୧୫ ଦଫା ଦାବି ନେଇ ବିଶାଳ ଛାତ୍ର ଶୋଭାଯାତ୍ରା


ଭଦ୍ରକ: ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି), ଭଦ୍ରକ ଜିଲ୍ଲା ତରଫରୁ ପରିଷଦର ୭୫ ବର୍ଷ ଅମୃତ ମହୋତ୍ସବ ଅବସରରେ ଜିଲ୍ଲାର ବିଭିନ୍ନ ଶୈକ୍ଷିକ ଓ ସାମାଜିକ ସମସ୍ୟାକୁ ନେଇ ଜିଲ୍ଲା ସମ୍ମିଳନୀ ଏବଂ ବିଶାଳ ଛାତ୍ର ଅଧିକାର ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସମ୍ମିଳନୀରେ ମୁଖ୍ୟଅତିଥି ବିଶିଷ୍ଟ ସ୍ତମ୍ଭକାର ଅଭୟ ଦ୍ୱିବେଦୀ, ମୁଖ୍ୟବକ୍ତା ପ୍ରାଧ୍ୟାପକ ଡ଼ଃ ପ୍ରତାପ କୁମାର ନାୟକ ଯୋଗ ଦେଇଥିଲେ । ରାଜ୍ୟ ସମ୍ପାଦକ ଅରିଜିତ୍ ପଟ୍ଟନାୟକ ଓ ସହସମ୍ପାଦିକା ଦିପ୍ତିମୟୀ ପ୍ରତିହାରୀ ଜିଲ୍ଲାର ବିଭିନ୍ନ କ୍ୟାମ୍ପସରୁ ଆସିଥିବା ହଜାରରୁ ଊର୍ଦ୍ଧ୍ୱ ବିଦ୍ୟାର୍ଥୀଙ୍କୁ ଉଦବୋଧନ ଦେଇଥିଲେ । ଧାମନଗର ନଗର ସମ୍ପାଦକ ଅରବିନ୍ଦ ଷଡ଼ଙ୍ଗୀ, ଚାନ୍ଦବାଲିର ଛାତ୍ର ନେତା ସାର୍ଥକ ନାୟକ, ବାସୁଦେବପୁର ନଗର ସମ୍ପାଦିକା ରଶ୍ମିପ୍ରଭା ବଳ, ଭଦ୍ରକ ନଗର ସମ୍ପାଦକ ବିଶ୍ୱନାଥ ସୋନୁ ଲାହା କ୍ୟାମ୍ପସରେ ଥିବା ବିଭିନ୍ନ ସମସ୍ୟା ବିଷୟରେ ଉପସ୍ଥାପନ କରିଥିଲେ । ଏହାପରେ ଶିକ୍ଷା, ସୁରକ୍ଷା ଓ ରୋଜଗାର ଦାବିରେ ଛାତ୍ର ଅଧିକାର ସମାବେଶ ନାମରେ ବିଶାଳ ଶୋଭାଯାତ୍ରା ନୂଆବଜାରସ୍ଥିତ ଏକ କଲ୍ୟାଣ ମଣ୍ଡପରୁ ବାହାରି ସମ୍ପୂର୍ଣ୍ଣ ନଗର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଅଭିମୁଖେ ଯାଇଥିଲା । ଜିଲ୍ଲା ପ୍ରମୁଖ ସ୍ୱାଧୀନ ସୁନ୍ଦର୍ ଦାସ, ଜିଲ୍ଲା ସଂଯୋଜକ ବଦ୍ରିମୋହନ ରାଉତ୍, ସହ ସଂଯୋଜକ ଜ୍ୟୋତିପ୍ରକାଶ ସାହୁଙ୍କ ନେତୃତ୍ୱରେ ରାଜ୍ୟ ସମ୍ପାଦକ ଅରିଜିତ୍ ପଟ୍ଟନାୟକ ଓ ରାଜ୍ୟ ସହ-ସମ୍ପାଦିକା ଦିପ୍ତିମୟୀ ପ୍ରତିହାରୀଙ୍କ ଉପସ୍ଥିତିରେ ୧୫ ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ବିଭାଗ ପ୍ରମୁଖ ଅଧ୍ୟାପକ ରମେଶ ଚନ୍ଦ୍ର ବେହେରା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଭୁ କିଶୋର ରାଉତ, ଗୋବର୍ଦ୍ଧନ ମହାନ୍ତି, ମମତା ମହାକୁଡ଼, ବାସୁଦେବପୁର ନଗର ସଭାପତି ପୁରୁଷୋତ୍ତମ ବେହେରା, ଭଦ୍ରକ ନଗର ସଂଗଠନ ସମ୍ପାଦକ ଗୋପବନ୍ଧୁ ଜେନା ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *