ଅପରେସନ୍‌ ସିନ୍ଦୂର’ ଉପରେ ବିବାଦୀୟ ମନ୍ତବ୍ୟ ଦେଇ ଜେଲ୍‌ ଯାଇଥିବା ଆଇନ ଛାତ୍ରୀ ଶର୍ମିଷ୍ଠା ପାନୋଲିଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଛନ୍ତି କଲିକତା ହାଇକୋର୍ଟ।

କୋଲକାତା: ‘ଅପରେସନ୍‌ ସିନ୍ଦୂର’ ଉପରେ ବିବାଦୀୟ ମନ୍ତବ୍ୟ ଦେଇ ଜେଲ୍‌ ଯାଇଥିବା ଆଇନ ଛାତ୍ରୀ ଶର୍ମିଷ୍ଠା ପାନୋଲିଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଛନ୍ତି କଲିକତା ହାଇକୋର୍ଟ।

ଜାମିନ ସର୍ତ୍ତାବଳୀର ଏକ ଅଂଶ ଭାବରେ, ତାଙ୍କୁ ମୁଖ୍ୟ ନ୍ୟାୟିକ ମାଜିଷ୍ଟ୍ରେଟଙ୍କ ଅନୁମତି ବିନା ଦେଶ ଛାଡିବାକୁ ବାରଣ କରାଯାଇଛି। ଏଥିସହିତ ତାଙ୍କୁ ୧୦,୦୦୦ ଟଙ୍କା ଜମା କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

ଗିରଫ ପୂର୍ବରୁ ପାନୋଲି ତାଙ୍କ ସୁରକ୍ଷା ପ୍ରତି ବିପଦ ଅଛି ବୋଲି ଏକ ଆବେଦନ ଦାଖଲ କରିଥିଲେ। ସେହି ଆବେଦନ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ହାଇକୋର୍ଟ କୋଲକାତା ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ପହଲଗାମ୍‌ ଆକ୍ରମଣର ପ୍ରତିଶୋଧ ଭାବେ ଆରମ୍ଭ ହୋଇଥିବା ‘ଅପରେସନ୍‌ ସିନ୍ଦୂର’ ସଂପର୍କରେ ଏକ ବିବାଦୀୟ ମନ୍ତବ୍ୟ ଦେଇ ଗିରଫ ‌ହୋଇଥିଲେ ଆଇନ୍‌ ଛାତ୍ରୀ ଶର୍ମିଷ୍ଠା ପାନୋଲି। ତାଙ୍କୁ ନେଇ ଏବେ ମାମଲା ଚାଲିଥିବା ବେଳେ ମଙ୍ଗଳବାର ଦିନ କଲିକତା ହାଇକୋର୍ଟ ଇନ୍‌ଫ୍ଲୁଏନସର୍‌ ତଥା ଆଇନ ଛାତ୍ରୀ ଶର୍ମିଷ୍ଠା ପାନୋଲିଙ୍କୁ ଅନ୍ତରୀଣ ଜାମିନ ଦେବାକୁ ମନା କରି ଦେଇଥିଲେ।

କୋର୍ଟ କହିଥିଲେ ଯେ ବାକ୍ ସ୍ୱାଧୀନତା ଧାର୍ମିକ ଭାବନାକୁ ଆଘାତ କରିବାକୁ ଅନୁମତି ଦିଏ ନାହିଁ। ୨୨ ବର୍ଷୀୟା ଆଇନ ଛାତ୍ରୀ ‘ଅପରେସନ ସିନ୍ଦୂର’ ପରିପ୍ରେକ୍ଷୀରେ ଧାର୍ମିକ ପରିଚୟ ଉପରେ ଲୋକଙ୍କୁ ଟାର୍ଗେଟ କରି ଏକ ଆପତ୍ତିଜନକ ଭିଡିଓ ପ୍ରସ୍ତୁତ କରିଥିଲେ। ମନ୍ତବ୍ୟ ପାଇଁ ସେ କ୍ଷମା ପ୍ରାର୍ଥନା ମଧ୍ୟ କରିଥିଲେ। ପରେ ଭିଡିଓଟିକୁ ଡିଲିଟ୍ ବି କରିଦେଇଥିଲେ।

Leave a Reply

Your email address will not be published. Required fields are marked *