ଗୋଧ୍ରା ଟ୍ରେନ୍ ପୋଡ଼ି ଘଟଣାର ୧୧ ଦୋଷୀଙ୍କୁ ଫାଶୀଦଣ୍ଡ ଦାବି କରି ଉଚ୍ଚତ୍ତମ ନ୍ୟାୟାଳୟରେ ମାମଲା ଆଗତ କଲେ ଗୁଜୁରାଟ ସରକାର

ନୂଆଦିଲ୍ଲୀ : ୨୦୦୨ ଗୋଧ୍ରା ଟ୍ରେନ୍ ପୋଡ଼ି ମାମଲାର ୧୧ ଜଣ ଦୋଷୀଙ୍କୁ ଗୁଜୁରାଟ ହାଇକୋର୍ଟ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିବା ବେଳେ ଏହି ଦଣ୍ଡାଦେଶକୁ ଫାଶୀଦଣ୍ଡକୁ ବଦଳାଇବା ପାଇଁ ଗୁଜୁରାଟ ସରକାର ଫେବୃଆରୀ ୨୦ ତାରିଖ ଦିନ ସୁପ୍ରିମ୍କୋର୍ଟରେ ଆବେଦନ କରିଛନ୍ତି । ଅନ୍ୟପକ୍ଷରେ, ସୁପ୍ରିମ୍କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ଡି ୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ ପିଏସ୍ ନରସିଂହ ଓ ଜଷ୍ଟିସ୍ ଜେବି ପାର୍ଦିୱାଲାଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ ଏହି ମାମଲାର ଅନେକ ଅଭିଯୁକ୍ତଙ୍କ ଜାମିନ ଆବେଦନକୁ ତିନି ସପ୍ତାହ ପରେ ଶୁଣାଣି ପାଇଁ ଧାର୍ଯ୍ୟ କରିଛନ୍ତି । ଗୁଜରାଟ ସରକାରଙ୍କ ପକ୍ଷରୁ ସୁପ୍ରିମ୍କୋର୍ଟରେ ପ୍ରତିନିଧିତ୍ୱ କରୁଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଖଣ୍ଡପୀଠଙ୍କୁ କହିଛନ୍ତି ଯେ ଏହି ମାମଲାରେ ଯେଉଁ ଦୋଷୀମାନଙ୍କ ମୃତ୍ୟୁଦଣ୍ଡକୁ ଗୁଜୁରାଟ ହାଇକୋର୍ଟ ଆଜୀବନ କାରାଦଣ୍ଡରେ ପରିଣତ କରିଛନ୍ତି, ସେମାନଙ୍କୁ ମୃତ୍ୟୁଦଣ୍ଡ ଦେବା ପାଇଁ ଆମେ ଗମ୍ଭୀରତାର ସହ ଚାପ ପକାଇବୁ । ମହିଳା ଓ ଶିଶୁଙ୍କ ସମେତ ୫୯ ଜଣଙ୍କୁ ଜୀବନ୍ତ ପୋଡ଼ି ଦିଆଯିବା ଏକ ବିରଳତମ ଅପରାଧ । ଏହି ମାମଲାରେ ନିମ୍ନ ଅଦାଲତ ୧୧ ଜଣ ଦୋଷୀଙ୍କୁ ମୃତ୍ୟୁଦଣ୍ଡାଦେଶ ଦେଇଥିବା ବେଳେ ଅନ୍ୟ ୨୦ ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ । ସଲିସିଟର ଜେନେରାଲ ମେହେଟ୍ଟା କହିଛନ୍ତି ଯେ ହାଇକୋର୍ଟ ଏହି ମାମଲାରେ ମୋଟ ୩୧ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ ଏବଂ ୧୧ ଜଣ ଦୋଷୀଙ୍କ ମୃତ୍ୟୁଦଣ୍ଡକୁ ଆଜୀବନ କାରାଦଣ୍ଡରେ ପରିଣତ କରଥିଲେ । ୧୧ ଜଣ ଦୋଷୀଙ୍କ ଫାଶୀ ଦଣ୍ଡାଦେଶକୁ ଆଜୀବନ କାରାଦଣ୍ଡରେ ପରିଣତ କରିବା ବିରୋଧରେ ରାଜ୍ୟ ସରକାର ଆପିଲ କରିଛନ୍ତି ବୋଲି ସଲିସିଟର ଜେନେରାଲ ମେହେଟ୍ଟା କହିଛନ୍ତି । ଉଲ୍ଲେଖଯୋଗ୍ୟ, ସର୍ବୋଚ୍ଚ ଅଦାଲତ ଏହି ମାମଲାରେ ବର୍ତମାନ ସୁଦ୍ଧା ଦୁଇ ଜଣ ଦୋଷୀଙ୍କୁ ଜାମିନ ପ୍ରଦାନ କରିଛନ୍ତି । ଏହି ମାମଲାରେ ଅନ୍ୟ ୭ଜଣଙ୍କ ଜାମିନ ଆବେଦନ ବିଚାରାଧୀନ ରହିଛି ।

Leave a Reply

Your email address will not be published. Required fields are marked *