ଜାତୀୟ ସଂଗୀତର ଧୂନ ମଧ୍ୟରେ ପୁରୀର ପ୍ରବେଶ ପଥରେ ୧୦୮ ଫୁଟ ଉଚ୍ଚରେ ଉଡ଼ିଛି ସ୍ମାରକୀ ତ୍ରିରଙ୍ଗା

ପୁରୀ: ଜାତୀୟ ସଂଗୀତର ଧୂନ ମଧ୍ୟରେ ପୁରୀର ପ୍ରବେଶ ପଥରେ ୧୦୮ ଫୁଟ ଉଚ୍ଚରେ ଉଡ଼ିଛି ସ୍ମାରକୀ ତ୍ରିରଙ୍ଗା । ବୀର ସହିଦ ଜୟୀ ରାଜଗୁରୁଙ୍କ ଜନ୍ମ ମାଟି ବୀରହରେକୃଷ୍ଣପୁରରେ ଏହି ଧ୍ୱଜା ଉତ୍ତୋଳନ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ଫ୍ଲାଗ୍ ଫାଉଣ୍ଡେସନ୍ ଅଫ୍ ଇଣ୍ଡିଆ ପକ୍ଷରୁ ଆୟୋଜିତ ଏହି ଗୌରବମୟ ଉତ୍ସବରେ ରାଜ୍ୟପାଳ ପ୍ରଫେସର ଲାଲ ପତାକା ଉତ୍ତୋଳନ କରି କହିଥିଲେ, ଜାତୀୟ ପତାକା ଭାରତର ଆତ୍ମାକୁ ପ୍ରତିନିଧିତ୍ୱ କରେ । ନବୀନ ଜିନ୍ଦଲ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସନ୍ତାନ ଭାବେ ସମଗ୍ର ଦେଶରେ ପ୍ରତିଦିନ ତ୍ରିରଙ୍ଗା ଉଡ଼ାଇବା ପାଇଁ ଯେଉଁ ସଂଘର୍ଷ କରିଛନ୍ତି, ସେନେଇ ସେ ପ୍ରଶଂସାର ହକ୍ଦାର । ଫ୍ଲାଗ୍ ଫାଉଣ୍ଡେସନ୍ ଅଫ୍ ଇଣ୍ଡିଆର ଅଧ୍ୟକ୍ଷ ନବୀନ ଜିନ୍ଦଲ ପ୍ରତିଦିନ ରାଷ୍ଟ୍ରୀୟ ଧ୍ୱଜା ଉଡ଼ାଇବା ପାଇଁ ଛାତ୍ର ସମୟରୁ ୧୦ ବର୍ଷର ନ୍ୟାୟିକ ଲଢ଼େଇ ଲଢ଼ିବାର ଅନୁଭୂତି ବର୍ଣ୍ଣନା କରିଥିଲେ । ୧୯୯୩ରୁ ଉଚ୍ଚତମ ନ୍ୟାୟାଳୟରେ ଲଢ଼ି ୨୦୦୪ ମସିହା ଜାନୁଆରି ୨୩ ତାରିଖରେ ନ୍ୟାୟିକ ସଫଳତା ପାଇବା ପରେ ଏବେ ସମଗ୍ର ଦେଶରେ ପ୍ରତିଦିନ ବହୁ ଉଚ୍ଚରେ ସ୍ମାରକୀ ଧ୍ୱଜା ଉଡ଼ୁଥିବାରୁ ତାହା ତାଙ୍କୁ ଗର୍ବିତ କରିବା ସହ ସ୍ୱପ୍ନକୁ ସାକାର କରିଛି ବୋଲି ସେ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା କାର୍ଯ୍ୟକ୍ରମରେ ସାମିଲ୍ ହୋଇଥିଲେ । ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ମଞ୍ଚରେ ଫ୍ଲାଗ୍ ଫାଉଣ୍ଡେସନ୍ ଅଫ୍ ଇଣ୍ଡିଆର ଉପାଧ୍ୟକ୍ଷା ଶାଲୁ ଜିନ୍ଦଲ ଉପସ୍ଥିତ ଥିଲେ । ଜେଏସ୍ପିର ସଭାପତି ପ୍ରଶାନ୍ତ ହୋତା ପ୍ରାରମ୍ଭିକ ବକ୍ତବ୍ୟ ରଖିଥିଲେ । ଆନି ଶତପଥୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଉଲ୍ଲେଖଯୋଗ୍ୟ ଯେ ଏହା ହେଉଛି ୧୦୬ତମ ସ୍ମାରକୀ ପତାକା । ୧୦୮ ଫୁଟ ଉଚ୍ଚରେ ଉଡ଼ୁଥିବା ତ୍ରିରଙ୍ଗା ୩୬ ଫୁଟ୍ ଲମ୍ବା ଓ ୨୪ ଫୁଟ୍ ଚଉଡ଼ା । ଲୁହା ଦଣ୍ଡ ସହ ଜାତୀୟ ପତାକା ଦେଢ଼ ଟନ୍ ବିଶିଷ୍ଟ । ପୁରୀ ବାତ୍ୟାପ୍ରବଣ ଅଞ୍ଚଳ ହୋଇଥିବା ବେଳେ ଏହି ତ୍ରିରଙ୍ଗା ଘଣ୍ଟା ପ୍ରତି ୨୫୦ କିଲୋମିଟର ପର୍ଯ୍ୟନ୍ତ ପବନର ବେଗ ସମ୍ଭାଳିବାର କ୍ଷମତା ରଖିଛି ବୋଲି ଫ୍ଲାଗ୍ ଫାଉଣ୍ଡେସନ୍ ଅଫ୍ ଇଣ୍ଡିଆ ପକ୍ଷରୁ କୁହାଯାଇଛି ।

Leave a Reply

Your email address will not be published. Required fields are marked *