରତୀୟ ଶିକ୍ଷା ସଂସ୍ଥାନର ଅଧ୍ୟକ୍ଷ ଡ. ରବୀନ୍ଦ୍ର କାହ୍ନେରେ, ଅଧ୍ୟକ୍ଷ ଭାବେ ଶିକ୍ଷା ବିକାଶ ସମିତି, ଓଡ଼ିଶାଙ୍କ ସଭାପତି, ଡ. କିଶୋରଚନ୍ଦ୍ର ମହାନ୍ତି ମଞ୍ଚାରୂଢ଼ ହୋଇ ସମ୍ମିଳନୀର ଶୋଭା ବର୍ଦ୍ଧନ କରିଥିଲେ । ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ଉଦ୍‌ବୋଧନରେ ବିଦ୍ୟା ଭାରତୀ, ଶିଶୁ ବିଦ୍ୟା ମନ୍ଦିରର ଭୂୟଶୀ ପ୍ରଶଂସା କରିବା ସହିତ କହିଥିଲେ କି “ବିଦ୍ୟା ଭାରତୀ ଶିକ୍ଷା େକ୍ଷେତ୍ରରେ ଏକ ବୈଚାରିକ ଆନ୍ଦୋଳନ । ରାଷ୍ଟ୍ରୀୟ ଶିକ୍ଷାନୀତି ପ୍ରଣୟନର ଏକ ଜ୍ୱଳନ୍ତ ପ୍ରତିଫଳନ । ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ସମସ୍ତ ବିଦ୍ୟାଳୟର ଆଦର୍ଶ, ମାର୍ଗଦର୍ଶକ ତଥା ପ୍ରେରକ ହେଉ । ଓଡ଼ିଶାର ଶିକ୍ଷା କ୍ଷେତ୍ରରେ ନେତୃତ୍ୱ ନେଉ, ଏକ ନୂତନ ଓଡ଼ିଶା ଗଠନରେ ଶିଶୁ ବିଦ୍ୟା ମନ୍ଦିର ମୁଖ୍ୟ ଭୂମିକା ଗ୍ରହଣ କରୁ ।” ସମ୍ମାନିତ ଅତିଥି ରୂପେ ଡ. ଅନିଲକୁମାର ମିଶ୍ର ଚିରନ୍ତନ ଭାରତୀୟତାର ମୂଲ୍ୟବୋଧକୁ ସ୍ଥିର ରଖି ଯୁଗାନୁସାରେ ଶିକ୍ଷାର ପରିବର୍ତ୍ତନ ହେବା ଆବଶ୍ୟକ ଏବଂ ଆମ୍ଭମାନଙ୍କୁ ବଦଳୁଥିବା ପରିସ୍ଥିତିରେ ନିଜକୁ ଖାପ ଖୁଆଇବାକୁ ହେଲେ ଭାରତର ‘ସ୍ୱ’କୁ ଜାଣିବାକୁ ହେବ ବୋଲି କହିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଶ୍ରୀମାନ ଗୋବିନ୍ଦ ଚନ୍ଦ୍ର ମହାନ୍ତ ତାଙ୍କ ବକ୍ତବ୍ୟରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରଛାତ୍ରୀମାନେ ସମାଜର ବିଭିନ୍ନ କ୍ଷେତ୍ରରେ ନିଜ ପ୍ରତିଭା ବଳରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ବୋଲି କହିଥିଲେ । ମୁଖ୍ୟ ବକ୍ତା ଡ. ରବୀନ୍ଦ୍ର କାହ୍ନେରେ ତାଙ୍କର ଓଜସ୍ୱୀ ତଥା ସରଗର୍ଭକ ମାର୍ଗଦର୍ଶନରେ କହିଥିଲେ ରାଷ୍ଟ୍ର ସର୍ବୋପରି । ଏକ ଶକ୍ତିଶାଳୀ ଭାରତ, ଆତ୍ମନିର୍ଭର ଭାରତ ନିର୍ମାଣ ପାଇଁ ଯେଉଁ ଶକ୍ତିର ଆବଶ୍ୟକ ତାହା ଆମ ଶିକ୍ଷାନୀତି, ମାନବ ସଂସାଧନ ଓ ପ୍ରକୃତିଠାରେ ଭରପୂର ହୋଇ ରହିଛି । ବିଦ୍ୟାଳୟ ହେଉଛି ସମାଜ ନିର୍ମାଣର ଏକ ପ୍ରୟୋଗଶାଳା । ଏଠାରେ ବିଦ୍ୟାର୍ଥୀ ଭିତରେ ନେତୃତ୍ୱ, କତ୍ତୃତ୍ୱ, ଦୃଢ଼ ଇଚ୍ଛାଶକ୍ତି, ସ୍ୱାଭିମାନ ଆତ୍ମନିର୍ଭର ଭାବ ଭରିବାକୁ ହେବ । ଆମ ଭାଷା, ଧର୍ମ ଓ ପରମ୍ପରାକୁ ସମ୍ମାନ ଜଣାଇ ଆଗକୁ ବଢ଼ିବାକୁ ହେବ । କାର୍ଯ୍ୟକ୍ରମରେ ଶିକ୍ଷାବିକାଶ ସମିତି ଓଡ଼ିଶାଙ୍କ ସମ୍ପାଦକ ଡ. ସରୋଜକୁମାର ହାତୀ ମଞ୍ଚାସୀନ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିବାବେଳେ ସଂଗଠନ ସମ୍ପାଦକ, ସମ୍ମିଳନୀର ବିବରଣୀ ପ୍ରଦାନ କରିଥିଲେ । ସମାରୋପ ମଞ୍ଚର ଅଧ୍ୟକ୍ଷ ଡ. କିଶୋର ଚନ୍ଦ୍ର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟା ଭାରତୀଙ୍କ ସହମନ୍ତ୍ରୀ ଶ୍ରୀମତୀ ଗାୟତ୍ରୀ ବାହିନୀପତି, ବିଦ୍ୟା ଭାରତୀ ପୂର୍ବକ୍ଷେତ୍ର ସଂଗଠନ ମନ୍ତ୍ରୀ ଡ. ଆନନ୍ଦରାଓ ପାର୍ଦ୍ଧୀ, ମନ୍ତ୍ରୀ ଡା. ଲକ୍ଷ୍ମୀକାନ୍ତ ମହାରଣା, ସହମନ୍ତ୍ରୀ ଶ୍ରୀ ହେମନ୍ତ ପାଣିଗ୍ରାହୀ, କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀମାନ ବିଜୟ ଗଣେଶ କୂଲକର୍ଣ୍ଣୀ ଓ ଶ୍ରୀମାନ ଦିବାକର ଘୋଷ, ଶିକ୍ଷା ବିକାଶ ସମିତି, ଓଡ଼ିଶାଙ୍କ ଉପାଧ୍ୟକ୍ଷ ଶ୍ରୀଯୁକ୍ତ କମଳାକାନ୍ତ ମିଶ୍ର, ଯୁଗ୍ମ ସମ୍ପାଦକ, ଶ୍ରୀ ଉମେଶଚନ୍ଦ୍ର ଦାଶ, ଶ୍ରୀ ଖଗେଶ୍ୱର ଦାଶ ଓ କୋଷାଧକ୍ଷ ଶ୍ରୀଯୁକ୍ତ ସତ୍ୟନାରାୟଣ ପଟ୍ଟନାୟକ ଆଦି ପ୍ରମୁଖ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ବିଭିନ୍ନ ସମୟରେ ପାଥେୟ ପ୍ରଦାନ କରିଥିଲେ । ୩ ଦିନର ଏହି କାର୍ଯ୍ୟକ୍ରମରେ ମୋଟ ୧୧ଟି କାଳାଂଶରେ ଶତାବ୍ଦୀର ପଞ୍ଚ ପରିବର୍ତ୍ତନ, ଶିଶୁବାଟିକା ୧୨ ଶୈକ୍ଷିକ ବ୍ୟବସ୍ଥା, ଆଚାର୍ଯ୍ୟ ଦକ୍ଷତା ବିକାଶରେ ପ୍ରଧାନାଚାର୍ଯ୍ୟଙ୍କ ଭୂମିକା, ଭାତରୀୟ ଜ୍ଞାନ ପରମ୍ପରା, ରାଷ୍ଟ୍ରୀୟ ଶିକ୍ଷାନୀତି-୨୦୨୦, ବିଦ୍ୟାଳୟ ସାମାଜିକ ଚେତନାର କେନ୍ଦ୍ର, ସାମାଜିକ ସମରସତା, ସେବା ସମର୍ପଣ, ସଂସ୍କାରକେନ୍ଦ୍ର, ଚାରି ଆୟାମ ଓ ଆର୍ଥିକ ବିବିଧତା ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ମାନସମନ୍ଥନ ହୋଇଥିଲା । ଓଡ଼ିଶାର କୋଣ ଅନୁକୋଣରୁ ୯୮୦ ପ୍ରଧାନ ଆଚାର୍ଯ୍ୟ ଏଥିରେ ଅଂଶଗ୍ରହଣ କରିଥିବାବେଳେ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତାଙ୍କୁ ନେଇ ୧୨୩୫ ସଂଖ୍ୟକ ଏଠାରେ ସମାବେଶିତ ହୋଇଥିଲେ । ସ୍ଥାନୀୟ ବିଦ୍ୟାଳୟର ପୂର୍ଣ୍ଣ ସହଯୋଗରେ ଏହା ସୁଚାରୁରୂପେ ସମ୍ପାଦିତ ହୋଇଥିଲା ।

Leave a Reply

Your email address will not be published. Required fields are marked *