ଆତଙ୍କବାଦ ବିରୋଧରେ ମିଳିତ ସଂଗ୍ରାମ
ରାଜନାଥ ସିଂହ, ପ୍ରତିରକ୍ଷା ମନ୍ତ୍ରୀ, ଭାରତ ସରକାର
ଆତଙ୍କବାଦ ମାନବ ସମାଜ ଉପରେ ଏକ ଅଭିଶାପ ସଦୃଶ। ଏହା ଏଭଳି ଏକ ରୋଗ ଯାହା ସଭ୍ୟ ସମାଜର ସଞ୍ଚିତ ମୂଲ୍ୟବୋଧକୁ ଧ୍ୱଂସ କରିଥାଏ। ବିପ୍ଳବ, ସହିଦତ୍ୱ ଏବଂ ହିଂସାର ରୋମାଣ୍ଟିକ୍ ଭାବନା ଭଳି ବିଭ୍ରାନ୍ତିକର ଚିନ୍ତାଧାରା ଦ୍ୱାରା ଏହା ପରିପୁଷ୍ଟ ହୋଇଆସିଛି। ‘ଜଣେ ବ୍ୟକ୍ତିର ସ୍ୱାଧୀନତା ସଂଗ୍ରାମ ଅନ୍ୟ ଜଣେ ବ୍ୟକ୍ତି ପାଇଁ ଆତଙ୍କବାଦ’ ଭଳି ବିପଜ୍ଜନକ ଧାରଣା ବାସ୍ତବିକ୍ ଚିନ୍ତାଜନକ। ଭୟ କିମ୍ବା ରକ୍ତପାତ ଉପରେ ଆଧାରିତ କୌଣସି ସଂଗ୍ରାମ କଦାପି ବାସ୍ତବ ସ୍ୱାଧୀନତା ହୋଇ ନପାରେ।
ଆତଙ୍କବାଦ ଏବଂ ଆତଙ୍କବାଦୀଙ୍କ ଏକମାତ୍ର ଚିନ୍ତାଧାରା ହେଲା ଭୟ। ତଥାପି, ସେମାନେ ଯେତେବେଳେ ଏଭଳି ଭୟ ପ୍ରସାରିତ କରିଥାଆନ୍ତି, ସେମାନେ ଅନ୍ୟମାନଙ୍କ ମନରେ ନକାରାତ୍ମକ ଭାବନାର ବୀଜ ବପନ କରିବାରେ ସୁଦ୍ଧା ବିଫଳ ହୋଇଥାଆନ୍ତି। ଭାରତ ହେଉଛି ଏହି ଧାରଣାର ଏକ ଜ୍ୱଳନ୍ତ ଉଦାହରଣ। ତାହା ୨୬/୧୧ର ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ଘଟଣା ହୋଇଥାଉ, ଅବା ୨୦୦୧ ମସିହାର ଭାରତୀୟ ସଂସଦ ଭବନ ଉପରେ ଆକ୍ରମଣ କାଣ୍ଡ ହୋଇଥାଉ, କିମ୍ବା ନିକଟରେ ପହଲଗାଓଁଠାରେ ସଂଘଟିତ ଆତଙ୍କବାଦୀ ନରସଂହାର ହୋଇଥାଉ, ଭାରତ ସଦାବେଳେ ଏହା ବିରୋଧରେ ମଥା ଉନ୍ନତ କରି, ଦୃଢ଼ ମନୋଭାବ ସହିତ ଏବଂ ଅଧିକ ସଂକଳ୍ପବଦ୍ଧ ଭାବରେ ଦଣ୍ଡାୟମାନ ହୋଇଆସିଛି।
ସଂଗଠିତ ଭାରତର ମୁକାବିଲା କରିବା ସକାଶେ ଆତଙ୍କବାଦ ଏହାର ନିଜସ୍ୱ ଆଦର୍ଶ ଏବଂ ପ୍ରଚ୍ଛନ୍ନ ଉପଯୋଗ ଦୃଷ୍ଟିରୁ ବିଫଳ ହେବାକୁ ବାଧ୍ୟ ହୋଇଛି। ଏହାର ସ୍ଥିତି- ଏପରିକି ଗୋଟିଏ ଦିନ ପାଇଁ ସୁଦ୍ଧା ହେଉ – ତାହା ଆମର ସାମୂହିକ ବିବେକ ଏବଂ ଶାନ୍ତି ପ୍ରତି ଥିବା ପ୍ରତିବଦ୍ଧତା ପ୍ରତି ଚାଲେଞ୍ଜ ସୃଷ୍ଟି କରେ। ତେଣୁ ସବୁଦିନ ପାଇଁ ଏଭଳି ଦୁଷ୍ଟ ବ୍ରଣର ମୂଳୋତ୍ପାଟନ କରିବା ସକାଶେ ସମସ୍ତ ଶାନ୍ତିକାମୀ ରାଷ୍ଟ୍ର ଏବଂ ବ୍ୟକ୍ତିବିଶେଷ ଏକଜୁଟ ହେବା ଜରୁରୀ ମନେହୁଏ। ଏହା କିପରି ଭାବେ ସମ୍ଭବପର ହୋଇପାରିବ ତାହା ଭାରତ ସମଗ୍ର ବିଶ୍ୱକୁ ନିଜର କାର୍ଯ୍ୟାନୁଷ୍ଠାନ ଗ୍ରହଣ ମାଧ୍ୟମରେ ପ୍ରଦର୍ଶିତ କରିଛି।
