କୌଣସି ଓକିଲ ତିନ୍‌ ତଲାକ୍ ପ୍ରଥାକୁ ସମର୍ଥନ କରିବା ଠିକ ନୁହେଁ

ନୂଆଦିଲ୍ଲୀ: ତିନ୍‌ ତଲାକ୍ ପ୍ରସଙ୍ଗ ପୁଣି ଥରେ ଚର୍ଚ୍ଚାକୁ ଆସିଛି। ବୁଧବାର ସୁପ୍ରିମକୋର୍ଟରେ ଏ ସମ୍ପର୍କରେ ଜୋରଦାର ବିତର୍କ ହୋଇଥିଲା। ତିନ୍‌ ତଲାକ୍ ସମ୍ବନ୍ଧରେ କେନ୍ଦ୍ର ସରକାରଙ୍କ ଆଇନକୁ ଚ୍ୟାଲେଞ୍ଜ କରାଯାଇଥିବା ଆବେଦନ ଉପରେ ଏହି ବିତର୍କ ହୋଇଥିଲା। ଏହି ବିତର୍କ ସମୟରେ ସୁପ୍ରିମକୋର୍ଟ ଏହି ଆଇନ ସମ୍ବନ୍ଧରେ କେନ୍ଦ୍ର ସରକାରଙ୍କ ଠାରୁ ସମ୍ପୂର୍ଣ୍ଣ ବିବରଣୀ ମାଗିଛନ୍ତି। ଏହା ବ୍ୟତୀତ ତିନ୍‌ ତଲାକ୍ ସମ୍ବନ୍ଧରେ ସାରା ଦେଶରେ କେତେ ଏଫଆଇଆର ଓ ଚାର୍ଜସିଟ୍ ଦାଖଲ କରାଯାଇଛି ତାହା ମଧ୍ୟ ଦାଖଲ କରିବାକୁ କୁହାଯାଇଛି।

ସୁପ୍ରିମକୋର୍ଟ ବର୍ତ୍ତମାନ ତିନ୍‌ ତଲାକ୍ ଉପରେ କେନ୍ଦ୍ର ସରକାରଙ୍କ ଆଇନକୁ ଚ୍ୟାଲେଞ୍ଜ କରୁଥିବା ଆବେଦନଗୁଡ଼ିକର ଶୁଣାଣି କରୁଛନ୍ତି। ବିଭିନ୍ନ ମୁସଲମାନ ସଂଗଠନ ଦ୍ୱାରା ସୁପ୍ରିମକୋର୍ଟରେ ଏହାକୁ ଚ୍ୟାଲେଞ୍ଜ କରାଯାଇଛି। କେନ୍ଦ୍ରସରକାର ସୁପ୍ରିମକୋର୍ଟରେ ଏହି ଆଇନକୁ ନେଇ ଉତ୍ତର ଦାଖଲ କରିଛନ୍ତି। ସରକାର କହିଛନ୍ତି ଯେ ସୁପ୍ରିମକୋର୍ଟ ତିନ୍‌ ତଲାକ୍ କୁ ଅସାମ୍ବିଧାନିକ ଘୋଷଣା କରିବା ସତ୍ୱେ ଏହାକୁ ରୋକା ଯାଇପାରିନାହିଁ। ଅଦାଲତର ନିଷ୍ପତ୍ତି ପରେ ମଧ୍ୟ ଦେଶରେ ଶହ ଶହ ତିନ୍‌ ତଲାକ୍ ମାମଲା ସାମ୍ନାକୁ ଆସିଛି। ଏଭଳି ପରିସ୍ଥିତିରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିର ସମ୍ପୂର୍ଣ୍ଣ କାର୍ଯ୍ୟକାରିତା ନିଶ୍ଚିତ କରିବାକୁ ଏକ ଆଇନର ଆବଶ୍ୟକତା ରହିଛି। 

ଏହି ଆବେଦନ ଶୁଣାଣି ବେଳେ ସୁପ୍ରିମକୋର୍ଟ କହିଛନ୍ତି ଯେ, କୌଣସି ଓକିଲ ତିନ୍‌ ତଲାକ୍ ପ୍ରଥାକୁ ସମର୍ଥନ କରିବା ଠିକ ନୁହେଁ। କିନ୍ତୁ ଆମ ସାମ୍ନାରେ ଏବେ ପ୍ରଶ୍ନ ଉଠୁଛି କି ଏହା ଅପରାଧୀକ ହୋଇପାରିବ କି ନାହିଁ? ବିଶେଷକରି ଯେତେବେଳେ ଏହି ପ୍ରଥା ଉପରେ ନିଷେଧ ରହିଛି। କୋର୍ଟ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ଗୋଟିଏ ଥରରେ ତିନିଥର ତଲାକ କହି କେହି କାହାଠାରୁ ତଲାକ ନେଇପାରିବେ ନାହିଁ। ବର୍ତ୍ତମାନ ଏହି ମାମଲାର ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୧୭ ପରେ ହେବ। ତିନି ସପ୍ତାହ ମଧ୍ୟରେ ଏହାର ଲିଖିତ ଉତ୍ତର ଦାଖଲ କରିବାକୁ କୋର୍ଟ ଆବେଦନକାରୀଙ୍କୁ କହିଛନ୍ତି।

Leave a Reply

Your email address will not be published. Required fields are marked *