ଶାନ୍ତି ପ୍ରାର୍ଥନାରେ ୧୭ ଦେଶର ବୌଦ୍ଧଭିକ୍ଷୁ

ରତ୍ନଗିରି: ଭଗବାନ ବୁଦ୍ଧଙ୍କ ଅନ୍ୟତମ ପ୍ରଧାନଶିଷ୍ୟ ଗୁରୁ ପଦ୍ମସମ୍ଭବ ଅବସ୍ଥାନ କରିଥିବା ଉଦୟଗିରି ବୌଦ୍ଧବିହାର ପରିସରରେ ପ୍ରଥମ ଆନ୍ତର୍ଜାତିକ ମହାସମାବେଶ ଆଜି ଉଦ୍‌ଘାଟିତ ହୋଇଛି। ଏଥିରେ ୧୭ଟି ଦେଶର ଶତାଧିକ ବୌଦ୍ଧ ଭିକ୍ଷୁ ଓ ସ୍ଥାନୀୟ ଲୋକ ବିଶାଳ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ଏହି ସମାବେଶରେ ମୁଖ୍ୟଅତିଥି ସିକିମ ରାଜ୍ୟର ମନ୍ତ୍ରୀ ଭେନ୍‌ ସୋନମ୍ ଲାମା ଯୋଗ ଦେଇ କହିଥିଲେ, ଗୁରୁ ପଦ୍ମସମ୍ଭବ ହେଉଛନ୍ତି ଓଡ଼ିଆ। ତାଙ୍କୁ ତିବ୍ବତ ଓ ହିମାଳୟ ଅଞ୍ଚଳରେ ରହୁଥିବା ସମସ୍ତେ ଜାଣନ୍ତି। ମାତ୍ର ଗୁରୁ ପଦ୍ମସମ୍ଭବଙ୍କୁ ଓଡ଼ିଆ ଲୋକ ଜାଣନ୍ତି ନାହିଁ। ହୀରକ ତ୍ରିଭୁଜ ଉଦୟଗିରି-ରତ୍ନଗିରି-ଲଳିତଗିରି କେବଳ ଇତିହାସର ମୂକସାକ୍ଷୀ ନୁହେଁ, ଏହା ଓଡ଼ିଶାର ପ୍ରାଚୀନ ଐତିହ୍ୟ ଓ ସଂସ୍କୃତିର ପରିଚୟ। ଏହାର ବିକାଶ ପାଇଁ ଓଡ଼ିଶା ସରକାରଙ୍କ ସହ ସିକିମ ସରକାର ଆଗ୍ରହୀ। ସେଥିପାଇଁ ସିକିମ ମୁଖ୍ୟମନ୍ତ୍ରୀ ତାଙ୍କ ଦ୍ବାରା ବାର୍ତ୍ତା ଦେଇଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ଲାମା କହିଥିଲେ।
ଗୁରୁ ପଦ୍ମସମ୍ଭବ ଓଡ଼ିଶାରେ ଜନ୍ମ ଗ୍ରହଣ କରି ଉଦୟଗିରିରେ ଅବସ୍ଥାନ କରୁଥିଲେ। ଏଠାରୁ ତାଙ୍କ ଦେହାବଶେଷ ମିଳିଥିଲା। ଓଡ଼ିଶାର ଏହି ବୌଦ୍ଧ ବିହାରର ସ୍ବତନ୍ତ୍ରତା ରହିଛି। ସମାବେଶ ଅୟୋଜକ ଅନ୍ତର୍ଜାତୀୟ ଲାଇଟ୍ ଅଫ୍ ବୁଦ୍ଧ ଧର୍ମ ଫାଉଣ୍ଡେସନ୍‌ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ୱାଗମା ଡିକ୍ସେ କହିଥିଲେ, ଓଡ଼ିଶାରେ ଏହି କାର୍ଯ୍ୟକ୍ରମ ପ୍ରତିବର୍ଷ ଆୟୋଜନ କରାଯିବ। ବିଶ୍ବରେ ସୁଖ, ଶାନ୍ତି ଓ ସମୃଦ୍ଧି ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରାଯିବ। ବାଙ୍ଗାଲୋର ମହାବୋଧି ଗବେଷଣା କେନ୍ଦ୍ର ନିର୍ଦ୍ଦେଶକ ଓଡ଼ିଆ ବୌଦ୍ଧଭିକ୍ଷୁ ବୁଦ୍ଧଦତ୍ତ କହିଥିଲେ, ଓଡ଼ିଶାରେ ପ୍ରଥମଥର ଏହି କାର୍ଯ୍ୟକ୍ରମ କରାଯାଇଛି। ଏଠାରେ ବିଶ୍ବର କୋଣ ଅନୁକୋଣରୁ ବୌଦ୍ଧଭିକ୍ଷୁମାନେ ଯୋଗ ଦେଇଛନ୍ତି। 

Leave a Reply

Your email address will not be published. Required fields are marked *