ଉପେନ୍ଦ୍ର ପ୍ରସାଦ ମହଲାଙ୍କୁ ନାରଦ ସମ୍ମାନ

ଉପେନ୍ଦ୍ର ପ୍ରସାଦ ମହଲାଙ୍କୁ ନାରଦ ସମ୍ମାନ

ଭୁବନେଶ୍ୱର,୧୩/୦୫:ଓଡିଆ ସାମ୍ବାଦିକତା ଜଗତରେ ଜଣେ ଉଜ୍ଜ୍ୱଳ ଜ୍ୟୋତିଷ୍କ ତଥା ଦୀର୍ଘ ୪୦ ବର୍ଷ ଧରି ସାମ୍ବାଦିକତା ବୃତ୍ତିକୁ ଆପଣେଇ ଜଣେ ଦୂରଦୃଷ୍ଟି ସମ୍ପନ୍ନ ଚିନ୍ତକ ଭାବରେ ଏହାର ବିଭିନ୍ନ ବିଭବକୁ ରୁଦ୍ଧିମନ୍ତ କରିଥିବା ବରିଷ୍ଠ ସାମ୍ବାଦିକ ଉପେନ୍ଦ୍ର ପ୍ରସାଦ ମହଲାଙ୍କୁ ବିଶ୍ୱ ସମ୍ବାଦ କେନ୍ଦ୍ର, ଓଡିଶା ପକ୍ଷରୁ ନାରଦ ଜୟନ୍ତୀ ଅବସରରେ ୨୦୨୫ ବର୍ଷ ପାଇଁ ମର୍ଯ୍ୟାଦାପୂର୍ଣ୍ଣ ନାରଦ ସମ୍ମାନରେ ବିଭୂଷିତ କରାଯାଇଛି ।

ଶ୍ରୀ ମହଲା ୧୯୮୪ରେ ଧରିତ୍ରୀ ଖବରକାଗଜରେ କାର୍ଯ୍ୟାରମ୍ଭ କରିବା ପରେ ଆଉ ପଛକୁ ଫେରି ଚାହିଁନାହାଁନ୍ତି । ବର୍ତ୍ତମାନ ସେ ପ୍ରମେୟ ଖବରକାଗଜ ଜରିଆରେ ନିଜ କଲମକୁ ଚଳ ଚଞ୍ଚଳ ରଖିଛନ୍ତି । ଜଣେ ତାଲିମଦାତା ଭାବେ ସୃଷ୍ଟି କରିଛନ୍ତି ଶହ ଶହ ସାମ୍ବାଦିକ । ସାହିତ୍ୟ ଜଗତରେ ବି ତାଙ୍କର ସ୍ୱାକ୍ଷର ସୁସ୍ପଷ୍ଟ, ସାମ୍ବାଦିକତା ଛାତ୍ରଙ୍କ ଲାଗି ଅନେକ ପାଠ୍ୟ ପୁସ୍ତକ ମଧ୍ୟ ସୃଷ୍ଟି କରିଛନ୍ତି । ସେ ଜଣେ ସରଳ, ନିଷ୍କପଟ, ନିଷ୍ଠାପର ଓ କର୍ମପ୍ରବଣ ମଣିଷ ତଥା ଜଣେ ଦରଦୀ, ଖୋଲା ଓ ଅମାୟିକ ବ୍ୟକ୍ତିତ୍ୱର ଅଧିକାରୀ । ସହକର୍ମୀଙ୍କଠାରୁ ଆରମ୍ଭ କରି ସାଧାରଣ ଯାଏ ସମସ୍ତଙ୍କ ଲାଖି ଜଣେ ସାଧୁ, ସଚୋଟ ଓ ସମ୍ବାଦିକତା ପ୍ରତି ସମର୍ପିତ ବ୍ୟକ୍ତିତ୍ୱ ।

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଓଡିଶା ସରକାରଙ୍କ ସୌଜନ୍ୟରୁ ତଥା ବିଶ୍ୱ ସମ୍ବାଦ କେନ୍ଦ୍ର, ଓଡିଶା ତରଫରୁ ଭୁବନେଶ୍ୱର ସ୍ଥିତ ଜୟଦେବ ଭବନରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ‘ ଏକ ବିଂଶତମ ନାରଦ ସମ୍ମାନ’ଉତ୍ସବରେ ଅଧ୍ୟକ୍ଷତା କରିଥିଲେ ବରିଷ୍ଠ ସ୍ତମ୍ଭଲେଖକ ଅଧ୍ୟାପକ ନିରଞ୍ଜନ ପାଢୀ । ଏହି ଉତ୍ସବରେ ବ୍ରିଗେଡିୟର ଡଃ. ଲକ୍ଷ୍ମୀ ଚରଣ ପଟ୍ଟନାୟକ ମୁଖ୍ୟ ଅତିଥି ଏବଂ ଦିଲ୍ଲୀରୁ ପ୍ରକାଶିତ ସାପ୍ତାହିକ ଇଂରାଜୀ ପତ୍ରିକା ଅର୍ଗାନାଇଜରର ସମ୍ପାଦକ ଶ୍ରୀ ପ୍ରଫୁଲ୍ଲ କେତ୍‌କର ମୁଖ୍ୟ ବକ୍ତା ରୂପେ ଯୋଗଦେଇଥିଲେ ।

ଶ୍ରୀ ମହଲାଙ୍କୁ ମାନପତ୍ର, ଉତ୍ତରୀୟ, ନାରିକେଳ ଓ ୨୧ ହଜାର ଟଙ୍କାର ଚେକ୍ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ,ଓଡିଶା ପୂର୍ବ ପ୍ରାନ୍ତର ପ୍ରାନ୍ତ ପ୍ରଚାର ପ୍ରମୁଖ ଶ୍ରୀ ସୁମନ୍ତ କୁମାର ପଣ୍ଡା ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ । ବରିଷ୍ଠ ଆଇନଜୀବୀ ସାଇ ପ୍ରସାଦ ଦାଶ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସଂଘର ପୁରୀ ବିଭାଗ ପ୍ରଚାର ପ୍ରମୁଖ ଜୟକୃଷ୍ଣ ପୃଷ୍ଠି ମାନପତ୍ର ପାଠ କରିଥିଲେ ଏବଂ ସହ ପ୍ରାନ୍ତ ପ୍ରଚାର ପ୍ରମୁଖ ମନିନ୍ଦ୍ର ସୁନ୍ଦର ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ସରସ୍ୱତୀ ଶିଶୁବିଦ୍ୟା ମନ୍ଦିର, ୟୁନିଟ-୮, ଭୁବନେଶ୍ୱରର ଛାତ୍ରଛାତ୍ରୀମାନେ ସ୍ୱାଗତ ସଂଗୀତ ଗାନ କରିଥିଲେ ।

ବିଶ୍ୱ ସମ୍ବାଦ କେନ୍ଦ୍ର,ଓଡିଶା ତରଫରୁ ଗଣମାଧ୍ୟମରେ ସ୍ୱାଧିନତା ସମ୍ବନ୍ଧରେ ସଚେତନତା ସୃଷ୍ଟି କରୁଥିବା, ଜନସାଧାରଣଙ୍କୁ ନିରପେକ୍ଷ,ମୁକ୍ତ ଓ ଦାୟିତ୍ୱ ସମ୍ପନ୍ନ ସମ୍ବାଦ ପରିବେଷଣ ସହ ରାଷ୍ଟ୍ରୀୟ ବିଚାରଧାରାର ପ୍ରସାର ପାଇଁ ଲେଖନୀ ଚାଳନା କରୁଥିବା ଗଣମାଧ୍ୟମର ବ୍ୟକ୍ତିତ୍ୱଙ୍କୁ ପ୍ରତି ବର୍ଷ ନାରଦ ଜୟନ୍ତୀରେ ରାଜ୍ୟ ସ୍ତରୀୟ ନାରଦ ସମ୍ମାନ ପ୍ରଦାନ କରାଯାଇଥାଏ । ୨୧ବର୍ଷ ଧରି ବିଶ୍ୱ ସମ୍ବାଦ କେନ୍ଦ୍ର ତରଫରୁ ଆଦ୍ୟ ସାମ୍ବାଦିକ ଦେବର୍ଷି ନାରଦଙ୍କ ଜୟନ୍ତୀ ପାଳନ କରାଯିବା ସହ ରାଜ୍ୟର ଜଣେ ବରିଷ୍ଠ ତଥା ବିଶିଷ୍ଟ ସାମ୍ବାଦିକ ଓ ସ୍ତମ୍ଭଲେଖକଙ୍କୁ ରାଜ୍ୟସ୍ତରୀୟ ନାରଦ ସମ୍ମାନ ପ୍ରଦାନ କରାଯାଉଛି । ସୂଚନାଯୋଗ୍ୟ ଯେ ଏହା ପୂର୍ବରୁ ବରିଷ୍ଠ ସାମ୍ବାଦିକ ସ୍ୱର୍ଗତ ଭଗବାନ ନାୟକବର୍ମା,ସ୍ୱର୍ଗତ ଗୋପାଳ ମିଶ୍ର,ରାଜାରାମ ଶତପଥି, ଗୋପାଳକୃଷ୍ଣ ମହାପାତ୍ର, ଭାସ୍କର ପରିଚ୍ଛା, ସ୍ୱର୍ଗତ ବରେନ୍ଦ୍ରକୃଷ୍ଣ ଧଳ, ସୁଧିର କୁମାର ଦାଶ, ଭାଗିରଥି ମହାସୁଆର, ଜଗବନ୍ଧୁ ମିଶ୍ର, ସ୍ୱର୍ଗତ ଅରୁଣ କୁମାର ପଣ୍ଡା, ପ୍ରତାପ ମହାନ୍ତି, ସିଦ୍ଧାର୍ଥ କାନୁନ୍‌ଗୋ, ପ୍ରଭୂ କଲ୍ୟାଣ ମହାପାତ୍ର, ଶିବନାରାୟଣ ସିଂହ, ତପନ ମିଶ୍ର, ସୁବ୍ରତ ଦାସ, ଆର୍ତ୍ତ ମିଶ୍ର,ଅଭୟ କୁମାର ଦ୍ୱିବେଦୀ,ଡ. ଅସୀତ ମହାନ୍ତି ପ୍ରମୁଖ ଏହି ନାରଦ ସମ୍ମାନରେ ସମ୍ମାନୀତ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *