Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
କେନ୍ଦ୍ର ସରକାରଙ୍କ ବିମୁଦ୍ରୀକରଣ ନିଷ୍ପତି ପ୍ରକ୍ରିୟାରେ କୌଣସି ତ୍ରୁଟି ନ ଥିଲା:ସୁପ୍ରିମକୋର୍ଟ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

କେନ୍ଦ୍ର ସରକାରଙ୍କ ବିମୁଦ୍ରୀକରଣ ନିଷ୍ପତି ପ୍ରକ୍ରିୟାରେ କୌଣସି ତ୍ରୁଟି ନ ଥିଲା:ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ୨୦୧୬ ନଭେମ୍ବର ୮ରେ ଦେଶରେ କାର୍ଯ୍ୟକାରୀ କରାଯାଇଥିବା ବିମୁଦ୍ରାୟନ ନିଷ୍ପତ୍ତି ଠିକ୍ ଥିଲା ବୋଲି ସୁପ୍ରିମକୋର୍ଟ ରାୟ ଶୁଣାଇଛନ୍ତି । ସୁପ୍ରିମକୋର୍ଟଙ୍କ ପାଞ୍ଚଜଣିଆ ସାମ୍ବିଧାନିକ ପୀଠ ସୋମବାର ନିଜ ରାୟରେ ବିମୁଦ୍ରାୟନ ନିଷ୍ପତ୍ତି ଠିକ୍ ଥିଲା ବୋଲି କହିଛନ୍ତି । ବିମୁଦ୍ରାୟନ ପ୍ରକ୍ରିୟାରେ କୌଣସି ତ୍ରୁଟି ନ ଥିଲା ବୋଲି ସାମ୍ବିଧାନିକ ପୀଠ କହିଛନ୍ତି । ଏହା ସହ ବିମୁଦ୍ରାୟନ ସଂପର୍କୀତ ସମସ୍ତ ମାମଲାକୁ ଅଦାଲତ ଖାରଜ କରି ଦେଇଛନ୍ତି । ଗତ ଡିସେମ୍ବର ୭ ତାରିଖରେ ସୁପ୍ରିମକୋର୍ଟରେ ମାମଲାର ଶେଷ ଶୁଣାଣି କରାଯାଇଥିଲା । ପରେ ସର୍ବୋଚ୍ଚ ଅଦାଲତ ତାଙ୍କ ରାୟ ସଂରକ୍ଷିତ ରଖିଥିଲେ । ତେବେ ଆଜି ମାମଲାର ଚୁଡାନ୍ତ ରାୟ ପ୍ରକାଶ କରିଛନ୍ତି । ସୂଚନାଯୋଗ୍ୟ ଯେ ୨୦୧୬ରେ ନରେନ୍ଦ୍ର ମୋଦୀଙ୍କ ସରକାର ସେତେବେଳେ ପ୍ରଚଳିତ ଥିବା ୧ହଜାର ଓ ୫ଶହ ଟଙ୍କିଆ ନୋଟ୍ ଗୁଡିକୁ ଅଚଳ ଘୋଷଣା କରିଥିଲେ । ତାହାକୁ ନେଇ ଦେଶରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହାକୁ ଚାଲେଞ୍ଜ କରି ଦେଶର ସର୍ବୋଚ୍ଚ ଅଦାଲତରେ ଏକାଧିକ ଆବେଦନ ଦାଏର କରାଯାଇଥିଲା । ସୁପ୍ରିମକୋର୍ଟର ବିଚାରପତି ଜଷ୍ଟସ ଏସ ଏ ନାଜିରଙ୍କ ନେତୃତ୍ୱରେ ଗଠିତ ପାଞ୍ଚଜଣିଆ ସାମ୍ବିଧାନିକ ପୀଠରେ ମାମଲାର ଶୁଣାଣି ହୋଇଥିଲା । ଏହି ପୀଠରେ ଜଷ୍ଟିସ ବି ଆର ଗଭାଇ, ଜଷ୍ଟିସ ବି ଭି ନାଗରନô, ଜଷ୍ଟିସ ଏ ଏସ ବୋପାନ୍ନା ଏବଂ ଜଷ୍ଟିସ ଭି ରାମସୁବ୍ରମନିଅନ୍ ରହିଛନ୍ତି । ଆବେଦନକାରୀଙ୍କ ପକ୍ଷରୁ ମାମଲା ଲଢୁଥିବା ବରିଷ୍ଠ ଆଇନଜୀବୀ ପି. ଚିଦମ୍ବରମ୍ ଯୁକ୍ତି ଦର୍ଶାଇଥିଲେ ଯେ ୫ଶହ ଏବଂ ୧ହଜାର ଟଙ୍କିଆ ନୋଟ ଅଚଳ କରି ଦିଆଯିବା ଘଟଣା ସମ୍ପୂର୍ଣ୍ଣ ଭାବରେ ବେଆଇନ ଥିଲା । ସରକାର ବ୍ୟାଙ୍କ ନୋଟ ସମ୍ପର୍କରେ ନିଜଆଡୁ କୌଣସି ପଦକ୍ଷେପ ନେଇପାରିବେ ନାହିଁ ଏବଂ ତାହା କେବଳ ଭାରତୀୟ ରିଜର୍ଭ ବ୍ୟାଙ୍କ କେନ୍ଦ୍ରୀୟ ବୋର୍ଡ ସୁପାରିଶ ଅନୁଯାୟୀ କରାଯାଇପାରିବ । ଅନ୍ୟପକ୍ଷରେ ସରକାରଙ୍କ ପକ୍ଷରୁ କୁହାଯାଇଥିଲା ଯେ ବିମୁଦ୍ରାୟନ ଏକ ସୁଚିନ୍ତିତ ନିଷ୍ପତ୍ତି ଥିଲା ଏବଂ ଜାଲ ଟଙ୍କା କାରବାର, ଆତଙ୍କବାଦ କାର୍ଯ୍ୟକଳାପ ପାଇଁ ପାଣ୍ଠି ଯୋଗାଣ, କଳାଟଙ୍କା କାରବାର ଓ ଟିକସ ଠକେଇ ଆଦି ରୋକିବାକୁ ପ୍ରସ୍ତୁତ ଏକ ବୃହତ୍ତର ରଣକୌଶଳର ଏହା ଅଂଶବିଶେଷ ଥିଲା । ପିଛିଲା ସମୟର ସମୀକ୍ଷା କରାଯାଇ କୌଣସି ଫଳପ୍ରଦ ଆଶ୍ୱସ୍ତି ପ୍ରଦାନ କରିବା ସମ୍ଭବ ନଥିବାରୁ ସର୍ବୋଚ୍ଚ ଅଦାଲତ ସେଭଳି ବିଷୟରେ ନିଷ୍ପତ୍ତି ନେଇପାରିବେ ନାହିଁ । ଆର୍ବିଆଇ ପକ୍ଷରୁ ସ୍ୱୀକାର କରାଯାଇଥିଲା ଯେ ଏହାଦ୍ୱାରା ସାମୟିକ ଭାବରେ ଦେଶବାସୀ ଜଟିଳ ସମୟ ଦେଇ ଗତିକରିଥିଲେ ଏବଂ ତାହା ରାଷ୍ଟ୍ର ଗଠନ ପ୍ରକ୍ରିୟାର ଏକ ଅବିଚ୍ଛେଦ୍ୟ ଅଙ୍ଗ । ଅବଶ୍ୟ ତାହାଦ୍ୱାରା ସୃଷ୍ଟ ସମସ୍ୟାଗୁଡିକୁ ଆର୍ବିଆଇର ରହିଥିବା ବ୍ୟବସ୍ଥା ଦ୍ୱାରା ସମାଧାନ କରାଯାଇଥିଲା । ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟ ୫୮ଟି ଆବେଦନର ଶୁଣାଣି କରିଥିଲେ ।

Leave a Reply