ପୁରୀରୁ ରାଷ୍ଟ୍ରବ୍ୟାପୀ ବିକଶିତ କୃଷି ସଂକଳ୍ପ ଅଭିଯାନର ଶୁଭାରମ୍ଭ କଲେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶ୍ରୀ ଶିବରାଜ ସିଂ ଚୌହାନ

ପୁରୀ ସାକ୍ଷୀ ଗୋପାଳସ୍ଥିତ କୃଷି ବିଜ୍ଞାନ କେନ୍ଦ୍ରରେ ଆଜି ଠାରୁ ଆରମ୍ଭ ହୋଇଛି ‘ରାଷ୍ଟ୍ରବ୍ୟାପୀ ବିକଶିତ କୃଷି ସଂକଳ୍ପ ଅଭିଯାନ’ । କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଅଭିଯାନର ଶୁଭାରମ୍ଭ କରିଥିବା ବେଳେ ସମାରୋହରେ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ ତଥା ରାଜ୍ୟ କୃଷି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ସମେତ ପୁରୀ ଜିଲ୍ଲାର ବିଧାୟକଗଣ, କେନ୍ଦ୍ର ଏବଂ ଓଡ଼ିଶା ସରକାରଙ୍କ ବରିଷ୍ଠ ଅଧିକାରୀ, ବୈଜ୍ଞାନିକ ଓ କୃଷକମାନେ ଯୋଗ ଦେଇଥିଲେ ।

କାର୍ଯ୍ୟକ୍ରମକୁ ସମ୍ବୋଧିତ କରି କେନ୍ଦ୍ର କୃଷି ମନ୍ତ୍ରୀ ଶ୍ରୀ ଚୌହାନ କହିଥିଲେ, କୃଷି ଭାରତୀୟ ଅର୍ଥବ୍ୟବସ୍ଥାର ଆଧାର ଏବଂ ଚାଷୀମାନେ ହେଉଛନ୍ତି ଦେଶର ଆତ୍ମା। ଚାଷୀ ଜମିରେ ବିହନ ବୁଣିଲେ କେବଳ ବୀଜ ନୁହେଁ ବରଂ ଜୀବନ ରୋପଣ କରିଥାନ୍ତି। ଚାଷ ଜମିରେ ରୋପଣ କରାଯାଇଥିବା ବୀଜ ଆମକୁ ଜୀବନ ଦେଇଥାଏ। ଭାରତର ଚାଷୀମାନେ ଦେଶର ୧୪୫ କୋଟିରୁ ଅଧିକ ଲୋକଙ୍କୁ ଖାଦ୍ୟ ଯୋଗାଇବା ପାଇଁ ଅନବରତ ପରିଶ୍ରମ କରୁଛନ୍ତି । ତେଣୁ ଚାଷୀଙ୍କ ସେବା ପାଇଁ ଭାରତ ସରକାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ନିରନ୍ତର କାର୍ଯ୍ୟ କରୁଛନ୍ତି । ଫଳରେ ଦେଶରେ ରେକର୍ଡ ପରିମାଣର ଖାଦ୍ୟଶସ୍ୟ ଉତ୍ପାଦନ ହେଉଛି ବୋଲି କେନ୍ଦ୍ର କୃଷି ମନ୍ତ୍ରୀ କହିଥିଲେ । ସେ ସୂଚନା ଦେଇ କହିଥିଲେ, ଚଳିତ ବର୍ଷ ଦେଶରେ ରେକର୍ଡ ୩୫୩୯.୫୯ ଲକ୍ଷ ମେଟ୍ରିକ ଟନ୍‌ରୁ ଅଧିକ ଖାଦ୍ୟଶସ୍ୟ ଉତ୍ପାଦନ ହୋଇଛି। ଗତବର୍ଷ ଉତ୍ପାଦିତ ହୋଇଥିବା ୨୧୬.୬୧ ଲକ୍ଷ ମେଟ୍ରିକ ଟନ୍‌ ଖାଦ୍ୟଶସ୍ୟ ଠାରୁ ଏହାର ବହୁତ ଅଧିକ। କିନ୍ତୁ କେବଳ ଏତିକିରେ ଅଟକି ଗଲେ ଚଳିବ ନାହିଁ ଆମକୁ ଅଧିକ ଖାଦ୍ୟଶସ୍ୟ ଉତ୍ପାଦନ କରିବାକୁ ପଡ଼ିବ। ଭାରତ କେବଳ ନିଜ ଜନତାଙ୍କ ଲାଗି ନୁହେଁ ବରଂ ବିଶ୍ୱବାସୀଙ୍କ ପାଇଁ ମଧ୍ୟ ଏକ ଖାଦ୍ୟ ଭଣ୍ଡାର।

ଶ୍ରୀ ଚୌହାନ ଆହୁରି କହିଥିଲେ, ଉତ୍ପାଦନ ବଢ଼ାଇବାକୁ ହେଲେ ଭଲ ବିହନ ଆବଶ୍ୟକ। ଭାରତୀୟ କୃଷି ଗବେଷଣା ପରିଷଦର ବୈଜ୍ଞାନିକମାନେ ନିରନ୍ତର ପ୍ରୟୋଗ କରି ଭଲ ବିହନ ପ୍ରସ୍ତୁତ କରୁଥିବାରୁ କେନ୍ଦ୍ର କୃଷି ମନ୍ତ୍ରୀ ସେମାନଙ୍କୁ ଅଭିନନ୍ଦନ ଜଣାଇଥିଲେ । ଆଜି ଠାରୁ ଆରମ୍ଭ ହୋଇଥିବା ବିକଶିତ କୃଷି ସଂକଳ୍ପ ଅଭିଯାନ ଆସନ୍ତା ଜୁନ୍‌ ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ। ବୈଜ୍ଞାନିକମାନଙ୍କର ଦଳ ଗାଁକୁ ଗାଁ ବୁଲି ଚାଷୀଙ୍କ ସହ ମତ ବିନିମୟ କରିବ । ସବୁ ଚାଷୀ ଭାଇ-ଭଉଣୀ ଏହି ଐତିହାସିକ ଅଭିଯାନରେ ସାମିଲ ହେବା ଏବଂ ବୈଜ୍ଞାନିକଙ୍କ ଠାରୁ ନୂଆ କୃଷି ପଦ୍ଧତି ଓ ଜ୍ଞାନକୌଶଳ ଶିଖି ଫସଲ ଉତ୍ପାଦନ ବଢ଼ାଇବା ପାଇଁ ଲାଗି ସେ ଆହ୍ୱାନ ଦେଇଥିଲେ । ସେ କହିଥିଲେ, ବିକଶିତ କୃଷି ସଂକଳ୍ପ ଅଭିଯାନର ଉଦ୍ଦେଶ୍ୟ ହେଉଛି, ବୈଜ୍ଞାନିକମାନେ ପ୍ରୟୋଗଶାଳାରୁ ବାହାରି ଚାଷ ଜମିକୁ ଯାଆନ୍ତୁ ଏବଂ ଚାଷୀଙ୍କ ସହିତ ସିଧାସଳଖ ଆଲୋଚନା କରନ୍ତୁ। ଏହାଦ୍ୱାରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଲ୍ୟାବ୍‌ ଟୁ ଲ୍ୟାଣ୍ଡ ବା ପରୀକ୍ଷାଗାରରୁ ଚାଷ ଜମି ପର୍ଯ୍ୟନ୍ତ ପ୍ରୟୋଗର ଲାଭ ପହଞ୍ଚାଇବାର ଲକ୍ଷ୍ୟ ସାକାର ହୋଇପାରିବ।

କେନ୍ଦ୍ର କୃଷି ମନ୍ତ୍ରୀ କହିଥିଲେ, ଏହି ଅଭିଯାନ ସଫଳ ହେଲେ ସବୁଦେଶବାସୀଙ୍କୁ ଯଥେଷ୍ଟ ଖାଦ୍ୟଶସ୍ୟ ମିଳିପାରିବ। ଚାଷୀମାନେ ସେମାନଙ୍କ ଉତ୍ପାଦିତ ଫସଲର ଉଚିତ୍‌ ମୂଲ୍ୟ ପାଇପାରିବେ ଏବଂ ସୁଖପୂର୍ଣ୍ଣ ଜୀବନଯାପନ କରିପାରିବେ । ସେ କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ୍‌ ୧୪ଟି ଖରିଫ ଫସଲର ମୂଲ୍ୟବୃଦ୍ଧି ଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛି । ଏହାଦ୍ୱାରା ଚାଷୀଙ୍କୁ ସେମାନଙ୍କର ଉତ୍ପାଦନ ଖର୍ଚ୍ଚ ଉପରେ ୫୦ପ୍ରତିଶତ ଲାଭ ମିଳିପାରିବ ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ, ଆମ ସରକାର ରାଜ୍ୟର ଚାଷୀକୂଳର କଲ୍ୟାଣ ଏବଂ ସମୃଦ୍ଧି ପାଇଁ ବ୍ୟାପକ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। କୃଷିଜାତ ଦ୍ରବ୍ୟର ରପ୍ତାନି କ୍ଷମତା ବୃଦ୍ଧି କରିବା, କୃଷି କ୍ଷେତ୍ରରେ ନବସୃଜନକୁ ପ୍ରୋତ୍ସାହିତ କରିବା, କୃଷି ଜରିଆରେ ମହିଳାମାନଙ୍କୁ ସମାଜର ମୁଖ୍ୟଧାରାରେ ସାମିଲ କରିବା, ଡିଜିଟାଲ୍ ଏବଂ ପ୍ରଯୁକ୍ତିବିଦ୍ୟା ଉପକରଣର ବ୍ୟବହାର କରିବା, ଭିତ୍ତିଭୂମି ବିସ୍ତାର କରିବା ଏବଂ କୃଷକଙ୍କ ଋଣ ଉପଲବ୍ଧତାକୁ ସହଜ କରିବା ପାଇଁ ସମସ୍ତ ପ୍ରୟାସ ଜାରି ରଖିଛନ୍ତି । ଓଡ଼ିଶାରୁ ରାଷ୍ଟ୍ରବ୍ୟାପୀ ବିକଶିତ କୃଷି ସଂକଳ୍ପ ଅଭିଯାନ ଆରମ୍ଭ ହେବା ଗୌରବର ବିଷୟ ଏବଂ ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର କୃଷି ମନ୍ତ୍ରୀ ଶ୍ରୀ ଶିବରାଜ ସିଂ ଚୌହାନଙ୍କୁ ସେ ଧନ୍ୟବାଦ ଜଣାଇଥିଲେ।

ରାଜ୍ୟ କୃଷି ମନ୍ତ୍ରୀ ଶ୍ରୀ ସିଂହଦେଓ ଓଡ଼ିଶାରୁ ଏହି ଅଭିଯାନ ଆରମ୍ଭ କରିଥିବାରୁ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର କୃଷି ମନ୍ତ୍ରୀଙ୍କୁ କୃତଜ୍ଞତା ବ୍ୟକ୍ତ କରିବା ସହିତ ଏହାକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ଲାଗି ଓଡ଼ିଶା ସରକାର ସବୁ ପ୍ରକାର ସହାୟତା ଯୋଗାଇଦେବେ ବୋଲି ଆଶ୍ୱାସନା ଦେଇଥିଲେ। ବୈଜ୍ଞାନିକମାନଙ୍କ ଠାରୁ ଆଧୁନିକ କୃଷି ଜ୍ଞାନକୌଶଳ ପରାମର୍ଶ ପାଇବା ଫଳରେ ଚାଷୀଙ୍କ ଆୟ ଦ୍ୱିଗୁଣିତ କରିବାର ଲକ୍ଷ୍ୟ ହାସଲ କରାଯାଇପାରିବ ବୋଲି ସେ କହିଥିଲେ।

ସୂଚନାଯୋଗ୍ୟ ୧୫ ଦିନିଆ ବିକଶିତ କୃଷି ସଂକଳ୍ପ ଅଭିଯାନରେ କେନ୍ଦ୍ର କୃଷି ମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହାନ ପ୍ରାୟ ୨୦ଟି ରାଜ୍ୟ ଗସ୍ତ କରିବେ। ଦେଶର ୧୬ ହଜାର ବୈଜ୍ଞାନିକଙ୍କୁ ନେଇ ୨୧୭୦ଟି ଦଳ ଗଠନ କରାଯାଇଛି । ଏହି ବୈଜ୍ଞାନିକମାନେ ଗାଁକୁ ଗାଁ ଯାଇ ପ୍ରାୟ ଦେଢ଼ କୋଟି କୃଷକମାନଙ୍କ ସହ ଭାବ ବିନିମୟ କରିବେ। ଗୋଟିଏ ଦଳ ଗୋଟିଏ ଦିନରେ ୨ଟି ଗ୍ରାମ ପରିଦର୍ଶନ କରିବେ। ସ୍ଥାନୀୟ ଅଞ୍ଚଳର ଜଳବାୟୁ, ଜଳ, ମୃତ୍ତିକାର ପୋଷକ ତତ୍ତ୍ୱ ଏବଂ ଅନ୍ୟାନ୍ୟ କାରକ, କେଉଁ ଫସଲ ବୁଣାଯିବା ଉଚିତ, କେଉଁ ପ୍ରକାର ରହିବା ଉଚିତ, ସାରର କେତେ ସନ୍ତୁଳିତ ବ୍ୟବହାର କରାଯିବା ଉଚିତ, ପ୍ରାକୃତିକ ଚାଷ ସହିତ ଡାଲି ଏବଂ ତୈଳବୀଜ ଚାଷ ଉପରେ କୃଷକମାନଙ୍କ ସହ ଆଲୋଚନା କରାଯିବ। ବୈଜ୍ଞାନିକମାନେ ସିଧାସଳଖ ବାର୍ତ୍ତାଳାପ ମାଧ୍ୟମରେ କୃଷକମାନଙ୍କ ବ୍ୟବହାରିକ ସମସ୍ୟାର ସମାଧାନ କରିବେ। କୃଷି କ୍ଷେତ୍ରର ଆବଶ୍ୟକତା ଅନୁଯାୟୀ ଅଧିକ ଗବେଷଣାର ଦିଗ ମଧ୍ୟ ସ୍ଥିର କରାଯିବ।

Leave a Reply

Your email address will not be published. Required fields are marked *