ମୁହଁରେ ମଧୁର ଅନ୍ତରେ ଛଳନା


ଅତୀତରେ ତୁର୍କୀକୁ ଭାରତ ବିରୋଧରେ ବାରମ୍ବାର ଉସୁକାଇ ଜାତିସଂଘରେ କାଶ୍ମୀର ପ୍ରସଙ୍ଗ ଉଠାଇଥିବା ଏବଂ ଓୱାଇସିର ସମ୍ମିଳନୀରେ ମାଲେସିଆ ଭଳି ଦେଶମାନଙ୍କୁ ଭାରତ ବିରୋଧରେ ଠିଆ କରାଇବାର ପ୍ରଥମ ଦୋଷୀ ପାକିସ୍ତାନ ନିଜ ବନ୍ଧୁ ରାଷ୍ଟ୍ରର ଏଭଳି ଚରମ ବିପର୍ଯ୍ୟୟ ସମୟରେ ସାହାଯ୍ୟ ତ ଦୂରର କଥା ଏଭଳି ଏକ କାଣ୍ଡ କରିଛି ଯାହାକି ସମସ୍ତଙ୍କୁ ଲଜ୍ଜିତ କରିଦେଉଛି । ପାକିସ୍ତାନ କାଙ୍ଗାଳ । ପାକିସ୍ତାନ ବନ୍ଧୁର ଏହି ବିପଦରେ କୌଣସି ଆର୍ଥିକ ସାହାଯ୍ୟ ଦେବାର କେହି ଅପେକ୍ଷା କରନ୍ତି ନାହିଁ । କିନ୍ତୁ ଅନ୍ତତଃ ପକ୍ଷେ ପ୍ରତିଦିନ ଭାରତୀୟ ସୀମାରେ ଯୁଦ୍ଧ ବିରତୀ ଉଲ୍ଲଂଘନ କରୁଥିବା ପାକିସ୍ତାନ ତା’ର ସେନାକୁ ଉଦ୍ଧାରକାର୍ଯ୍ୟ ପାଇଁ ତୁର୍କୀକୁ ପଠାଇ ପାରିଥାନ୍ତା । କିନ୍ତୁ ତାହା ନକରି ଏହି ଦୁର୍ବିପାକରେ ଆହତମାନଙ୍କର ପ୍ରାଣ ରକ୍ଷା କରିବା ଯଥାଶୀଘ୍ର ପ୍ରାଥମିକତା ଦିଆଯାଉଥିବା ବେଳେ ଭାରତର ତିନୋଟି ଉଦ୍ଧାରକାରୀ ବିମାନକୁ ସବୁଠାରୁ ସଂକ୍ଷିପ୍ତ ରାସ୍ତା ପାକିସ୍ତାନ ଆକାଶ ସୀମା ଦେଇ ଯିବା ପାଇଁ ମଧ୍ୟ ପାକିସ୍ତାନ ସରକାର ଅନୁମତି ଦେଲେ ନାହିଁ । ଏଣୁ ଦୀର୍ଘ ଆକାଶପଥ ଅତିକ୍ରମ କରି ଭାରତୀୟ ଉଦ୍ଧାରକାରୀ ଦଳ ତୁର୍କୀ ମାଟିରେ ପାଦଦେବା ମାତ୍ରେ ଅତ୍ୟନ୍ତ ପ୍ରତିକୂଳ ପାଗ ମଧ୍ୟରେ ଉଦ୍ଧାର କାର୍ଯ୍ୟରେ ଲାଗିପଡିଛନ୍ତି । ତୁର୍କୀ ଓ ସିରିୟାରେ ଘଟିଥିବା ଭୟଙ୍କର ଭୂ-କମ୍ପ ଦ୍ୱାରା ବିପୁଳ ଧନଜୀବନ ହାନି ଖବର ଶୁଣିବା ମାତ୍ରେ ଭାରତର ପ୍ରଧାନମନ୍ତ୍ରୀ ମୋଦୀ ରାଷ୍ଟ୍ରପତି ଏଦ୍ରୋଗନ୍ଙ୍କୁ ସହନୁଭୂତିର ବାର୍ତା ଦେବା ସହ ସମଗ୍ର ଭାରତ ବର୍ଷର ସରକାର ଓ ଜନସାଧାରଣ ଏହି ବିପତିରେ ତୁର୍କୀ ସହ ଛିଡା ହୋଇଛନ୍ତି ବୋଲି ଏକ ବାର୍ତା ପଠାଇଛନ୍ତି । ତା’ ସହ ଏନ୍ଡିଆରଏଫ, ସେନା, ଅଗ୍ନିଶମ କର୍ମଚାରୀ, ଡାକ୍ତର ଏବଂ ପରାମେଡିକାଲ ଷ୍ଟାଫ୍, ଏପରିକି ସାମୟିକ ଡାକ୍ତରଖାନା ଏବଂ ଉଦ୍ଧାରକାରୀ ସମଗ୍ରୀ, ସନ୍ଧାନୀ କୁକୁର, ଆମ୍ବୁଲାନ୍ସ ଭ୍ୟାନ୍, ଔଷଧ ଓ ଖାଦ୍ୟ, ବସ୍ତ୍ର, କମ୍ବଳ ଇତ୍ୟାଦି ଧରି ଭାରତୀୟ ବିମାନ ବାହିନୀର ତିନୋଟି ଗ୍ଲୋବ ମାଷ୍ଟର ଯଥାଶୀଘ୍ର ତୁର୍କୀକୁ ପଠାଇଛନ୍ତି ।

Leave a Reply

Your email address will not be published. Required fields are marked *