ତେଜସ୍‌ ବିମାନରୁ ‘ଅସ୍ତ୍ର’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ବର/ଚାନ୍ଦିପୁର: ଚାନ୍ଦିପୁର ଉପକୂଳରେ ଭାରତର ହାଲୁକା ଯୁଦ୍ଧ ବିମାନ ତେଜସ୍‌ ଦ୍ୱାରା ବିଏଣ୍ଡ୍ ଭିଜୁଆଲ୍ ରେଞ୍ଜ୍ କ୍ଷେପଣାସ୍ତ୍ର ‘ଅସ୍ତ୍ର’ ଗତକାଲି ସଫଳତାର ସହ ପରୀକ୍ଷଣ କରାଯାଇଛି। ଏହା ଅଦୃଶ୍ୟ ଲକ୍ଷ୍ୟକୁ ଟାର୍ଗେଟ କରିବାରେ ସଫଳ ହୋଇଛି। ଏହି ପରୀକ୍ଷଣ ସମସ୍ତ ଉପ-ପ୍ରଣାଳୀ, ସମସ୍ତ ମିସନ୍‌ ପାରାମିଟର ଏବଂ ଉଦ୍ଦେଶ୍ୟକୁ ସଠିକ୍‌ ଭାବରେ ପୂରଣ କରିଥିଲା।

ଅସ୍ତ୍ର କ୍ଷେପଣାସ୍ତ୍ର ଡିଆର୍‌ଡିଓ ଦ୍ୱାରା ଡିଜାଇନ୍ ଓ ବିକଶିତ ହୋଇଛି। ଅଧିକାରୀମାନେ କହିଛନ୍ତି ଯେ, ପ୍ରାୟ ୨୦ ହଜାର ଫୁଟ ଉଚ୍ଚରେ ବିମାନରୁ ‘ଅସ୍ତ୍ର’ କ୍ଷେପଣାସ୍ତ୍ର ଉତ୍‌କ୍ଷେପଣ କରାଯାଇଥିଲା। ଯାହା ୧୦୦ କିଲୋମିଟରରୁ ଅଧିକ ଦୂରତାରେ ଥିବା ଲକ୍ଷ୍ୟକୁ ଧ୍ୱଂସ କରିବାରେ ସଫଳ ହୋଇଛି। ଏହି କ୍ଷେପଣାସ୍ତ୍ରକୁ ଭାରତୀୟ ବାୟୁସେନାରେ ସାମିଲ କରାଯାଇସାରିଛି। ଆଭିଏନିକ୍ସ ଡେଭଲପ୍‌ମେଣ୍ଟ ଏଜେନ୍ସି, ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ, ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ ଏବଂ ସେଣ୍ଟର୍‌ ଫର୍‌ ମିଲିଟାରି ଏୟାର ୱର୍ଥେସନ୍‌ ଆଣ୍ଡ ସାର୍ଟିଫିକେସନ୍ ଏବଂ ଡାଇରେକ୍ଟୋରେଟ୍‌ ଜେନେରାଲ୍ ଅଫ୍ ଏରୋନେଟିକାଲ୍ କ୍ୱାଲିଟି ଆସୁରାନ୍ସ ଦ୍ବାରା ଏହି ପରୀକ୍ଷଣ ଉପରେ ନଜର ରଖାଯାଇଥିଲା।

ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂହ ଏହି ପରୀକ୍ଷଣରେ ସାମିଲ ଥିବା ସମସ୍ତ ସଂସ୍ଥା ତଥା ଟିମ୍‌କୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରତିରକ୍ଷା ଗବେଷଣା ଓ ବିକାଶ ବିଭାଗର ସଚିବ ଏବଂ ଡିଆର୍‌ଡିଓର ଅଧ୍ୟକ୍ଷ ଡକ୍ଟର ସମୀର ଭି କାମତ ବିଭିନ୍ନ ସଂଗଠନ ଏବଂ ଶିଳ୍ପର ବୈଜ୍ଞାନିକ, ଇଞ୍ଜିନିୟର ଏବଂ ଟେକ୍ନିସିଆନଙ୍କୁ ପ୍ରଶଂସା କରିଛନ୍ତି।

Leave a Reply

Your email address will not be published. Required fields are marked *