ଦଶନ୍ଧି ଦଶନ୍ଧି ଧରି ରାଷ୍ଟ୍ର ପ୍ରାୟୋଜିତ ସୀମାପାର ଆତଙ୍କବାଦର ଆମେ ଶିକାର ହୋଇ ଆସିଛୁ। ଏଭଳି ଆତଙ୍କବାଦ ପାକିସ୍ତାନରୁ ହିଁ ମୁଣ୍ଡ ଟେକିଛି। ନିକଟରେ ପହଲଗାଓଁଠାରେ ନିରୀହ ପର୍ଯ୍ୟଟକଙ୍କ ଉପରେ ଆତଙ୍କବାଦୀଙ୍କ ବର୍ବରୋଚିତ ଆକ୍ରମଣ ଏବଂ ଭାରତର ଏକତାରେ ଫାଟ ସୃଷ୍ଟି କରିବାର ହୀନ ପ୍ରୟାସ ତଥା ଲୋକଙ୍କ ମନରେ ଭୟର ଭାବନା ସୃଷ୍ଟି କରିବା ପ୍ରୟାସରେ ସମ୍ପୂର୍ଣ୍ଣ ରୂପେ ବିଫଳ ହୋଇଛି। ତାହା ଏହି ଘଟଣାରୁ ପ୍ରମାଣିତ ଯେ ସେଠାରେ ନିରୀହ ପର୍ଯ୍ୟଟକଙ୍କୁ ଗୁଳିକରି ହତ୍ୟା କରିବା ପୂର୍ବରୁ ଆତଙ୍କବାଦୀମାନେ ସେମାନଙ୍କ ଧର୍ମ କ’ଣ ବୋଲି ପଚାରିଥିଲେ। ଆମର ଏକତାକୁ ତୁଟାଇବା ସକାଶେ ସମାନ ଧରଣର ଆଉ ଏକ ପ୍ରୟାସ କରାଯାଇଥିଲା ଯେତେବେଳେ ପାକିସ୍ତାନ ପକ୍ଷରୁ ଭାରତର ବିଭିନ୍ନ ଧର୍ମ ଓ ଆସ୍ଥାର ଉପାସନା ପୀଠ ଉପରେ ଡ୍ରୋନ୍ ଏବଂ ଗୁଳିଗୋଳା ମାଧ୍ୟମରେ ଆକ୍ରମଣ କରାଯାଇଥିଲା।
କୌଣସି ଧର୍ମ କେବେ ଏଭଳି ହୀନ ଓ ଜଘନ୍ୟ କାଣ୍ଡ ଭିଆଇବାକୁ ଅନୁମତି ଦିଏ ନାହିଁ। ସେମାନଙ୍କର ଏଭଳି ବର୍ବରୋଚିତ କାଣ୍ଡକୁ ପ୍ରମାଣସିଦ୍ଧ କରିବା ନିମନ୍ତେ ଆତଙ୍କବାଦୀମାନେ ରଣନୀତିକ ଓ ସୁଚିନ୍ତିତ ଭାବରେ ଧର୍ମର ଅପବ୍ୟବହାର ଓ ଆହ୍ୱାନ ଜଣାଇଥାନ୍ତି। ଧର୍ମର ପରଦା ପଛରେ ଲୁଚିରହି ଏହି ଆତଙ୍କବାଦୀମାନେ ଯେଉଁ ଆସ୍ଥାରେ ବିଶ୍ୱାସୀ ତାହାକୁ ଗଭୀର ଭାବରେ ବ୍ୟାହତ କରିବାର ପ୍ରୟାସ କରିଥାନ୍ତି ଏବଂ ଏଥିରେ ବିଶ୍ୱାସୀ ବୋଲି ଦାବି କରିଥାଆନ୍ତି। ଧର୍ମର ଏଭଳି ଭାବରେ ଅପବ୍ୟବହାର କରାଯିବା କଦାପି ଆକସ୍ମିକ କିମ୍ବା ଭାବାବେଗ ଦ୍ୱାରା ପ୍ରଭାବିତ ହୋଇ ନୁହେଁ, ବରଂ ଏହା ସେମାନଙ୍କର ଏକ ସୁଚିନ୍ତିତ ଫନ୍ଦି, ଅତି ଗଭୀର ଭାବରେ ରଚିତ ଏକ ରଣନୀତି ଯାହା ମାଧ୍ୟମରେ ସେମାନେ ଏଭଳି ଜଘନ୍ୟ କାଣ୍ଡକୁ ଯୁକ୍ତିସିଦ୍ଧ ବୋଲି ପ୍ରମାଣିତ କରିବାର ଅପଚେଷ୍ଟା କରିଆସୁଛନ୍ତି।
