ବୈଜୟନ୍ତ ପଣ୍ଡାଙ୍କ ନେତୃତ୍ୱରେ କୁଏତରେ ପହଞ୍ଚିଲା ସର୍ବଦଳୀୟ ପ୍ରତିନିଧି ମଣ୍ଡଳୀ
ଆତଙ୍କବାଦର ପ୍ରାୟୋଜକ ପାଲଟିଥିବା ପାକିସ୍ତାନର ମୁଖା ଖୋଲିବା ସହିତ ଭାରତର ଆତଙ୍କବାଦ ବିରୋଧୀ ଲଢ଼େଇରେ ବିଶ୍ୱ ସମୁଦାୟର ସମର୍ଥନ ଜୁଟାଇବା ଉଦ୍ଦେଶ୍ୟରେ ଭାରତ ସରକାରଙ୍କ ଦ୍ୱାରା ଗଠିତ ୭ଟି ସର୍ବଦଳୀୟ ପ୍ରତିନିଧି ମଣ୍ଡଳୀ ସମ୍ପ୍ରତି ବିଭିନ୍ନ ରାଷ୍ଟ୍ର ଗସ୍ତ କରୁଛନ୍ତି। ଏହିକ୍ରମରେ ଲୋକସଭା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ନେତୃତ୍ୱରେ ଗୋଟିଏ ଆଠ ଜଣିଆ ପ୍ରତିନିଧି ଦଳ କୁଏତ ଗସ୍ତ କରିଛି। ଏହି ପ୍ରତିନିଧି ଦଳରେ ଲୋକସଭା ସାଂସଦ ନିଶିକାନ୍ତ ଦୂବେ, ରାଜ୍ୟସଭା ସାଂସଦ ଫାଙ୍ଗନନ କନ୍ୟାକ, ରାଜ୍ୟସଭା ସାଂସଦ ରେଖା ଶର୍ମା, ଲୋକସଭା ସାଂସଦ ଅସଦଉଦ୍ଦିନ ଓୱେସି, ରାଜ୍ୟସଭା ସାଂସଦ ସତନାମ ସିଂ ସାନ୍ଧୁ, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଗୁଲାମ ନବୀ ଆଜାଦ, ପୂର୍ବତନ ବିଦେଶ ସଚିବ ହର୍ଷ ଶ୍ରିଙ୍ଗଲା ପ୍ରମୁଖ ସାମିଲ ଅଛନ୍ତି।ଏହି ପ୍ରତିନିଧି ଦଳ ଆସନ୍ତାକାଲି ଠାରୁ ଦୁଇ ଦିନ କୁଏତରେ ରହି ସେଠାକାର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କରିବ। ପହଲଗାମ ଆତଙ୍କବାଦୀ ଆକ୍ରମଣ ଏବଂ ଏହା ପରେ ପାକ ଅଧିକୃତ କାଶ୍ମୀରରେ ଥିବା ଆତଙ୍କବାଦୀ ଆଡ୍ଡା ଉପରେ ଭାରତର ଅପରେସନ ସିନ୍ଦୂର ସମ୍ପର୍କରେ କୁଏତ’ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯିବ। ପାକିସ୍ତାନର ଉତ୍ତେଜନା ସୃଷ୍ଟିକାରୀ ପଦକ୍ଷେପ ଏବଂ ଭାରତର ଜବାବ ବିଷୟରେ ମଧ୍ୟ ଆଲୋଚନା ହେବ । ଦୁଇ ଦିନ ଗସ୍ତ କାଳରେ ଭାରତୀୟ ପ୍ରତିନିଧି ମଣ୍ଡଳୀ କୁଏତ ସରକାରଙ୍କ ବରିଷ୍ଠ ପ୍ରତିନିଧି, ପ୍ରମୁଖ ନାଗରିକ ସମାଜ ସଦସ୍ୟ, ପ୍ରଭାବଶାଳୀ ବ୍ୟକ୍ତିତ୍ୱ, ବୁଦ୍ଧିଜୀବୀଙ୍କ ଅନୁଷ୍ଠାନ, ଗଣମାଧ୍ୟମ ଏବଂ ପ୍ରବାସୀ ଭାରତୀୟଙ୍କ ସହ ଆଲୋଚନା କରିବ।