ବାଲେଶ୍ଵର ଜିଲ୍ଲାରେ ସରକାରଙ୍କ ନିୟମ ଅନୁଯାୟୀ ସର୍ଭେ ଚାଲିଛି ।-ଶୀଘ୍ର ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରାଯିବ 

ଅନୁପ୍ରବେଶକାରୀଙ୍କୁ ନେଇ ବଢୁଛି ଚିନ୍ତା
ଖନ୍ତାପଡ଼ା : ବାଲେଶ୍ଵର ଜିଲ୍ଲା ସୀମାନ୍ତ ଏବଂ ସମୁଦ୍ରକୂଳିଆ ଜିଲ୍ଲା ହୋଇଥିବା ବେଳେ ଏଠାରେ ଅନେକ ବାଂଲାଦେଶୀ ଓ ପଶ୍ଚିମବଙ୍ଗ ଅନୁପ୍ରବେଶକାରୀ ଅଛନ୍ତି। ବାହାନଗା ବ୍ଲକ୍‌ର ଅଭଣା, ବିଷ୍ଣୁପୁର, ଖରାସାହାପୁର, ଗୋପାଳପୁର ବରିପଦା, ନୂଆପୁର, ଆରୁହାବାଡ଼ ପଞ୍ଚାୟତ ସହ ରେମୁଣା ବ୍ଳକର ତାଳପଦା, ଇଂଚୁଡ଼ି, ଶ୍ରୀଜଙ୍ଗ ଏବଂ ସୋର ବଜାରରେ ଶହ ଶହ ଲୋକ ବସ୍ତି କରି ରହିଛନ୍ତି। ଏବେ ବି ଅନୁପ୍ରବେଶ ଚାଲିଛି। ଅନୁପ୍ରବେଶକାରୀମାନେ ସ୍ଥାନୀୟ ନେତାଙ୍କୁ ହାତ କରି ଭୋଟର୍ ଓ ଆଧାର କାର୍ଡ କରିନେଉଛନ୍ତି। ନେତାମାନେ ବି ଭୋଟ୍ ବ୍ୟାଙ୍କ ବଢ଼ାଇବା ପାଇଁ ଏପରି ବେଆଇନ କାମ କରିବାକୁ ପଛାଉ ନାହାନ୍ତି। ଅନୁପ୍ରବେଶକାରୀଙ୍କ ମଧ୍ୟରୁ ଅନେକେ ଦିନରେ ଛୋଟମୋଟ ବେପାର କରୁଥିବା ବେଳେ ରାତିରେ ଚୋରି, ଡକାୟତି ଓ ନିଶା କାରବାର କରୁଛନ୍ତି। ଯାହାକୁ ନେଇ ଚିନ୍ତା ପ୍ରକାଶ ପାଇଛି। ଏନେଇ ସୋର ବିଧାୟକ ମାଧବ ଧଡ଼ା, ସୋରର ପୂର୍ବତନ ବିଧାୟକ ପର୍ଶୁରାମ ଧଡ଼ା ଓ ବରିପଦା ସରପଞ୍ଚ ସୂର୍ଯ୍ୟକାନ୍ତ ମାଝୀଙ୍କ ମତାମତ ନିଆଯାଇଥିଲା। ସେମାନେ ଅନୁପ୍ରବେଶ ଭଳି ସମସ୍ୟା ଚିନ୍ତାଜନକ। ସମାଧାନ ହେବା ଜରୁରୀ ବୋଲି କହିଛନ୍ତି। ସେହିପରି ଗୋପାଳପୁର ଥାନା ଆଇଆଇସି ଅଶୋକ କୁମାର ବାରିକଙ୍କ ମତାମତ ନିଆଯାଇଥିଲା । ସେ କହିଛନ୍ତି, ସରକାରଙ୍କ ନିୟମ ଅନୁଯାୟୀ ସର୍ଭେ ଚାଲିଛି । ଶୀଘ୍ର ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରାଯିବ ଏବଂ ସରକାରଙ୍କୁ ରିପୋର୍ଟ ଦିଆଯିବା ପରେ ସରକାର ଯାହା ପଦକ୍ଷେପ ନେବେ।

Leave a Reply

Your email address will not be published. Required fields are marked *