ଭାରତ ସଦାବେଳେ ଏକଥା ସ୍ପଷ୍ଟ କରିଆସିଛି ଯେ ଆମେ ଆତଙ୍କବାଦ ପ୍ରତି ଶୂନ୍ୟ ସହନଶୀଳତା ନୀତି ଆପଣାଇଛୁ। ଶାନ୍ତି ଆଲୋଚନା ଏବଂ ଆତଙ୍କବାଦୀ କାଣ୍ଡ କଦାପି ହାତ ଧରାଧରି ହୋଇ ଚାଲିପାରିବେ ନାହିଁ। ଅର୍ଥାତ୍, ଆତଙ୍କବାଦୀ କାର୍ଯ୍ୟକଳାପ ଚାଲିଥିବା ପର୍ଯ୍ୟନ୍ତ କୌଣସି ଶାନ୍ତି ଆଲୋଚନା ହେବା ଅସମ୍ଭବ ଏବଂ ଏଥିରୁ କିଛି ସୁଫଳ ମଧ୍ୟ ପ୍ରାପ୍ତ ହେବନାହିଁ। ତେଣୁ ପାକିସ୍ତାନ ସହିତ ଭବିଷ୍ୟତରେ ଯେକୌଣସି ଆଲୋଚନା କେବଳ ଆତଙ୍କବାଦ ଏବଂ ପାକିସ୍ତାନ ଅଧିକୃତ କାଶ୍ମୀର ପ୍ରସଙ୍ଗ ଉପରେ ହିଁ କେନ୍ଦ୍ରିତ ହେବ। ଆହୁରି ମଧ୍ୟ, ଯଦି ପାକିସ୍ତାନ ଗୁରୁତ୍ୱର ସହିତ ଏ ଦିଗରେ ଚିନ୍ତା କରୁଥାଏ ତେବେ ହାଫିଜ ସୟିଦ୍ ଏବଂ ମାସୁଦ ଆଝାରଙ୍କ ଭଳି ଜାତିସଂଘ ଘୋଷିତ ଆତଙ୍କବାଦୀମାନଙ୍କୁ ପ୍ରଥମେ ଭାରତକୁ ହସ୍ତାନ୍ତର କରିବାକୁ ପଡ଼ିବ, ଯଦ୍ଦ୍ବାରା ସେମାନଙ୍କ ପ୍ରତି ଉପଯୁକ୍ତ ନ୍ୟାୟ ବିଧାନ କରାଯାଇପାରିବ।
ଏକ ଦୀର୍ଘକାଳୀନ ପରିକଳ୍ପନା ଏବଂ ରଣନୀତିର ସନ୍ଧାନ କରିବା ସହିତ ଆତଙ୍କବାଦୀ କାର୍ଯ୍ୟକଳାପ ବିରୋଧରେ ଆମେ ଦୀର୍ଘ ଦିନ ଧରି ଲଢ଼ିଆସିଛୁ। ଆମର ସଶସ୍ତ୍ର ବଳଙ୍କୁ ପୂର୍ବରୁ କେବଳ ଆତ୍ମରକ୍ଷା ଭଳି କାର୍ଯ୍ୟରେ ନିୟୋଜିତ ହେବା ସକାଶେ ଅନୁମତି ପ୍ରଦାନ କରାଯାଉଥିଲା। କିନ୍ତୁ ସର୍ଜିକାଲ ଷ୍ଟ୍ରାଇକ୍ (୨୦୧୬), ବାଲାକୋଟ ଷ୍ଟ୍ରାଇକ୍ (୨୦୧୯) ଏବଂ ବର୍ତ୍ତମାନ ଅପରେସନ୍ ସିନ୍ଦୂର (୨୦୨୫) ଜରିଆରେ ଆତଙ୍କବାଦୀ ଏବଂ ପାକିସ୍ତାନରେ ଥିବା ସେମାନଙ୍କ ସୁରକ୍ଷାଦାତାମାନଙ୍କ ପ୍ରତି ନୀତିରେ ଭାରତ ମୌଳିକ ପରିବର୍ତ୍ତନ ଘଟାଇଛି। ଆମେ ଏବେ ବୁଝିପାରିଛୁ ଯେ ଆଦର୍ଶ ଏବଂ ରାଜନୈତିକ ଅସ୍ୱୀକାର, ଆତ୍ମରକ୍ଷା ଭଳି କାର୍ଯ୍ୟପନ୍ଥା ସେମାନଙ୍କ ମୁକାବିଲା ନିମନ୍ତେ ଯଥେଷ୍ଟ ନୁହେଁ। ତେଣୁ ଆମେ ବର୍ତ୍ତମାନ ଏହି ନୀତି ଆପଣାଇଛୁ ଯେ ଯେଉଁଠାରେ ଆତଙ୍କବାଦୀ ତତ୍ତ୍ୱ ଥାଆନ୍ତୁ ନା କାହିଁକି, ଆମର ସୁରକ୍ଷା ନିମନ୍ତେ ଆମେ ସେମାନଙ୍କ ଉପରେ ଆଗୁଆ ଆକ୍ରମଣ କରିବୁ ଓ ସେମାନଙ୍କୁ ନିଶ୍ଚିହ୍ନ କରିବୁ। ଯଦି ଭାରତ ଉପରେ କୌଣସି ଆତଙ୍କବାଦୀ ଆକ୍ରମଣ ଘଟେ, ତେବେ ସରକାର ପ୍ରାୟୋଜିତ ଆତଙ୍କବାଦ ଏବଂ ଖୋଦ୍ ଆତଙ୍କବାଦୀଙ୍କ ମଧ୍ୟରେ କୌଣସି ବାଛ ବିଚାର ନକରି ଆମେ ତାହାର ଠିକଣା ଏବଂ ଉପଯୁକ୍ତ ଜବାବ ଦେବୁ। ନିଜ ଭୂଇଁରେ ଏଭଳି ହୀନ କାର୍ଯ୍ୟରେ ଲିପ୍ତ ଆତଙ୍କବାଦୀମାନଙ୍କୁ ଯଦି ପାକିସ୍ତାନ ଜବତ କରିବାକୁ ଅସମର୍ଥ ତେବେ ତା’ର ଅସାମର୍ଥ୍ୟ ପାଇଁ ତାକୁ ମୂଲ୍ୟ ଦେବାକୁ ପଡ଼ିବ।
