ସୁପ୍ରିମକୋର୍ଟରେ କେନ୍ଦ୍ରର ସତ୍ୟପାଠ-ତିନି ତଲାକ ଏକ ସାମାଜିକ ଅପରାଧ

ସୁପ୍ରିମକୋର୍ଟରେ କେନ୍ଦ୍ରର ସତ୍ୟପାଠ
ତିନି ତଲାକ ଏକ ସାମାଜିକ ଅପରାଧ
ନୂଆଦିଲ୍ଲୀ: ତିନି ତଲାକ ଆଇନ ବିରୋଧରେ ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ପିଟିସନ୍ ଉପରେ କେନ୍ଦ୍ର ସରକାର ସୋମବାର ୪୩୩ ପୃଷ୍ଠାର ସତ୍ୟପାଠ ଦାଖଲ କରିଛନ୍ତି। ଏଥିରେ ସରକାର କହିଛନ୍ତି, ତିନି ତଲାକ ପ୍ରଥା ବିବାହ ଭଳି ସାମାଜିକ ଅନୁଷ୍ଠାନ ନିମନ୍ତେ ଘାତକ। ଏହା ଇସ୍‌ଲାମି ନୁହେଁ କିମ୍ବା ଆଇନ ଅନୁଯାୟୀ ବୈଧ ନୁହେଁ । ତିନି ତଲାକ କୌଣସି ଜଣେ ମହିଳାଙ୍କ ବିରୋଧରେ ହେଉଥିବା ବ୍ୟକ୍ତିଗତ ଅପରାଧ ନୁହେଁ। ବରଂ ଏହା ଏକ ସମାଜିକ ଅପରାଧ। ଯାହା ମହିଳାଙ୍କ ଅଧିକାର ଏବଂ ବିବାହ ଭଳି ସାମାଜିକ ଅନୁଷ୍ଠାନର ବିରୋଧ। ସର୍ବୋଚ୍ଚ ଅଦାଲତ ଏହି ପ୍ରଥାକୁ ଅସାମ୍ବିଧାନିକ ଘୋଷିତ କରିବା ସତ୍ତ୍ୱେ ମୁସ୍‌ଲିମ୍ ସମୁଦାୟ ଏହାକୁ ଶେଷ କରିବା ପାଇଁ ଠୋସ ପଦକ୍ଷେପ ନେଇ ନଥିଲା। ତେଣୁ ମୁସ୍‌ଲିମ୍ ମହିଳାଙ୍କ ଅଧିକାରର ସୁରକ୍ଷା ନିମନ୍ତେ ସଂସଦ ନିଜ ଆଡୁ ତିନି ତଲାକ ଆଇନ ଆଣିଛି।
ତିନି ତଲାକ ବିରୋଧୀ ଆଇନକୁ ଯଥାର୍ଥ ଦର୍ଶାଇବାକୁ ଯାଇ କେନ୍ଦ୍ର ସରକାର ନିଜ ସତ୍ୟପାଠରେ ଆହୁରି କହିଛନ୍ତି, ଆଇନରେ ଏହି ପ୍ରଥାକୁ ଜାମିନ ବିହୀନ ଅପରାଧ ବିବେଚନା କରଯାଇଛି। ଏହାକୁ ପାଳନ ନିମନ୍ତେ ସୁପ୍ରିମକୋର୍ଟ କହିଥିଲେ। ଏହି
ପ୍ରଥା ବିବାହିତା ମୁସ୍‌ଲିମ୍ ମହିଳାଙ୍କ ସହ ଭେଦଭାବ କରୁଥିଲା। ସେମାନଙ୍କ ଜୀବନକୁ ଦୁର୍ବିଷହ କରି ପକାଉଥିଲା। ଏହି ଭେଦଭାବ ଦୂର ଲାଗି ଅଇନ ଅଣାଯାଇଛି। ଏହି ଆଇନ ମୁସ୍‌ଲିମ୍ ମହିଳାଙ୍କ ଲାଗି ନ୍ୟାୟ ଓ ସମାନତା ଅଧିକାରକୁ ସୁନିଶ୍ଚିତ କରାଇବାରେ ସହାୟକ ହେଉଛି। ତତ୍ସହିତ ସମାନତା ଏବଂ ସଶକ୍ତିକରଣର ମୌଳିକ ଅଧିକାରକୁ ସୁନିଶ୍ଚିତ କରିବାରେ ମଧ୍ୟ ସହାୟକ ହେଉଛି।
ଉଲ୍ଲେଖଯୋଗ୍ୟ, ସୁପ୍ରିମକୋର୍ଟ ୨୦୧୭ ଅଗଷ୍ଟ ୨୨ରେ ତତ୍କାଳ ତିନି ତଲାକକୁ ଅସାମ୍ବିଧାନିକ ଘୋଷଣା କରିଥିଲେ। ସେହିଭଳି କେନ୍ଦ୍ର ସରକାର ୨୦୧୯ ଜୁଲାଇ ୩୦ରେ ତିନି ତଲାକ ବିରୋଧରେ ଆଇନ ପ୍ରସ୍ତୁତ କରିଥିଲେ। ଏଥିରେ ତିନି ତଲାକକୁ ଅପରାଧ ଶ୍ରେଣୀଭୁକ୍ତ କରାଯିବା ସହ ୩ ବର୍ଷ ଜେଲଦଣ୍ଡ ଓ ଜରିମାନାର ବ୍ୟବସ୍ଥା ରହିଛି।

Leave a Reply

Your email address will not be published. Required fields are marked *