ଜୟଶଙ୍କର ଆତଙ୍କବାଦ ବିରୁଦ୍ଧରେ ଭାରତର ଶୂନ୍ୟ ସହନଶୀଳତା ନୀତି ଉପରେ ଗୁରୁତ୍ୱାରୋପ

ନୂଆଦିଲ୍ଲୀ: ବ୍ରିଟେନ ଏବଂ ଭାରତ ମଧ୍ୟରେ ଏଫଟିଏ ଚୁକ୍ତିନାମା ହେବାର ଏକ ମାସ ପରେ ବ୍ରିଟେନ ବୈଦେଶିକ ମନ୍ତ୍ରୀ ଡେଭିଡ ଲୈମି ଭାରତ ଗସ୍ତରେ ଆସିଛନ୍ତି । ରଣନୈତିକ ସହଭାଗୀତାର ବିଭିନ୍ନ ଦିଗକୁ ସମୀକ୍ଷା କରିବା ଉଦ୍ଦେଶ୍ୟରେ ଏହି ଦୁଇ ଦିନିଆ ଗସ୍ତକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି। ଜୟଶଙ୍କର ଏବଂ ଲୈମି ଶନିବାର ଦିଲ୍ଲୀର ହାଇଦ୍ରାବାଦ ହାଉସରେ ପ୍ରତିନିଧିମଣ୍ଡଳ ସ୍ତରୀୟ ଆଲୋଚନା କରିଥିଲେ।

ଆତଙ୍କବାଦ ବିରୋଧରେ ଲଢ଼େଇରେ ସମର୍ଥନ ପାଇଁ ଜୟଶଙ୍କର ବ୍ରିଟେନକୁ ଧନ୍ୟବାଦ ଜଣାଇଥିଲେ। ଜୟଶଙ୍କର ଏହି ଅବସରରେ ପାକିସ୍ତାନକୁ ଏକ କଡ଼ା ବାର୍ତ୍ତା ଦେଇଥିଲେ ଏବଂ କହିଥିଲେ ଯେ, ଭାରତ ଆତଙ୍କବାଦ ବିରୁଦ୍ଧରେ ଶୂନ୍ୟ ସହନଶୀଳତା ନୀତି ଗ୍ରହଣ କରେ। ଆମେ ଆଶା କରୁଛୁ, ଆମର ସହଯୋଗୀମାନେ ଏହା ବୁଝିବେ। ସେ ସ୍ପଷ୍ଟ କରିଥିଲେ ଯେ, ଭାରତ କେବେ ବି ପୀଡିତଙ୍କ ସହିତ ଆତଙ୍କବାଦ ପ୍ରସାରଣକାରୀଙ୍କୁ ସମାନ କରିବାରେ ବିଶ୍ୱାସ କରେ ନାହିଁ।

ଜୟଶଙ୍କର ୬ ମେ’ରେ ଭାରତ ଏବଂ ବ୍ରିଟେନ ମଧ୍ୟରେ ସ୍ୱାକ୍ଷରିତ ଏଫଟିଏ ଏବଂ ଡବଲ୍ କଣ୍ଟ୍ରିବ୍ୟୁସନ୍ ଚୁକ୍ତିନାମାକୁ ଏକ ମାଇଲଖୁଣ୍ଟ ଭାବରେ ବର୍ଣ୍ଣନା କରିଥିଲେ। ସେ କହିଥିଲେ ଯେ, ଏହା କେବଳ ବାଣିଜ୍ୟ ଏବଂ ନିବେଶ ବୃଦ୍ଧି କରିବାରେ ସାହାଯ୍ୟ କରିବ ନାହିଁ ବରଂ ଦ୍ୱିପାକ୍ଷିକ ସମ୍ପର୍କର ରଣନୈତିକ ଦିଗ ଉପରେ ମଧ୍ୟ ସକାରାତ୍ମକ ପ୍ରଭାବ ପକାଇବ।

ଜୟଶଙ୍କର କହିଛନ୍ତି, ଦୁଇ ଦେଶ ଏକ ରଣନୈତିକ ରପ୍ତାନି ଏବଂ ପ୍ରଯୁକ୍ତିବିଦ୍ୟା ସହଯୋଗ ଆଲୋଚନା ମଧ୍ୟ ଆରମ୍ଭ କରିଛନ୍ତି। ୟୁକେ-ଭାରତ ମଧ୍ୟରେ ଭିତ୍ତିଭୂମି ଆର୍ଥିକ ଢାଞ୍ଚା ୟୁକେରୁ ଭାରତକୁ ଆର୍ଥିକ ପ୍ରବାହକୁ ମଧ୍ୟ ସହଜ କରିପାରିବ, ଯାହା ଆମର ଭିତ୍ତିଭୂମି ଆଲୋଚନାରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ସାବ୍ୟସ୍ତ ହେବ।

Leave a Reply