ନୂଆଦିଲ୍ଲୀଠାରେ ଆୟୋଜିତ ‘ଆତଙ୍କବାଦୀଙ୍କୁ ଆର୍ଥିକ ସହାୟତା ମନା’ ଶୀର୍ଷକ ଆତଙ୍କବାଦକୁ ଆର୍ଥିକ ସହଯୋଗ ନିରୋଧୀ ତୃତୀୟ ମନ୍ତ୍ରୀସ୍ତରୀୟ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅତି ସ୍ପଷ୍ଟ ସ୍ୱରରେ କହିଥିଲେ, ‘ଆମେ କୌଣସି ଗୋଟିଏ ଆତଙ୍କବାଦୀ ଆକ୍ରମଣକୁ ଏକାଧିକ ଓ ପର୍ଯ୍ୟାପ୍ତ ବୋଲି ବିବେଚନା କରୁ ଏବଂ ଯେତେବେଳେ ଆତଙ୍କବାଦୀଙ୍କ ହାତରେ ଗୋଟିଏ ଜୀବନ ହାନି ଘଟେ, ସେତେବେଳେ ଆମେ ଏହାକୁ ଅନେକ ଜୀବନ ହାନି ବୋଲି ହେତୁ କରୁ। ତେଣୁ ଆତଙ୍କବାଦର ମୂଳପିଣ୍ଡର ଉତ୍ପାଟନ ନହେବା ପର୍ଯ୍ୟନ୍ତ ଆମେ କେବେ ଶାନ୍ତିରେ ବିଶ୍ରାମ ନେଇପାରିବୁ ନାହିଁ।’ ଅପରେସନ୍ ସିନ୍ଦୂର ମାଧ୍ୟମରେ ଭାରତ ସରକାର ଏବଂ ଆମର ସଶସ୍ତ୍ର ସେନା ସମଗ୍ର ବିଶ୍ୱକୁ ଏହା ପ୍ରଦର୍ଶିତ କରିଛନ୍ତି ଯେ ଆମେ ଆତଙ୍କବାଦର ମୂଳୋତ୍ପାଟନ ସକାଶେ ସଂକଳ୍ପବଦ୍ଧ। ଏକ ‘ନିର୍ଦିଷ୍ଟ, ଆକଳିତ ଏବଂ ଉତ୍ତେଜନା ସୃଷ୍ଟି ବିହୀନ କାର୍ଯ୍ୟାନୁଷ୍ଠାନ ଜରିଆରେ ଆମେ ପାକିସ୍ତାନ ଏବଂ ପାକ୍ ଅଧିକୃତ ଜାମ୍ମୁ ଓ କାଶ୍ମୀର ଅଞ୍ଚଳରେ ଥିବା ଆତଙ୍କବାଦୀ ଶିବିରଗୁଡ଼ିକୁ ଟାର୍ଗେଟ କରିଥିଲୁ। କାରଣ ସେହିସବୁ ସ୍ଥାନମାନଙ୍କରେ ଥିବା ଆତଙ୍କବାଦୀ ଶିବିରରୁ ଭାରତ ବିରୋଧରେ ଆତଙ୍କବାଦୀ ଆକ୍ରମଣର ଷଡ଼ଯନ୍ତ୍ର ଓ ଯୋଜନା କରାଯାଇଥିଲା ଏବଂ ସେଥିପାଇଁ ନିେର୍ଦଶ ଦିଆଯାଇଥିଲ
ଆମେ ଜାଣୁ ଯେ ଆତଙ୍କବାଦୀଙ୍କ ବିରୋଧରେ ସେନା କାର୍ଯ୍ୟାନୁଷ୍ଠାନ ଜରୁରୀ, କିନ୍ତୁ ତାହା ପର୍ଯ୍ୟାପ୍ତ ନୁହେଁ। କାରଣ ଆତଙ୍କବାଦୀ ସଂସାଧନର ମୂଳ ଢାଞ୍ଚାକୁ ଧ୍ୱଂସ କରାଯିବା ଆବଶ୍ୟକ। ଯେହେତୁ ପାକିସ୍ତାନ ଆତଙ୍କବାଦୀମାନଙ୍କୁ ହତିଆର ଭାବରେ ଉପଯୋଗ କରିଆସୁଛି, ସେହି ଦୃଷ୍ଟିରୁ ଭାରତ କୂଟନୈତିକ ଏବଂ ଆର୍ଥିକ ଦୃଷ୍ଟିରୁ ପାକିସ୍ତାନକୁ ସଫଳତାର ସହିତ ଏକଘରିକିଆ କରିବାରେ ସକ୍ଷମ ହୋଇଛି। ସୀମାପାର ଆତଙ୍କବାଦକୁ ସମ୍ପୂର୍ଣ୍ଣ ରୂପେ ଏବଂ ବିଶ୍ୱାସଯୋଗ୍ୟ ତଥା ସ୍ଥାୟୀ ଭାବରେ ପରିହାର ନ କରିବା ପର୍ଯ୍ୟନ୍ତ ଆମେ ସିନ୍ଧୁ ନଦୀ ଜଳ ଚୁକ୍ତିନାମାକୁ ସ୍ଥଗିତ ରଖିଛୁ। ପାକିସ୍ତାନ ପାଇଁ ଏହାର ପ୍ରଭାବ ଯଥେଷ୍ଟ ମାନ୍ୟତା ବହନ କରେ। କାରଣ ପାକିସ୍ତାନ ତା’ର ୧୬ ନିୟୁତ ହେକ୍ଟର କୃଷିକ୍ଷେତ୍ର ପାଇଁ ସିନ୍ଧୁ ନଦୀ ଜଳ ଉପରେ ୮୦ ପ୍ରତିଶତ ନିର୍ଭରଶୀଳ ଏବଂ ଏହି ନଦୀର ସାମଗ୍ରିକ ଜଳର ୯୩ ପ୍ରତିଶତ ପାକିସ୍ତାନ ଉପଯୋଗ କରିଥାଏ ଯାହା ଉପରେ ସେଠାକାର ୨୩୭ ନିୟୁତ ଲୋକ ନିର୍ଭରଶୀଳ ଏବଂ ପାକିସ୍ତାନର କୃଷି ସେ ଦେଶର ଜି.ଡି.ପି.ରେ ଏକ ଚତୁର୍ଥାଂଶ ଯୋଗଦାନ କରିଥାଏ।
ଆତଙ୍କବାଦ କେବଳ ଏକ ଭାରତୀୟ ସମସ୍ୟା ନୁହେଁ, ଏହା ଏକ ବୈଶ୍ୱିକ ସଂକଟ। ବୈଶ୍ୱିକ ଆତଙ୍କବାଦ ସୂଚୀ (ଜି.ଟି.ଆଇ.) ଅନୁସାରେ ବିଗତ ବର୍ଷମାନଙ୍କରେ ଆତଙ୍କବାଦ ଦ୍ୱାରା ପ୍ରଭାବିତ ହେଉଥିବା ରାଷ୍ଟ୍ରଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ତେଣୁ ସଫଳତାର ସହିତ ଆତଙ୍କବାଦୀ ଢାଞ୍ଚାକୁ ଧ୍ୱଂସ କରିବା ସକାଶେ, ସେମାନଙ୍କର ଆତଙ୍କବାଦୀ ଅତିବାଦକୁ ମୁକାବିଲା କରିବା ନିମନ୍ତେ ଏବଂ ଭବିଷ୍ୟତ ପିଢ଼ିକୁ ସୁରକ୍ଷିତ ରଖିବା ସୁନିଶ୍ଚିତ କରିବା ଲାଗି ଏଭଳି ଛୋଟ ମୋଟ କିମ୍ବା ସାମୟିକ କାର୍ଯ୍ୟାନୁଷ୍ଠାନ ଦ୍ୱାରା ତାହା କଦାପି ସମ୍ଭବପର ହେବନାହିଁ। ବରଂ, ଏଥି ନିମନ୍ତେ, ଆମକୁ ଏନ ନୀତି ଆଧାରିତ, ବ୍ୟାପକ, ନିରବଚ୍ଛିନ୍ନ ଓ ସମନ୍ୱିତ ବୈଶ୍ୱିକ ରଣନୀତି ଆପଣାଇବାକୁ ପଡ଼ିବ। ଏଥିପାଇଁ ପାଞ୍ଚଗୋଟି ପ୍ରମୁଖ କାର୍ଯ୍ୟପନ୍ଥା ଗ୍ରହଣ କରିବା ଜରୁରୀ।
ପ୍ରଥମତଃ, ‘ଆତଙ୍କବାଦ’ ଶବ୍ଦର ସଂଜ୍ଞା ନିରୂପଣ କରାଯିବା ଆବଶ୍ୟକ। ଆତଙ୍କବାଦ କହିଲେ ନିର୍ଦିଷ୍ଟ ଭାବରେ କ’ଣ ବୁଝାଏ, ତାହାର ସଂଜ୍ଞା ବର୍ତ୍ତମାନ ସୁଦ୍ଧା ନିରୂପିତ ହୋଇପାରିନାହିଁ। ଆତଙ୍କବାଦର ସଂଜ୍ଞା ନିରୂପଣ କରିବା ଦିଗରେ ଆମେ ଯେଉଁ ନିକଟତର ବ୍ୟାଖ୍ୟା ପର୍ଯ୍ୟନ୍ତ ପହଞ୍ଚିଛୁ ତାହା ହେଲା: ମିଳିତ ଜାତିସଂଘର ‘ଅନ୍ତଃରାଷ୍ଟ୍ରୀୟ ଆତଙ୍କବାଦ ବିରୋଧରେ ବ୍ୟାପକ ଘୋଷଣାନାମା’ ଯାହା ଭାରତର ପ୍ରସ୍ତାବ ଉପରେ ହିଁ ଆଧାରିତ। ଅର୍ଥଗତ ପ୍ରସଙ୍ଗ କେବଳ ଆତଙ୍କବାଦ ବିରୁଦ୍ଧରେ ସଂଗ୍ରାମ ମଧ୍ୟରେ ସୀମିତ ରହିବା ଉଚିତ ନୁହେଁ। ଆମକୁ ଏହାର ବ୍ୟାପକ ଭାବରେ ଗ୍ରହଣୀୟ ସଂଜ୍ଞା ଲୋଡ଼ା ଯଦ୍ଦ୍ବାରା ଆତଙ୍କବାଦୀ କାର୍ଯ୍ୟକଳାପର ବିଧିବଦ୍ଧ ଅନୁସନ୍ଧାନ କରାଯାଇପାରିବ ଏବଂ ସେମାନଙ୍କୁ ଦଣ୍ଡିତ କରିହେବ ଅଥବା ବିଦେଶ ଭୂଇଁରୁ ସେମାନଙ୍କୁ ସମୂଳେ ଉତ୍ପାଟନ କରିହେବ।
ଦ୍ୱିତୀୟତଃ, କେବଳ ଆତଙ୍କବାଦୀ ସଂଗଠନଗୁଡ଼ିକର ଅର୍ଥକୁ ଆମେ ବାଜ୍ୟାପ୍ତ କରିବା ଜରୁରୀ ନୁହେଁ, ଅପରପକ୍ଷେ ଯେଉଁମାନେ ଆତଙ୍କବାଦର ପ୍ରାୟୋଜକ ସେମାନଙ୍କ ପ୍ରତି ମଧ୍ୟ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ପ୍ରାବଧାନ ରହିବା ବାଞ୍ଛନୀୟ। ବହୁପକ୍ଷୀୟ ଏଜେନ୍ସି ଏବଂ ଡୋନର ରାଷ୍ଟ୍ରମାନେ ସ୍ୱୀକାର କରିବା ଆବଶ୍ୟକ ଯେ ପାକିସ୍ତାନ ସଂକଟ ତାରଣ ପାଇଁ ପ୍ରଦତ୍ତ ଅର୍ଥର ମଧ୍ୟ ଅପବିନିଯୋଗ କରିଆସୁଛି ଏବଂ ଋଣ ଅର୍ଥକୁ ରାଷ୍ଟ୍ର ପ୍ରାୟୋଜିତ ସୀମାପାର ଆତଙ୍କବାଦକୁ ଅର୍ଥ ଯୋଗାଣ ନିମନ୍ତେ ବ୍ୟବହାର କରୁଛି। ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (ଆଇ.ଏମ.ଏଫ.)କୁ ଭାରତ ଯାହା ନିଜର ବିବୃତି ଭାବରେ ଦର୍ଶାଇଥିଲା, ତାହା ହେଲା, ‘ସୀମାପାର ଆତଙ୍କବାଦକୁ ନିରବଚ୍ଛିନ୍ନ ଭାବରେ ପ୍ରୋତ୍ସାହିତ କରିଆସୁଥିବା ରାଷ୍ଟ୍ରଙ୍କୁ ସହାୟତା ପ୍ରଦାନ ବୈଶ୍ୱିକ ସମୁଦାୟକୁ ଏକ ବିପଜ୍ଜନକ ବାର୍ତ୍ତା ପ୍ରଦାନ କରୁଛି, ଅର୍ଥ ପ୍ରଦାନକାରୀ ଏଜେନ୍ସିମାନେ ଅପଯଶ ଅର୍ଜୁଛନ୍ତି ଏବଂ ଡୋନରମାନଙ୍କ ମର୍ଯ୍ୟାଦା ମଧ୍ୟ କ୍ଷୁଣ୍ଣ ହେଉଛି ଯାହାକି ବୈଶ୍ୱିକ ମୂଲ୍ୟବୋଧ ପ୍ରତି ଉପହାସ ସଦୃଶ।’ ଏହା ନିଃସନ୍ଦେହ ଯେ ପାକିସ୍ତାନକୁ ଦିଆଯାଉଥିବା ପାଣ୍ଠି ସାମରିକ- ଆତଙ୍କବାଦୀ ପରିସରରେ ପହଞ୍ଚିଥାଏ ଯାହା ବିଶ୍ୱକୁ ଅସ୍ଥିର କରିବା ନିମନ୍ତେ ବ୍ୟୟ ହୋଇଥାଏ। ତେଣୁ ପାକିସ୍ତାନକୁ ଏଫ.ଏ.ଟି.ଏଫ. ଦ୍ୱାରା ପୁଣି ଥରେ ‘ଗ୍ରେ-ତାଲିକାଭୁକ୍ତ’ କରାଯିବା ଆବଶ୍ୟକ ଏବଂ ପାକିସ୍ତାନ ତା’ର ଆତଙ୍କବାଦୀ କାର୍ଯ୍ୟକଳାପକୁ ନିର୍ଭରଯୋଗ୍ୟ ଏବଂ ସ୍ଥାୟୀ ଭାବରେ ପରିହାର ନକରିବା ପର୍ଯ୍ୟନ୍ତ ସବୁପ୍ରକାର ଆର୍ଥିକ ସହାୟତା ବନ୍ଦ କରାଯିବା ଜରୁରୀ। ନିଜ ଦେଶ ସୀମା ମଧ୍ୟରେ ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ଅନ୍ୟ ରାଷ୍ଟ୍ରମାନଙ୍କ ପ୍ରତି ମଧ୍ୟ ସେହିଭଳି ଆଭିମୁଖ୍ୟ ପୋଷଣ କରାଯିବା ଦରକାର।
ତୃତୀୟତଃ, ଯେଉଁ ଘଟଣା ଦୀର୍ଘ ଦିନରୁ ସମସ୍ତଙ୍କୁ ଜଣାଥିଲା, କିନ୍ତୁ ତାହା ସମୟ କ୍ରମେ ଅଧିକ ମାତ୍ରାରେ ଦୃଶ୍ୟ ହେଉଛି, ତାହାହେଲା ପାକିସ୍ତାନରେ ରାଷ୍ଟ୍ର ଏବଂ ନନ୍- ଷ୍ଟେଟ୍ ଆକ୍ଟରମାନେ ହେଉଛନ୍ତି ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ବ ସଦୃଶ। ଏହା ପ୍ରମାଣିତ ହୋଇଛି ଯେତେବେଳେ ଘୋଷିତ ଆତଙ୍କବାଦୀମାନଙ୍କୁ ଶେଷକୃତ୍ୟ ସମ୍ପାଦନବେଳେ ସେମାନଙ୍କୁ ରାଷ୍ଟ୍ରୀୟ ସମ୍ମାନ ପ୍ରଦାନ କରାଯାଇଛି ଏବଂ ତାହା ପୁଣି ସେନା ଅଧିକାରୀମାନଙ୍କ ଦ୍ୱାରା ଏବଂ ସାମରିକ ପୋଷାକ ପରିଧାନ କରି। ପାକିସ୍ତାନରେ ଏକ ବିପଦ ସଦାବେଳେ ଜାରି ରହିଛି ଯେ ଆଣବିକ ଅସ୍ତ୍ରଭଣ୍ଡାର ଏଭଳି ନନ୍-ଷ୍ଟେଟ୍ ଆକ୍ଟରମାନଙ୍କ ହାତରେ ପଡ଼ିପାରେ। ଅନ୍ତଃରାଷ୍ଟ୍ରୀୟ ସମୁଦାୟ ଏଭଳି ବିପଜ୍ଜନକ ଆଶଙ୍କାକୁ ଗୁରୁତ୍ୱର ସହିତ ବିଚାର କରିବା ଆବଶ୍ୟକ ଏବଂ ପାକିସ୍ତାନର ଆଣବିକ ଅସ୍ତ୍ରଶସ୍ତ୍ରକୁ ଆନ୍ତର୍ଜାତିକ ଆଣବିକ ଶକ୍ତି ଏଜେନ୍ସି (ଆଇ.ଏ.ଇ.ଏ.) ମାର୍ଫତ ଓ ତଦାରଖରେ ରଖାଯିବା ଦରକାର।
ଚତୁର୍ଥତଃ, ଛାୟା ଯୁଦ୍ଧ ଏକ ବିପଜ୍ଜନକ ଘଟଣା। ପ୍ରତିବେଶୀ ରାଷ୍ଟ୍ରମାନଙ୍କୁ ସେମାନଙ୍କର ଏଭଳି ପୋଷ୍ୟ ଆତଙ୍କବାଦୀଙ୍କ ଜରିଆରେ ଅସ୍ଥିର କରିବାକୁ ବ୍ୟବହାର କରୁଥିବା ରାଷ୍ଟ୍ରଙ୍କ ବିରୋଧରେ ସମସ୍ତ ରାଷ୍ଟ୍ର ଏକଜୁଟ ହେବା ଜରୁରୀ। ଆତଙ୍କବାଦୀ କାର୍ଯ୍ୟକଳାପର ମାତ୍ରା ଓ ସୁଯୋଗର ବିପଦ କେବଳ ଯେଉଁସ୍ଥାନରେ କିମ୍ବା ଏହାର ଶରବ୍ୟ ହୋଇଥିବା ରାଷ୍ଟ୍ର ମଧ୍ୟରେ ସୀମିତ ନୁହେଁ। ଯେତେବେଳେ ରାଷ୍ଟ୍ରମାନେ ମନୋନୟନ କରନ୍ତି ଓ ବାଛନ୍ତି ଯେ କେଉଁଭଳି ଆତଙ୍କବାଦୀ କାର୍ଯ୍ୟକୁ ନିଜର ସୁବିଧା ଓ ସ୍ୱାର୍ଥ ଦୃଷ୍ଟିରୁ ନିନ୍ଦା କରାଯିବ, ତାହା ସାମୂହିକ ପ୍ରୟାସକୁ ଦୁର୍ବଳ କରିପକାଇଥାଏ, ଆତଙ୍କବାଦର କାଣ୍ଡାରିମାନଙ୍କୁ ଅଧିକ ସୁଦୃଢ଼ କରିଥାଏ ଏବଂ ସେମାନଙ୍କର ଏଭଳି କାର୍ଯ୍ୟକୁ ପ୍ରଚ୍ଛନ୍ନ ସ୍ୱୀକୃତି ପ୍ରଦାନ କରିଥାଏ।
