ବେଙ୍ଗାଲୁରୁ: ପାକ୍ ଗୁଇନ୍ଦା ସଂସ୍ଥା ଆଇଏସ୍ଆଇର ସୁନ୍ଦରୀମାନଙ୍କ ‘ହନିଟ୍ରାପ୍’ର ଶିକାର ହୋଇଛନ୍ତି କର୍ଣ୍ଣାଟକର ଦୁଇ ଜଣ ବାସିନ୍ଦା। କାରୱାର ନୌସେନା ଘାଟି ସମ୍ପର୍କର ସମ୍ବେଦନଶୀଳ ତଥ୍ୟ ପାକିସ୍ତାନକୁ ଯୋଗାଇ ଉତ୍ତର କନ୍ନଡ଼ ଜିଲ୍ଲାର ମୁଡୁଗା ଗାଁର ଭେତାନା ତାଣ୍ଡେଲ୍ ଓ ହାଲାଭାଲିର ଅକ୍ଷୟ ନାଏକ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍ଆଇଏ) ହାତରେ ଗିରଫ ହୋଇଛନ୍ତି। ତଦନ୍ତରୁ ଜଣାପଡ଼ିଛି ଯେ, ତାଣ୍ଡେଲ୍ ଓ ନାଏକ ଏକ ସ୍ଥାନୀୟ କମ୍ପାନିରେ କାମ କରୁଥିଲେ। ୨୦୨୩ରେ ଫେସ୍ବୁକ୍ ଜରିଆରେ ଉଭୟେ ପାକିସ୍ତାନ ଗୁଇନ୍ଦା ସଂସ୍ଥାର ମହିଳା କର୍ମଚାରୀଙ୍କ ଦ୍ବାରା ‘ହନିଟ୍ରାପ୍’ର ଶିକାର ହୋଇଥିଲେ।
ମାସକୁ ୫ହଜାର ଟଙ୍କା ୮ ମାସ ନିମନ୍ତେ ଯୋଗାଇଦେବା ପ୍ରଲୋଭନରେ ସେମାନେ ଆଇଏନ୍ଏସ୍ କଦମ୍ବ ନୌସେନା ଘାଟି ତଥା ସିବାର୍ଡ ପ୍ରକଳ୍ପ ସ୍ଥଳର ଫଟୋ, ଯୁଦ୍ଧପୋତର ଆଗମନ ଓ ପ୍ରସ୍ଥାନ ସମୟ, ଆଖପାଖ ଅଞ୍ଚଳ, ରାସ୍ତାଘାଟ ଆଦିର ବିବରଣୀ ଯୋଗାଇଥିଲେ। ପୂର୍ବରୁ ଅଗଷ୍ଟ ୨୦୨୪ରେ ଏନ୍ଆଇଏ ଏହି ମାମଲାରେ ତୋଡୁର ଗାଁର ଅନ୍ୟଜଣେ ଯୁବକକୁ ଜେରା କରି ଛାଡ଼ିଦେଇଥିଲା। ଏହାପରେ ମାମଲାର ସମସ୍ତ ସନ୍ଦିଗ୍ଧଙ୍କୁ ଟ୍ରାକ୍ କରାଯାଇଥିଲା। ଗୁଇନ୍ଦା ଟ୍ରାକିଂ ଆଧାରରେ ଆଇଏସ୍ଆଇ ସହ ତାଣ୍ଡେଲ୍ ଓ ନାଏକର ସମ୍ପର୍କ ଏବଂ ବ୍ୟାଙ୍କ ନେଣଦେଣ ସଂପର୍କରେ ଜଣାପଡ଼ିବା ପରେ ସେମାନଙ୍କୁ ଗିରଫ କରାଯାଇଛି।