ପଞ୍ଚମରେ, ପାକିସ୍ତାନରେ ଥିବା ଆତଙ୍କବାଦୀଙ୍କ ନିରାପଦ ଆଡ୍ଡାମାନଙ୍କର ବିଶ୍ୱବ୍ୟାପୀ କୁପ୍ରଭାବ ପକାଇବାର ଆଶଙ୍କା ରହିଛି, କାରଣ ସେମାନଙ୍କର ଅନ୍ତଃରାଷ୍ଟ୍ରୀୟ ସ୍ତର ପର୍ଯ୍ୟନ୍ତ ପହଞ୍ଚ ରହିଛି ଏବଂ ଦିନକୁ ଦିନ ମୁଣ୍ଡ ଟେକୁଥିବା ଅତ୍ୟାଧୁନିକ ପ୍ରଯୁକ୍ତି ମଧ୍ୟ ସେମାନଙ୍କ ହାତରେ ପଡ଼ୁଛି। କୃତ୍ରିମ ପ୍ରଜ୍ଞା, ସ୍ୱୟଂକ୍ରିୟ ବ୍ୟବସ୍ଥା, ଜୈବପ୍ରଯୁକ୍ତି ଓ ନାନୋଟେକ୍ନୋଲୋଜି ଭଳି ସାଧନ ଏହାର ଉଦାହରଣ। ସେଥିପାଇଁ ବୈଶ୍ୱିକ ସହଯୋଗ ଏକାନ୍ତ ଜରୁରୀ ଯାହା ମାଧ୍ୟମରେ ଆତଙ୍କବାଦୀଙ୍କ ଦ୍ୱାରା ଯେଉଁଭଳି ବିପଦ ସୃଷ୍ଟି ହେବାର ଆଶଙ୍କା ରହିଛି ତାହାର ସଫଳ ମୁକାବିଲା କରାଯାଇପାରିବ। ତେଣୁ ବର୍ତ୍ତମାନ ସମୟ ଉପସ୍ଥିତ ଯେତେବେଳେ ବିଶ୍ୱର ସମସ୍ତ ରାଷ୍ଟ୍ର ଏକଜୁଟ ହେବା ସହିତ ଅନ୍ତଃରାଷ୍ଟ୍ରୀୟ ଆତଙ୍କବାଦ ନିରୋଧୀ ବ୍ୟାପକ ଘୋଷଣାନାମାରେ ସ୍ୱାକ୍ଷରିତ କରିବା ଜରୁରୀ ମନେହୁଏ।
ଏଭଳି ରାଜିନାମା ସପକ୍ଷରେ ଯୁକ୍ତି ଉପସ୍ଥାପନ କରି ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ୯/୧୧ ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ମିଳିତ ଜାତିସଂଘ ସାଧାରଣ ପରିଷଦରେ କହିଥିଲେ, ‘ଆତଙ୍କବାଦ ସପକ୍ଷରେ ଯେକୌଣସି ପ୍ରକାର ଆଦର୍ଶଗତ, ରାଜନୈତିକ କିମ୍ବା ଧର୍ମୀୟ ଯୁକ୍ତିକୁ ଆମେ ଦୃଢ଼ତାର ସହିତ ପ୍ରତ୍ୟାଖ୍ୟାନ କରିବା ଉଚିତ।’ ରବୀନ୍ଦ୍ରନାଥ ଠାକୁରଙ୍କ ଉକ୍ତିକୁ ଉଦ୍ଧାର କରି ସେ କହିଥିଲେ ଯେ ‘ଏବେଠାରୁ ପ୍ରତ୍ୟେକ ରାଷ୍ଟ୍ର ନିଜର ନିରାପତ୍ତା ପରିବର୍ତ୍ତେ ସମଗ୍ର ବିଶ୍ୱର କଲ୍ୟାଣ ଭାବନାକୁ ଆପଣାଇବା ଆବଶ୍ୟକ।’
ଆତଙ୍କବାଦର ସମସ୍ତ ଆକାର ଓ ପ୍ରକାରକୁ ସମୂଳେ ଧ୍ୱଂସ କରିବା ସକାଶେ ନିଜର ଅଭିଯାନରେ ଭାରତ କୃତସଂକଳ୍ପ। ଆମେ ବିଶ୍ୱର ସମସ୍ତ ଶାନ୍ତିକାମୀ ରାଷ୍ଟ୍ରଙ୍କୁ ଆମ ସହିତ ହାତ ମିଳାଇବାକୁ ଆହ୍ୱାନ ଜଣାଉଛୁ।